ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି, ନୀତିକାନ୍ତି ବନ୍ଦ, ଉପବାସରେ ଶ୍ରୀଜିଉ : ସରକାର ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ଗଜପତି

ଶ୍ରୀମନ୍ଦିରରେ ଅଚଳାବସ୍ଥା ଜାରି, ନୀତିକାନ୍ତି ବନ୍ଦ, ଉପବାସରେ ଶ୍ରୀଜିଉ : ସରକାର ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ଗଜପତି

ପୁରୀ: ଗତକାଲି ସେବାୟତ-ପୁଲିସ ବିବାଦ କ୍ରମଶଃ ବିରାଟ ଆକାର ଧାରଣ କରୁଛି। ପୁଲିସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମାମଲା ପ୍ରତ୍ୟାହାର ଦାବିରେ ସେବାୟତମାନେ ଶ୍ରୀମନ୍ଦିର ଦ୍ୱାର ଖୋଲି ନଥିବା ବେଳେ ଶ୍ରୀ ଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି। ମହାପ୍ରଭୁ ଓପାସରେ ରହିଛନ୍ତି। ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଦାବିରେ ଅଡ଼ି ବସିଥିବା ସେବାୟତଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରଖିଛନ୍ତି। ତେବେ ଜିଲ୍ଲାପାଳ କହିଛନ୍ତି ଯେ, ଆଲୋଚନା ଜାରି ରହିଛି।ଖୁବ୍‌ଶୀଘ୍ର ସମାଧାନର ପନ୍ଥା ବାହାରିବ ।

ଅନ୍ୟପକ୍ଷରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଚଳାବସ୍ଥା ଦୂର ନେଇ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି ମତ ରଖିଛନ୍ତି,ଠାକୁରଙ୍କୁ ଉପବାସରେ ରଖିବା ଗ୍ରହଣୀୟ ନୁହେଁ।ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚତ କରିବା ଉଚିତ ନୁହେଁ। ଗଜପତି ମହାରାଜ ସେବାୟତମାନଙ୍କୁ ନୀତି ଆରମ୍ଭ କରିବାକୁ ଆହ୍ଵାନ କରିଛନ୍ତି।

ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏଇ ବିବାଦ ନେଇ ମନ୍ତବ୍ୟ ଆସିଛି। ସେ କହିଛନ୍ତି କି ସରକାର ଶ୍ରୀମନ୍ଦିର ଘଟଣାବଳି ଉପରେ ନଜର ରଖିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଖୁବ୍‌ ଶୀଘ୍ର ସମାଧାନର ପନ୍ଥା ବାହାରିବ।

publive-image

ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କ ଅନୁସାରେ, ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଛି। ଆଇନ ତା’ବାଟରେ ଯିବ,ଦୋଷୀଙ୍କୁ ଦଣ୍ଡ ଦିଆଯିବ।

ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ । ମିଳିଥିବା ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି। ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି ।

ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ । ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡି ନ ଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe