ଜାଇଫୁଲ, ଘୁଡୁକି ଓ ଗୋଟିପୁଅରେ ଝୁମିଲେ ଦର୍ଶକ

Advertisment

ଗନ୍ଧରାଢ଼ି ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟା

ଗନ୍ଧରାଢ଼ି ଲୋକକଳା ମହୋତ୍ସବ ଚତୁର୍ଥ ସନ୍ଧ୍ୟା

ଜାଇଫୁଲ, ଘୁଡୁକି ଓ ଗୋଟିପୁଅରେ ଝୁମିଲେ ଦର୍ଶକ

ଜହ୍ନାପଙ୍କ/ ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ହାଇସ୍କୁଲ ପଡ଼ିଆରେ ଚାଲିଥିବା ଗନ୍ଧରାଢ଼ି ଲୋକକଳା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ପାରମ୍ପରିକ ଲୋକକଳାରେ ମତୁଆଲା ହୋଇଛନ୍ତି ଦର୍ଶକ। ମହୋତ୍ସବ ମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୁଲବାଣୀ ନଟରାଜ କଳାପରିଷଦ ଦ୍ବାରା ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏଥିସହ ବଲାଙ୍ଗୀର ସୁର ସଙ୍ଗମ ପକ୍ଷରୁ ଲୋକନୃତ୍ୟ, ବରପଦର୍ ବଉଳି କଳା ପରିଷଦ ଦ୍ୱାରା ପରିବେଷିତ ସମ୍ବଲପୁରୀ ଓ ଯାଇଫୁଲ ନୃତ୍ୟ ମଧ୍ୟ ଲୋକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲା। ବାଉଁଶୁଣିର ଘୁଙ୍ଗୁର କଳାପରିଷଦ ପକ୍ଷରୁ ପ୍ରଦର୍ଶିତ ଘୁଡୁକି ନୃତ୍ୟ ଏବଂ ପୁରୀ ଜିଲ୍ଲାର ଗୋଟିପୁଅ ନୃତ୍ୟ ମଧ୍ୟ ସାଉଁଟିଥିଲା ଢେର୍ ଦର୍ଶକୀୟ ପ୍ରଶଂସା। ତା’ ସାଙ୍ଗକୁ ଶ୍ରୀକାନ୍ତ ଛତ୍ରିଆଙ୍କ ସମ୍ବଲପୁରୀ ଗୀତ ଲୋକଙ୍କ ପାଇଁ ପାଲଟିଥିଲା ‘ସୋନେ ପେ ସୁହାଗା।’ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହି ଗନ୍ଧରାଢ଼ୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଖଳିଗାଁ ପ୍ରାଥମିକ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ଏବଂ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ସାଂସ୍କୃତିକ ନୃତ୍ୟର ମଧ୍ୟ ମଜା ଉଠାଇଥିଲେ ଦର୍ଶକ।

ଶନିବାର ମହୋତ୍ସବର ଚତୁର୍ଥ ଦିବସରେ କମିଟି ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଖଣି, ଅର୍ଥ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ସିନେ ତାରକା ଚିନ୍ମୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଜଗତି ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇଥିଲେ। ସମ୍ପାଦକ ଶମ୍ଭୁ ଗିରି ଚତୁର୍ଥ ଦିବସର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସହସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ସନ୍ତୋଷ କର୍ଣ୍ଣ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ମନୋଜ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଦର୍ଶକମାନେ ମହୋତ୍ସବରେ ମୀନାବଜାର ବୁଲିବା ସାଙ୍ଗକୁ ବିଭିନ୍ନ ଖାଦ୍ୟର ଭରପୂର ମଜା ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe