ସ୍ଥିତିବାନ ମାଲିକ ଏବେ ବେଆଇନ ଦଖଲଦାର

Advertisment

ମନ୍ଦିରରୁ ନକିଣିଲେ ମାଲିକାନା ଯିବ, ପ୍ଲାନ୍‌ ଅନୁମୋଦନ ବନ୍ଦ କଲା ପିକେଡିଏ

ମନ୍ଦିରରୁ ନକିଣିଲେ ମାଲିକାନା ଯିବ, ପ୍ଲାନ୍‌ ଅନୁମୋଦନ ବନ୍ଦ କଲା ପିକେଡିଏ

ସ୍ଥିତିବାନ ମାଲିକ ଏବେ ବେଆଇନ ଦଖଲଦାର

DNA India

ପୁରୀ : ବର୍ଷ ବର୍ଷରୁ ସ୍ଥିତିବାନ ସ୍ବତ୍ବରେ ଭୋଗ ଦଖଲ କରୁଥିବା ଜମି ମାଲିକମାନେ ଏବେ ବେଆଇନ୍ ଦଖଲଦାର। ସେମାନଙ୍କ ଜମିର ମାଲିକ ସ୍ବୟଂ ମହାପ୍ରଭୁ। ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନରୁ ଜମି କିଣିଲେ ହିଁ ସେମାନେ ଜମି ମାଲିକ ହେବେ, ନହେଲେ ବେଆଇନ ଦଖଲଦାର ଭାବେ ରହିବେ। ମହାପ୍ରଭୁଙ୍କ ଭୂସମ୍ପତ୍ତି କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନର ଏପ୍ରକାର କଡ଼ା ଆଭିମୁଖ୍ୟ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଲକ୍ଷ ଲକ୍ଷ ଜମି ମାଲିକଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଖାଲି ସେତିକି ନୁହେଁ, ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି। କାରଣ ଇଏ ୫୦ କି ୧୦୦ ଏକର ଜମି କଥା ନୁହେଁ, ୮୭ ହଜାର ଏକର ଜମିର କଥା। ଯେଉଁଠି ବିଭିନ୍ନ ନିର୍ମାଣ ପ୍ରକଳ୍ପ ବାବଦରେ ବ୍ୟାଙ୍କମାନଙ୍କ ପକ୍ଷରୁ ବିପୁଳ ଟଙ୍କା ବି ବିନିଯୋଗ ହୋଇଛି।

ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ରାଜ୍ୟ ବାହାରେ ମୋଟ ୬୦ ହଜାର ଏକର ଜମି ମହାପ୍ରଭୁଙ୍କର ବୋଲି ଶ୍ରୀମନ୍ଦିର ପ୍ରଶାସନ ଠାବ କରିଥିଲା। ମାତ୍ର ଏବେ ଆହୁରି ଅଧିକ ୨୭ ହଜାର ଏକର ଜମି ମହାପ୍ରଭୁଙ୍କର ବୋଲି ହିସାବରୁ ବାହାରଛି। ଠାକୁରଙ୍କୁ ଦାନରେ ମିଳିଥିବା ପୁରୀର ସତେଇସି ହଜାରୀ ମାହାଲ ଓ ଖୋର୍ଦ୍ଧା ଜିଲ୍ଲାର ଏଖରାଜ ମାହାଲ ଜମି ଏବେ ମନ୍ଦିର ପ୍ରଶାସନର। ତେବେ ମନ୍ଦିର ପ୍ରଶାସନ ପାଖରେ ଏପର୍ଯ୍ୟନ୍ତ ୪୦ ହଜାର ଏକର ଜମିର ହିସାବ ରହିଥିବା ବେଳେ ବଳକା ୪୭ ହଜାର ଜମି କାହା କାହା ନାମରେ ରହିଛି ତାହା ସାବକ ରେକର୍ଡରୁ ଖୋଜାଚାଲିଛି। ସତେଇସି ହଜାରୀ ମାହାଲ ଓ ଏଖରାଜ ମାହାଲ ଥିବା ମୌଜାଗୁଡ଼ିକୁ ଚିହ୍ନଟ ପରେ ସେଗୁଡ଼ିକର ରେକର୍ଡ ସ୍ବତଃ ମହାପ୍ରଭୁଙ୍କ ନାମକୁ ଚାଲି ଯାଇଛି। ଏହି ସବୁ ଜମି ଉପରେ ଲକ୍ଷଲକ୍ଷ ଲୋକ ବର୍ଷ ବର୍ଷରୁ ଭୋଗ ଦଖଲ କରୁଛନ୍ତି। ପ୍ରାୟ ୭୦ ହଜାର ଏକର ଜମି ବର୍ତ୍ତମାନ ବିଭିନ୍ନ ଲୋକଙ୍କ ନାମରେ ରେକର୍ଡ ହୋଇଯାଇଛି। ସିଂହଭାଗ ଲୋକ ସ୍ଥିତିବାନ ସ୍ବତ୍ବରେ ରେକର୍ଡ କରି ଭୋଗ ଦଖଲ କରୁଛନ୍ତି। ହେଲେ ଶ୍ରୀମନ୍ଦିର ପ୍ରଶାସନର ଏହି କାର୍ଯ୍ୟ ସେମାନଙ୍କ ବର୍ଷ ବର୍ଷର ଦଖଲକୁ ଏବେ ବେଆଇନ ଦଖଲରେ ପରିଣତ କରିଦେଲା। ଲୋକେ ଜମି ମାଲିକାନା ବା ଘର ଡିହ ମାଲିକାନା ହରାଇଲେ, ବର୍ତ୍ତମାନ ସେମାନଙ୍କ ଜମି ଆଉ ସେମାନଙ୍କର ନୁହେଁ। ସ୍ଥିତିବାନ ସ୍ବତ୍ବରେ ଥିବା ହଜାର ହଜାର ଲୋକ ଆବେଦନ କରିଥିବା ପ୍ଲାନ୍‌ ଅନୁମୋଦନ ମିଳିବ ନାହିଁ। ସେପଟେ ନିର୍ମାଣ ପାଇଁ ଟଙ୍କା ଦେବାକୁ ଚାହିଁ ବସିଥିବା ବ୍ୟାଙ୍କମାନେ ବି ଅଧାରେ ଲଟକିଛନ୍ତି। କିଛି ବ୍ୟାଙ୍କ ତ ଏକାଧିକ ପ୍ରକଳ୍ପରେ ଟଙ୍କା ଲଗାଇ ଦେଇଛନ୍ତି।

ପ୍ଲାନ୍‌ ଅନୁମୋଦନ ବନ୍ଦ କଲା ପିକେଡିଏ
ବାସଗୃହ ହେଉ କି ବାଣିଜ୍ୟିକ, ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ପୁରୀ ସହରର ୧୨ଟି ସମେତ ମୋଟ ୬୭ ମୌଜାରେ କୌଣସି ନିର୍ମାଣ ପାଇଁ ଆଉ ପିକେଡିଏ ପ୍ଲାନ୍‌ ଅନୁମୋଦନ କରିବନାହିଁ। ଫଳରେ ଏହି ସବୁ ଅଞ୍ଚଳରେ ନିର୍ମାଣ ପାଇଁ କରାଯାଇଥିବା ଏକାଧିକ ପ୍ଲାନ୍‌ ଆବେଦନ ରଦ୍ଦ ହୋଇଯାଇଛି। ସହରର ବିକାଶ ଉପରେ ଏହା ପୂର୍ଣ୍ଣଚ୍ଛେଦ ଟାଣି ଦେଉଥିବାରୁ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ବାଟ ଖୋଜୁଛି ପିକେଡିଏ। ପିକେଡିଏ ପ୍ଲାନିଂ ମେମ୍ବର ତଥା ରାଜ୍ୟ ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର କହିଛନ୍ତି, ପିକେଡିଏ ନିୟମ ଅନୁଯାୟୀ, ମନ୍ଦିର ଏନ୍‌ଓସି ଦେବାକୁ ମନା କରିଥିବା ୬୭ଟି ମୌଜାରେ କୌଣସି ନିର୍ମାଣ ପାଇଁ ପ୍ଲାନ୍‌ ଅନୁମୋଦନ କରାଯିବ ନାହିଁ। ଏହା ହେଲେ ସହରର ନିର୍ମାଣ ପ୍ରକ୍ରିୟା ଠପ୍‌ ହୋଇଯିବ। ମନ୍ଦିରଠାରୁ ଏନ୍‌ଓସି ନେବାକୁ ବାଧ୍ୟ ବୋଲି ଅଥରିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ସେହି ନିଷ୍ପତ୍ତିକୁ ପୁନଃର୍ବିଚାର କରି ଜମାନବନ୍ଦୀ ମାଧ୍ୟମରେ ପ୍ଲାନ୍‌ ଅନୁମୋଦନ ନିର୍ଦ୍ଦେଶ ଅଥରିଟି ଦେଲେ ହିଁ ପ୍ଲାନ୍‌ ଅନୁମୋଦନ ହୋଇପାରିବ। ତେବେ ଏହା ଅଥରିଟି ଉପରେ ନିର୍ଭର କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe