ଖୋର୍ଦ୍ଧା: ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜି ଅନୁସୂୟା ଜେନା ଖୋଳତାଡ଼ କରିଛନ୍ତି। ସେ ଜଣକ ପରେ ଜଣେ କଏଦୀଙ୍କୁ ଡାକି ବ୍ୟକ୍ତିଗତ ଭାବେ ଜେରା କରିଛନ୍ତି। କେବଳ ଡିଆଇଜି ନୁହେଁ, ବ୍ରହ୍ମପୁରର ସିନିୟର ଜେଲ୍ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ରନାଥ ବାରିକ ବି ଜେଲ୍ରେ ତନାଘନା ଆଜି ଫେରିଛନ୍ତି। ଜେଲ୍ର ଜଣେ ବିଚାରାଧୀନ କଏଦୀଙ୍କୁ କାହିଁକି ମାଡ଼ ହେଲା? ମାଡ୍ପିଟ୍ ବେଳେ ଜେଲ୍ର ସୁରକ୍ଷା ବ୍ୟବସ୍ଥା କ’ଣ ଥିଲା? ଜେଲ୍କୁ ମୋବାଇଲ୍ କେମିତି ଆସିଲା? ଆଦି ଯାବତୀୟ ପ୍ରସଙ୍ଗରେ ସକାଳୁ ସଞ୍ଜ ଯାଏ ଜେଲ୍ ଭିତରେ ଉଭୟ ଅଧିକାରୀ ଘଣ୍ଟାଚକଟା କରି ଫେରିଛନ୍ତି।
ସୂଚନା ମୁତାବକ, ଗଲା ଫେବ୍ରୁଆରି ମାସରୁ ଜେଲ୍ରେ ଯାବତୀୟ ବିଶୃଙ୍ଖଳା କଥା ପଦାକୁ ଆସିଥିଲା। ଫେବ୍ରୁଆରି ମାସରେ ଜେଲ୍ ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତ ଜେଲ୍ରୁ ଏକ ମୋବାଇଲ୍ ଜବତ କରି ପୁଲିସକୁ ଦେଇଥିଲେ। ଯେଉଁଥିରୁ ଜେଲ୍ ଭିତରୁ ଚାଲିଥିବା ବଡ଼ ବ୍ରାଉନସୁଗାର ନେଟ୍ୱାର୍କର ଖୁଲାସା ହୋଇଥିଲା। ଆଦର୍ଶ ଥାନା ପୁଲିସ ଏ ଘଟଣାରେ ମୋଟ୍ ୨୧ଜଣଙ୍କ ସମ୍ପୃକ୍ତି ପଦାକୁ ଆଣିଥିଲା। ଜେଲ୍ ଭିତରେ ପୁଲିସ ଚଢ଼ଉ କରି ୯ଗୋଟି ମୋବାଇଲ୍ ବି ଜବତ କରିଥିଲା। ଜେଲ୍ ଭିତର ବିଶୃଙ୍ଖଳା ଏତିକିରେ ସୀମିତ ରହିଲା ନାହିଁ। ଏ ମୋବାଇଲ୍ ଘଟଣାକୁ ନେଇ ଜେଲ୍ ଭିତରେ ବି ଝଡ଼ ଉଠିଥିଲା। ବିଚାରାଧୀନ କଏଦୀଙ୍କ ପ୍ରକାଶ ନାୟକଙ୍କ ଉପରେ ରୢାଗିଂ ଆରମ୍ଭ ହେଲା। ପୁଲିସ୍କୁ ଜେଲ୍ କଏଦୀଙ୍କର ଗୁପ୍ତ ସୂଚନା ଯୋଗାଇ ଦେଉଥିବା ସନ୍ଦେହରେ ଜେଲ୍ର ୭ଜଣ କଏଦୀ ଭିଆଇଥିବା ଏ ପ୍ରକାର କାଣ୍ଡ ଜେଲ୍ର ଅହେତୁକ ବିଶୃଙ୍ଖଳାକୁ ପଦାରେ ପକାଇଥିଲା। ଯାହାର ତଦନ୍ତ ଆଜି ଜେଲ୍ ଡିଆଇଜି ଶ୍ରୀମତୀ ଜେନା କରିଛନ୍ତି।
Follow Us