ଜେଲରୁ ମୁକୁଳିଲେଣି ସାଢେ ତିନି ହଜାର କଏଦୀ, ଅସୁସ୍ଥ କଏଦୀଙ୍କ ଡାକ୍ତରୀ ଚିକିତ୍ସା ଉପରେ ଗୁରୁତ୍ବାରୋପ

Advertisment
୮୫ ଜେଲ୍‌ ପ୍ରତି କ‌ରୋନା ସଂକ୍ରମଣ ବିପଦ, ଥଳକୂଳ ପାଉନି କାରାଗାର ବିଭାଗ

Odisha Bytes

କଟକ : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜେଲରୁ ଏ ପର୍ଯ୍ୟନ୍ତ ୩ ହଜାର ୧୯୦ ଜଣ ବନ୍ଦୀଙ୍କୁ ଜାମିନରେ ଛଡ଼ାଯାଇଛି। ଜେଲରେ ଭିଡ ଏଡାଇବା ପାଇଁ ଓ ସାମାଜିକ ଦୂରତ୍ବ ରକ୍ଷା କରିବା ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ଜାରି କରିଥିବା ନିୟମାବଳୀ ପାଳନ କରି ଏହି ବନ୍ଦୀଙ୍କୁ ଜାମିନରେ ଛଡାଯାଇଛି। ଏଥିସହିତ ୨୯୧ ଜଣ ବନ୍ଦୀଙ୍କୁ ସ୍ପେଶାଲ ଫର୍ଲଗ ଓ ୧୦ ଜଣଙ୍କୁ ପାରୋଲରେ ଜେଲରୁ ଛଡ଼ାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ ୧୫ ମଧ୍ୟରେ ଏହି ବନ୍ଦୀଙ୍କୁ ମୁକ୍ତ କରାଯାଇଛି।

ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷା କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଜେଲ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଜେଲରୁ ମୁକୁଳିଥିବା କଏଦୀଙ୍କ ସଂପର୍କରେ ଏପରି ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ରାଜ୍ୟ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ମଧ୍ୟ ଯୋଗ ଦେଇଥିଲେ। ଜେଲରେ ଭିଡ଼ ପ୍ରସଂଗକୁ କମିଟି ବିଚାରକୁ ନେବା ସହିତ ସୁପ୍ରିମକୋର୍ଟଙ୍କ ରାୟ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।

ମାର୍ଚ୍ଚ ୨୬ ଓ ଏପ୍ରିଲ ୩ରେ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ, କଏଦୀଙ୍କୁ ଅନ୍ତରୀଣ ଜାମିନ, ପାରୋଲ ଓ ଫର୍ଲଗରେ ଛାଡିବା ପ୍ରସଂଗରେ ପଦକ୍ଷେପ ନେବା ଉପରେ କମିଟି ଗୁରୁତ୍ବ‌ାରୋପ କରିଥିଲେ। ରାୟଗଡା, ଧର୍ମଗଡ ଓ ନୂଆପଡା ଜେଲରେ ଅଧିକ ସଂଖ୍ୟକ କଏଦୀ ଥିବା ପ୍ରସଂଗରେ କମିଟି ବିଚାର କରି ଭିଡ଼ ଏଡାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କ ପକ୍ଷରୁ ୩୦ଟି ଜିଲ୍ଲାର ଅଣ୍ଡରଟ୍ରାଏଲ ରିଭ୍ୟୁ କମିଟିର ରିପୋର୍ଟ ଆଧାରରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ତଥ୍ୟରେ ଉଲ୍ଲେଖ କରାଯାଇଥିଲା ଯେ କୌଣସି ଜେଲରେ ‌କଏଦୀ କରୋନା ଭୂତାଣୁ ସଂକ୍ରମିତ ହୋଇ ନାହାନ୍ତି। ୨୨୩୯ ଅସୁସ୍ଥ କଏଦୀଙ୍କ ମଧ୍ୟରୁ ୧୬୮୨ଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି। ଅସୁସ୍ଥ କଏଦୀଙ୍କୁ ତୁରନ୍ତ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ଉଚ୍ଚ କ୍ଷମତା ସଂପନ୍ନ କମିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏପ୍ରିଲ ୧୩ରେ କୋଭିଡ-୧୯ ଆକ୍ରାନ୍ତ କଏଦୀଙ୍କ ପ୍ରସଂଗରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଓ ଏ ସଂପର୍କିତ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ ପାଇଁ କମିଟି ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଜେଲରେ ଭିଡ ଏଡାଇବା ପାଇଁ ତଥା ବନ୍ଦୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କମିଟି କେତେକ ନିୟମାବଳୀ ଜାରି କରିଥିଲେ। ଏପରି ନିୟମାବଳୀ ଆଧାରରେ କର୍ତ୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ବନ୍ଦୀଙ୍କୁ ଯଥାଶୀଘ୍ର ପାରୋଲ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବେ। ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ୭ ବର୍ଷ ବା ତାଠାରୁ କମ୍ କାରାଦଣ୍ଡ ପାଇ ଜେଲରେ ଥିବା ବନ୍ଦୀଙ୍କୁ ପାରୋଲରେ ମୁକ୍ତ କରାଯିବ। ୭ ବର୍ଷ ବା ତାଠାରୁ କମ୍ ଜେଲ ଦଣ୍ଡ ପାଇ ଜେଲରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଯଦି‌ ଗୋଟିଏ ବା ଅଧିକ ବିଚାରାଧୀନ ମାମଲା ରହିଥିବ ତେବେ ମଧ୍ୟ ତାଙ୍କୁ ପାରୋଲ ମିଳିପାରିବ ବୋଲି କମିଟି ନିର୍ଦ୍ଦେଶ ଦେଇଥିଲେ। ବିଚାରାଧୀନ ବନ୍ଦୀଙ୍କ ପ୍ରସଂଗରେ ମଧ୍ୟ କମିଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ। ସର୍ବାଧିକ ଦଣ୍ଡ ୭ ବର୍ଷ ବା ତାଠାରୁ କମ୍ ଦଣ୍ଡ ଥିବା ମାମଲାରେ ଗିରଫ ହୋଇ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ଉପଯୁକ୍ତ କୋର୍ଟଙ୍କୁ ଅନୁମୋଦନ କରାଯିବ ବୋଲି କମିଟି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe