ଦୀପ୍ତିରଂଜନ ସାମଲ
କଟକ: ଜଗତପୁର ନୂତନ ଶିଳ୍ପାଞ୍ଚଳର ଉନ୍ନତୀକରଣ କାର୍ଯ୍ୟ ଏବେ ଦିଗହରା। ଉନ୍ନତୀକରଣ କାର୍ଯ୍ୟ ୨୦୨୪ ସେପ୍ଟେମ୍ବରରେ ଶେଷ ହେବାକୁ ଥିଲା। ଏପର୍ଯ୍ୟନ୍ତ ଅଧା କାମ ବି ଶେଷ ହୋଇନାହିଁ। ପାଖାପାଖି ୫୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା ବେଳେ ୪୫ କୋଟି ଟଙ୍କା ବ୍ୟୟ ହୋଇସାରିଲାଣି। ହେଲେ କାମ କେଉଁଠି ହେଲା ତାହାକୁ ନେଇ ଶିଳ୍ପୋଦ୍ୟୋଗୀମାନେ ପ୍ରଶ୍ନ କରୁଛନ୍ତି। ଶିଳ୍ପାଞ୍ଚଳରେ ଚାରିଆଡ଼େ କେବଳ ଧୂଳି ଉଡୁଛି।
ନୂତନ ଶିଳ୍ପାଞ୍ଚଳରେ ପାଖାପାଖି ୬୩୦ଟି ଶିଳ୍ପ ସଂସ୍ଥା ରହିଛି। ବିଦ୍ୟୁତ୍ ବିଲ୍ ୫ କୋଟିରୁ ଅଧିକ ଆଦାୟ ହେଉଛି। ଇଡ୍କୋ ଜମିର ମୂଲ୍ୟ ଏକର ପିଛା ୮୨.୧୫ଲକ୍ଷ ଟଙ୍କା ଆଦାୟ କରୁଥିବା ବେଳେ ଏହା ଉପରେ ୧.୭୫ ପ୍ରତିଶତ ଟଙ୍କା ଗ୍ରାଉଣ୍ଡ ରେଣ୍ଟ୍ ଆଦାୟ କରାଯାଉଛି। ଏଏମ୍ସି ବାବଦକୁ ବର୍ଷକୁ ଏକର ପିଛା ୧୫୦୮୬ ଟଙ୍କା ଆଦାୟ ହେଉଛି। ଏସବୁ ବାଦ୍ କୌଣସି ସଂସ୍ଥାର ଜମିକୁ ସବ୍ଲିଜ୍ ଦେଲେ ଜମି ମୂଲ୍ୟର ୧୫ପ୍ରତିଶତ ଅର୍ଥ ଜମା କରାଯାଉଛି। ପୁଣି ନିର୍ଦ୍ଦେଶକ ବଦଳିଲେ ଏହା ବାବଦକୁ ଟଙ୍କା ଦିଆଯାଉଛି। କେବଳ ଇଡ୍କୋ ନୁହେଁ, ସିଏମ୍ସି ପକ୍ଷରୁ ଶିଳ୍ପସଂସ୍ଥାମାନଙ୍କଠୁ ଟ୍ରେଡ୍ ଲାଇସେନ୍ସ ଫି, ମୋଟର ଲାଇସେନ୍ସ ଫି ପ୍ରତ୍ୟେକ ବର୍ଷ ଆଦାୟ ହେଉଛି। ବର୍ଷକୁ ଗୋଟିଏ ସଂସ୍ଥାରୁ ହାରାହାରି କୋଟିଏ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ତାହା ବଦଳରେ କୌଣସି ସୁବିଧା ମିଳୁ ନଥିବା ଅଭିଯୋଗ ହୋଇଛି।
ଜଗତପୁର ନୂତନ ଶିଳ୍ପାଞ୍ଚଳ ଉନ୍ନତୀକରଣ ଦିଗହରା
୨୦୨୪ରେ ଶେଷ ହେବାକୁ ଥିଲା, ଏପର୍ଯ୍ୟନ୍ତ ଅଧା କାମ ସରିନି
ଶିଳ୍ପାଞ୍ଚଳ ଭିତରେ ରାସ୍ତା, ଡ୍ରେନ୍, ଷ୍ଟ୍ରିଟ୍ଲାଇଟ୍ ସହିତ ପରିମଳ ଦାୟିତ୍ବ ହେଉଛି ଇଡ୍କୋର। ନୂତନ ଶିଳ୍ପାଞ୍ଚଳର ଉନ୍ନତୀକରଣ ପାଇଁ ୫୬.୭୭ କୋଟି ଟଙ୍କା ମଞ୍ଜୁର ହୋଇଛି। ୨୦୨୩ ସେପ୍ଟେମ୍ବର ୨୫ରେ କାମ ଆରମ୍ଭ ହୋଇଥିଲା ବେଳେ ୨୦୨୪ ସେପ୍ଟେମ୍ବର ୨୪ରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଡ୍ରେନ୍, ସ୍ବେରେଜ୍, ଜଳ ବିଶୋଧନାଗାର ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଗତବର୍ଷ ତତ୍କାଳୀନ ଅଧ୍ୟକ୍ଷ ଶାଶ୍ବତ ମିଶ୍ର କ୍ଷେତ୍ର ପରିଦର୍ଶନରେ ଆସିବା ସହ ଅଗଷ୍ଟ ୨୦୨୫ ସୁଦ୍ଧା କାମ ଶେଷ କରିବାକୁ ତାଗିଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୧ କୋଟି ଟଙ୍କା ଠିକାଦାରଙ୍କୁ ଦିଆସରିଥିଲା ବେଳେ ଆଉ ୧୪ କୋଟି ଟଙ୍କାର କାମ ହୋଇସାରିଲାଣି। ହେଲେ ଏତେ ଟଙ୍କା କେଉଁଠି ବିନିଯୋଗ ହୋଇଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Cuttack: ବସ୍ ଭିତରେ ଦୁଇ ନାବାଳିକା ଭଉଣୀଙ୍କୁ ଅସଦାଚରଣ, ଡ୍ରାଇଭର ଗିରଫ
ଓଡ଼ିଶା ଶିଳ୍ପ ସଂଘ ଅଧ୍ୟକ୍ଷ ଅବନୀ କାନୁନ୍ଗୋ କହିଛନ୍ତି, ଏଠାରେ ୧୦ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ ୫ହଜାରରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି। କିନ୍ତୁ ବିପର୍ଯ୍ୟସ୍ତ ପରିବେଶ ଓ ଭିତ୍ତିଭୂମି ଯୋଗୁଁ ଶ୍ରମିକ କିମ୍ବା ଅତିଥିମାନେ ଏଠାକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି। ଅନ୍ୟପଟେ ଇଡ୍କୋ ଡିଭିଜନ୍ ମୁଖ୍ୟ ପରୀକ୍ଷିତ ମହାଳିକ କହିଛନ୍ତି, ଠିକାଦାରମାନଙ୍କ ଆନ୍ଦୋଳନ ଚାଲିଥିବାରୁ କାମ ବନ୍ଦ ରହିଛି। ନଚେତ୍ କାମ ଠିକ୍ରେ ଚାଲିଛି।
Follow Us