Daily Guide
ଜଗତସିଂହପୁର : ଅଶ୍ଳୀଳ ଫଟୋ ଭାଇରାଲ ହେବା ଯୋଗୁଁ ନାଉଗାଁ ଥାନା ତେନ୍ତୋଇ ଗାଁର ଆତ୍ମହତ୍ୟା କରିଥିବା ଯୁବତୀଙ୍କ ପରିବାରକୁ ସରକାରୀ ଅଧିକାରୀ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି। ଆଜି ଡେରିକି ରାଜସ୍ବ ନିରୀକ୍ଷକ ଶୁଭେନ୍ଦ୍ର କୁମାର ନାୟକ ପୀଡ଼ିତାଙ୍କ ଘରେ ପହଞ୍ଚି ଜାଗା ଛାଡ଼ି ପଳାଇବା ପାଇଁ ଧମକ ଦେଇଥିବା ନେଇ ତାଙ୍କ ମା’ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି। ଆସନ୍ତାକାଲି ଜାତୀୟ ଅନୁସୂଚିତ ଜାତି କମିସନ ଅଧ୍ୟକ୍ଷ ଓ କୋଲକାତାରୁ ବିଭାଗୀୟ ନିର୍ଦ୍ଦେଶକ ଜଗତସିଂହପୁର ଗସ୍ତରେ ଆସୁଥିବାବେଳେ ପୀଡ଼ିତାଙ୍କ ପରିବାରକୁ ରାଜସ୍ବ ଅଧିକାରୀଙ୍କ ଧମକ ଘଟଣାକୁ ନେଇ ଆଜି ଚର୍ଚ୍ଚା ଲାଗି ରହିଛି।
ପୀଡ଼ିତାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ୪୦ ବର୍ଷ ହେଲା ସେ ଯେଉଁ ଜାଗାରେ ଛୋଟ କୁଡ଼ିଆଟିଏ କରି ରହି ଆସୁଛନ୍ତି ସେହି ଜାଗା ତାଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମାତ୍ର ଆଜି ହଠାତ୍ ଡେରିକି ରାଜସ୍ବ ନିରୀକ୍ଷକ ତାଙ୍କ ଘରେ ପହଞ୍ଚି ସରକାରୀ ଜମିରେ କାହିଁକି ଏତେ ଦିନ ଧରି ରହିଛ, ତୁରନ୍ତ ଏ ଜାଗା ଛାଡ଼ି ଚାଲିଯାଅ ବୋଲି ଧମକ ଦେଇଥିଲେ। ତୁରନ୍ତ ନଗଲେ ମେସିନ ଆଣି ଘର ଭାଙ୍ଗି ଦେବୁ ବୋଲି ତାଗିଦ୍ କରିଥିଲେ। ତେବେ ହଠାତ୍ ଜାଗା ଛାଡ଼ି ଚାଲିଗଲେ ଆମେ କେଉଁଠି ରହିବୁ ବୋଲି ସାକୁଲି ପ୍ରଶ୍ନ କରିଛନ୍ତି। ଏ ନେଇ ସେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ଏ ଘଟଣାରେ ହସ୍ତକ୍ଷେପ କରି ତାଙ୍କୁ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ତହସିଲଦାର ଜେ. କଳ୍ପନା ଏପରି ଅଭିଯୋଗକୁ ଅସ୍ବୀକାର କରି ଏପରି କୌଣସି ଅଭିଯୋଗ ତାଙ୍କର ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି। ଉକ୍ତ ପରିବାର ଦଳିତ ହୋଇଥିବାରୁ ବସୁନ୍ଧରା ଯୋଜନାରେ ତାଙ୍କୁ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ରହିଛି। ଏଣୁ ରାଜସ୍ବ ନିରୀକ୍ଷକ ସାକୁଲିଙ୍କ ଘରକୁ ଜାଗା ଯୋଗାଇ ଦେବା କଥା କହିବାକୁ ଯାଇଥିଲେ। ଏମିତି କୌଣସି ପ୍ରକାର ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ଆସନ୍ତାକାଲି କମିସନଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ଥିବା ବେଳେ ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସୂଚନାଯୋଗ୍ୟ ଯେ, ଜଣେ ଯୁବକ ଅଶ୍ଳୀଳ ଫଟୋ ଭାଇରାଲ କରି ଏବଂ ବିଭିନ୍ନ ସ୍ଥାନରେ ଲଗାଇ ଦୀର୍ଘଦିନ ଧରି ବ୍ଲାକମେଲ୍ କରିବା ପରେ ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଥିଲା।
Follow Us