'ଓଡ଼ିଶାକୁ ବିପଦକୁ ଠେଲିଦେବୁନି' ମହାରାଷ୍ଟ୍ର ପୁନେରୁ ଆସିଲା ଶ୍ରମିକଙ୍କ ଆକୁଳ ନିବେଦନ

Advertisment
'ଓଡ଼ିଶାକୁ ବିପଦକୁ ଠେଲିଦେବୁନି' ମହାରାଷ୍ଟ୍ର ପୁନେରୁ ଆସିଲା ଶ୍ରମିକଙ୍କ ଆକୁଳ ନିବେଦନ

ଜଗତସିଂହପୁର: ଆମେ ଘରକୁ ଯିବାକୁ ଚାହୁଁନୁ। ଆମେ ଘରକୁ ଗଲେ ଓଡ଼ିଶା ପାଇଁ ବିପଦ ଆସିପାରେ। ଆମେ ପଛେ ରୋଗରେ ପଡିବୁ ହେଲେ ଆମ ରାଜ୍ୟକୁ ବିପଦ ମୁହଁକୁ ଠେଲି ଦେବୁନି। କିନ୍ତୁ ଆମେ ଭୋକରେ ଅଛୁ। ଆମକୁ ଖାଇବାକୁ ପିଇବାକୁ ଦିଅ | ଘରକୁ ଯିବା ପର୍ଯ୍ୟନ୍ତ ଆମେ ଅନ୍ତତଃ ବଞ୍ଚିକି ରହିବୁ। ଏଭଳି ଆକୁଳ ନିବେଦନ କରି ଭିଡିଓ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଲିକୁଦା-ଏରସମାର ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ କୋହଭରା ସ୍ବରରେ ଆକୁଳ ନିବେଦନ କରିଛନ୍ତି ମହାରାଷ୍ଟ୍ର ପୁନେ ସହରରେ ଫସି ରହିଥିବା ୨୦୦ ରୁ ଅଧିକ ଶ୍ରମିକ ଓ ତାଙ୍କ ପରିବାର | ଏମାନେ ଦୀର୍ଘଦିନ ଧରି ପୁନେର ବିଭିନ୍ନ କଳକାରଖାନାରେ ଶ୍ରମିକ ଭାବେ କାମ କରନ୍ତି। ପରିବାର ସହ ରହି ଆସୁଥିବାବେଳେ ଲକ୍ ଡାଉନ୍ ଦୁଃଖ ବଢାଇ ଦେଇଛି।

publive-image

ଏବେ କାରଖାନା ବନ୍ଦ ହୋଇ ପଡ଼ିଛି। ଟଙ୍କା ପଇସା ଉପାର୍ଜନର ମାଧ୍ୟମ ସବୁ ବନ୍ଦ। ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଥିବାରୁ ନିୟମ କଡ଼ାକଡ଼ି କରାଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ପାଖରେ ଯାହା ଟଙ୍କା ଥିଲା ସବୁ ଖାଇବା ପିଇବାରେ ସରି ଯାଇଛି। ଏବେ ପରିସ୍ଥିତି ଏମିତି ହେଇଛି ଖାଇବାକୁ ମିଳୁନି।

ରାଜ୍ୟ ସରକାରଙ୍କ ସହାୟତା ନମ୍ବରକୁ ଯୋଗାଯୋଗ କରିବାରୁ ସେମାନେ ମହାରାଷ୍ଟ୍ର ସରକାରଙ୍କ ନମ୍ୱର୍ ଦେଇଥିଲେ। ମହାରାଷ୍ଟ୍ର ସରକାର ସାହାଯ୍ୟ କରିବେ ବୋଲି ଓଡ଼ିଶା ସରକାର ଆଶ୍ୱାସନା ଦେଇଥିଲେ। ହେଲେ ଏଯାଏଁ କୌଣସି ସାହାଯ୍ୟ ମିଳୁନି। ଶେଷରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଓ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ରଘୁନନ୍ଦନ ଦାସ ଙ୍କୁ ଆକୁଳ ନିବେଦନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ଭିତରେ ଛୋଟ ପିଲା ରହିଛନ୍ତି। ତେଣୁ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଶ୍ରମିକମାନେ ନିବେଦନ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe