ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

Advertisment
ସମନ୍ଵୟ ବୈଠକରେ ଆଲୋଚନା: ପୁରୀ ରଥଯାତ୍ରାରେ ମୁତୟନ ହେବେ ୧୫୫ ପ୍ଲାଟୁନ ପୁଲିସ

କଟକ : ପୁରୀରେ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟେଲିଭିଜନ୍ କମ୍ପାନି ଗୁଡିକ ନିକଟରୁ ଟେଣ୍ଡର ଆହ୍ବାନ କରିଥିବା ବେଳେ ଏହି ପ୍ରସଂଗ ଏବେ ହାଇକୋର୍ଟରେ ପହଞ୍ଚିଛି। ଜୁନ୍ ୪ ତାରିଖରେ ଟେଲିଭିଜନରେ ସିଧା ପ୍ରସାରଣ ଅଧିକାର ପ୍ରସଂଗକୁ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପୁରୀ ସହରର ସମାଜସେବୀ ପ୍ରସନ୍ନ କୁମାର ଦାଶଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କିଛି ବର୍ଷ ହେବ ରଥଯାତ୍ରାର ସିଧା ପ୍ରସାରଣ ବିଭିନ୍ନ ଟିଭି ଚାନେଲ ଦ୍ବାରା କରାଯାଉଥିବା ବେଳେ ଗତ ଜୁନ୍ ୬ ତାରିଖରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସିଧା ପ୍ରସାରଣ ଅଧିକାର ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ସ୍ନାନଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥଯାତ୍ରା ପର୍ବର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନି ଗୁଡିକ ନିକଟରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କୌଣସି ପ୍ରକାର ଟେଣ୍ଡର ଆହ୍ବାନ କରୁ ନଥିଲା। ମାତ୍ର ଏ ବ‌ର୍ଷ ହଠାତ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ଏହା ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୂର୍ବରୁ ପ୍ରସାରଣ ଅଧିକାର ପ୍ରସଂଗକୁ ନେଇ କୌଣସି ବ୍ୟବସ୍ଥା ନଥିବା ବେଳେ ଦେଶର ବିଭିନ୍ନ ଟିଭି ଚ୍ୟାନେଲ ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ କରୁଥିଲେ। ଏହା ଦ୍ବାରା ବିଶ୍ବସାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉଥିଲା। ବିଶ୍ବବ୍ୟାପୀ ଶ୍ରଦ୍ଧାଳୁମାନେ ରଥଯାତ୍ରାର ସିଧା ପ୍ରସାରଣ ବିଭିନ୍ନ ଚାନେଲରେ ଦେଖି ପାରୁ ଥିଲେ। କିନ୍ତୁ ରଥଯାତ୍ରା ପ୍ରସାରଣ ଅଧିକାର ପାଇଁ ଟେଣ୍ଡର ଆହ୍ବାନ କରାଯିବା ଦ୍ବାରା ସିଧା ପ୍ରସାରଣ ବ୍ୟବସ୍ଥା ନିର୍ଦ୍ଦିଷ୍ଟ ଚାନେଲରେ ସୀମିତ ହୋଇ ରହିଯିବ। ଏପରି ବ୍ୟବସ୍ଥା ଦ୍ବାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ବାଧା ସୃଷ୍ଟି ହେବ। ଆଇନରେ ଏପରି କୌଣସି ବ୍ୟବସ୍ଥା ନଥିବା ବେଳେ ଜୁନ୍ ୪ର ବିଜ୍ଞପ୍ତିକୁ କାହିଁକି ବେଆଇନ ବୋଲି ଘୋଷଣା କରା ନଯିବ ସେ ନେଇ ପ୍ରତିପକ୍ଷଙ୍କ ନିକଟରୁ ଜବାବ ତଲବ କରିବା ସହ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ଶିବନାରାୟଣ ପଣ୍ଡା ଓ ଅରୁଣ ସାହୁ ସହାୟତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe