ଜଗତସିଂହପୁରରେ ପ୍ରବାସୀ ଦମ୍ପତିଙ୍କ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କୁ ବିଜେପିର ଫେରାଦ

Advertisment
ଜଗତସିଂହପୁରରେ ପ୍ରବାସୀ ଦମ୍ପତିଙ୍କ ମୃତ୍ୟୁ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କୁ ବିଜେପିର ଫେରାଦ

ଭୁବନେଶ୍ୱର : ଡାକ୍ତରଙ୍କ ଅବହେଳା କାରଣରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ କଟିଜଙ୍ଗ ଗାଁର ଗୋଟିଏ ପ୍ରବାସୀ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ଏହାକୁ ନେଇ ଆଜି ବିଜେପି ଏସ୍‌ସି ମୋର୍ଚ୍ଚା ସଭାପତି ବିଭୁ ତରାଇଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଓଡ଼ିଶା ରାଜ୍ୟ ମାନବାଧିକାର କମିସନଙ୍କ ପାଖରେ ଅଭିଯୋଗ କରିଛି। ଏପରି ଅଭାବନୀୟ ଘଟଣାରେ କମିସନ ହସ୍ତକ୍ଷେପ କରି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିନିଧି ଦଳ ଦାବି ରଖିଛି।

ଗତ ଜୁନ୍‌ ୩୦ରେ ନିର୍ଲିପ୍ତ ଭୋଳ ଓ ତାଙ୍କ ପତ୍ନୀ ସୁଭଦ୍ରା ସ୍ବାଇଁ ତେଲେଙ୍ଗାନାରୁ ଫେରି କ୍ବାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଜୁଲାଇ ୧ ଦିନ ହଠାତ୍‌ ନିର୍ଲିପ୍ତଙ୍କ ଦେହ ଖରାପ ହେବାରୁ ତାଙ୍କ ପତ୍ନୀ ତାଙ୍କୁ ଜଗତସିଂହପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ଆଇସୋଲେସନ୍‌ ୱାର୍ଡ଼ରେ ରଖାଯାଇଥିଲା। ପରଦିନ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କ ପତ୍ନୀ ମେଡିକାଲ୍‌ ଡ୍ୟୁଟିରେ ଥିବା ସିଡିଏମ୍‌ଓ ଡ.ବିଜୟ ପଣ୍ଡା ଓ ଡ. ଅଜୟ ସ୍ବାଇଁଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦୁଇଜଣଯାକ ଡାକ୍ତର ନିର୍ଲିପ୍ତଙ୍କୁ ଚିକିତ୍ସା କରିନଥିଲେ। ଦୀର୍ଘ ୧୪ ଘଣ୍ଟା ୩୦ ମିନିଟ୍‌ ପରେ ନିର୍ଲିପ୍ତଙ୍କ ପ୍ରାଣହାନି ଘଟିଥିଲା। ଏହି ଘଟଣା ପରେ ମ୍ରିୟମାଣ ହୋଇ ତାଙ୍କ ପତ୍ନୀ ସେହି ମେଡିକାଲରେ ନିଜ ହାତକୁ ଏକ ଧାରୁଆ ଅସ୍ତ୍ରରେ କାଟି ପକାଇଥିଲେ। ପରେ ସେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ଫଳରେ ଡାକ୍ତରଙ୍କ ଅବହେଳାରୁ ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଚାଲିଗଲା। ଏହି ଘଟଣାକୁ ସପ୍ତାହେରୁ ଅଧିକ ଦିନ ବିତିଥିଲେ ବି ପୁଲିସ ଅଭିଯୁକ୍ତଙ୍କୁ ଧରିନାହିଁ କି କୌଣସି ତଦନ୍ତ କରୁନାହିଁ। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ମଲ୍ଲିକ, ଦେବବ୍ରତ ଦାସ, ସଞ୍ଜୟ ମହାନ୍ତି ଓ ମୋହିତ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe