ଜଗତସିଂହପୁର: ଅକଳରେ ୩ ପ୍ରମୁଖ ଦଳ; ବିଜେଡି, ବିଜେପି ପାଇଁ ଦୁଇ ଦୁଇ ଆସନ ଦ୍ବନ୍ଦ୍ବ

କଂଗ୍ରେସରେ ନେତୃତ୍ବ ସଙ୍କଟ

କିଏ ନେବ ଓଡ଼ିଶା ନେତୃତ୍ବ: ୧୬୮ ନେତା ପିନ୍ଧିବେ ବିଜୟ ମୁକୁଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଓ ପାରାଦୀପ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ ଘୋଷଣା ଯେତିକି ବିଳମ୍ବିତ ହେଉଛି, ତୃଣମୂଳସ୍ତରରେ ନେତା ଓ କର୍ମୀଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଉତ୍କଣ୍ଠା ସେତିକି ବଢି ଚାଲିଛି। ପାରାଦୀପରେ ବିଧାୟକ ସମ୍ବିତ ରାଉତରାୟ ଅଥବା ତାଙ୍କ ପତ୍ନୀଙ୍କୁ ଦଳ ଟିକେଟ ଦେବ ବୋଲି କୁହାଯାଉଥିଲେ ବି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ସମର୍ଥକ ତାଙ୍କ ଦାବି ରଖି ଆସୁଛନ୍ତି। ଅନ୍ୟପଟେ ବାଲିକୁଦା-ଏରସମାରେ ସଂଖ୍ୟାଧିକ ଆଶାୟୀ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ବିଧାୟକ ରଘୁନନ୍ଦନ ଦାସଙ୍କ ସମେତ ଏକାଧିକ ଆଶାୟୀ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ପ୍ରାର୍ଥିତ୍ବ ପାଇଁ ଦାବି କରି ଆସୁଛନ୍ତି। ଯଦି ଟିକେଟ ନ ମିଳେ ତାହେଲେ ସ୍ବାଧୀନ କିମ୍ବା ଅନ୍ୟ ଦଳ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ନେତାଙ୍କ ସମର୍ଥକମାନେ ପରୋକ୍ଷରେ ଧମକ ଦେଉଛନ୍ତି।

ଅନ୍ୟପଟେ ଜିଲ୍ଲାର ଦୁଇଟି ଆସନକୁ ନେଇ ବିଜେପିର ଚିନ୍ତା ବି ବଢ଼ିଚାଲିଛି। ନିକଟରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ ବିଜେପିରେ ଯୋଗ ଦେଇଛନ୍ତି। ଏହି ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ମଧ୍ୟ ନିଜ ସପକ୍ଷରେ ଟିକେଟ ଲାଗି ଅଡି ବସିଛନ୍ତି। ଏହି ଆସନ ଏବେ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିବା ଚ୍ୟାଲେଞ୍ଜ ହୋଇପଡ଼ିଛି। ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ସୋସିଆଲ ମିଡିଆରେ ଅପପ୍ରଚାର ବଢିବା ସହିତ କର୍ମୀଙ୍କ ମନୋବଳ ଭାଙ୍ଗୁଛି ବୋଲି ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ବାଲିକୁଦା-ଏରସମା ଆସନରେ ମଧ୍ୟ ବିଜେପି ଏଯାଏ କାହାକୁ ପ୍ରାର୍ଥୀ କରିବ ନିଷ୍ପତ୍ତି ନେଇପାରି ନାହିଁ। କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ରଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଆଉ କେତେକ ପ୍ରମୁଖ ଆଶାୟୀ ସତ୍ୟ ସାରଥୀ ମହାନ୍ତି, ସଞ୍ଜୟ ମହାନ୍ତି, ଡାକ୍ତର ଶଶାଙ୍କ ଶେଖର ସାହାଣୀ, ଶିବବ୍ରତ ଦାସ ଦୌଡ଼ରେ ରହିଛନ୍ତି। ତେଣୁ ଏହି ଆସନରୁ ପ୍ରାର୍ଥୀ ଘୋଷଣା କରିବା ବିଜେପି ପାଇଁ ଚିନ୍ତାର କାରଣ ସାଜିଛି। ବିଜେଡିର ୨ ଓ ବିଜେପିର ୨ ବିଧାନସଭା ଆସନ ଘୋଷଣା ଅପେକ୍ଷାରେ ଥିବା ନେତାଙ୍କ ହୃତସ୍ପନ୍ଦନ ବଢ଼ିଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଜିଲ୍ଲାରେ ଗୋଟିଏ ହେଲେ ବିଧାନସଭା କିମ୍ବା ଜଗତସିଂହପୁର ଲୋକସଭା ଆସନ ଘୋଷଣା କରି ନାହିଁ। ଯାହାକୁ ନେଇ ଆଶାୟୀମାନେ ଚିନ୍ତାରେ ରହିଛନ୍ତି। ଜିଲ୍ଲାର ଦୁଇ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ଓ ବାପି ସର୍ଖେଲ ଦଳ ଛାଡ଼ିବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି। ତେଣୁ ପ୍ରାର୍ଥୀ ଆଗୁଆ ଘୋଷଣା ନ କଲେ କଂଗ୍ରେସ ପାଇଁ ଘାତକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe