ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ସବୁ ଜେଲ୍‌ରେ କ୍ଷମତାରୁ ଅଧିକ କଏଦୀ

Advertisment

ଯୁବ ବନ୍ଦୀ ଅଲଗା ରହିବେ, ୨୮୬ ମାନସିକ ରୋଗାକ୍ରାନ୍ତ ବନ୍ଦୀଙ୍କ ତୁରନ୍ତ ଚିକିତ୍ସା ହେବ

ଯୁବ ବନ୍ଦୀ ଅଲଗା ରହିବେ, ୨୮୬ ମାନସିକ ରୋଗାକ୍ରାନ୍ତ ବନ୍ଦୀଙ୍କ ତୁରନ୍ତ ଚିକିତ୍ସା ହେବ

ହାଇକୋର୍ଟରେ ଜେଲ୍‌ ସଂସ୍କାର ମାମଲା: ସବୁ ଜେଲ୍‌ରେ କ୍ଷମତାରୁ ଅଧିକ କଏଦୀ

କଟକ : ରାଜ୍ୟର ସବୁ ଜେଲ୍‌ରେ ଭିଡ଼ ଏଡାଇବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜେଲ ସଂସ୍କାର ସଂପର୍କିତ ମାମଲାର ଶୁଣାଣିରେ ସ୍ପଷ୍ଟ ହୋଇଥିଲା ଯେ ବାଲିଗୁଡା ଓ ଯାଜପୁର ସବ୍-ଜେଲରେ ଯେତିକି ବନ୍ଦୀ ରହିବା କଥା ତା ଠାରୁ ଶତ ପ୍ରତିଶତରୁ ଅଧିକ ଏବେ ରହିଛନ୍ତି। ସେହିଭଳି ଭାବେ ଫୁଲବାଣୀ ଭଦ୍ରକ, ମାଲକାନଗିରି ସମେତ ୪ଟି ଜେଲରେ ୨୦ରୁ ୫୦ରୁ ଶତ ପ୍ରତିଶତ, ୧୫ଟି ଜେଲରେ ୨୦ରୁ ୫୦ ପ୍ରତିଶତ ଅଧିକ ବନ୍ଦୀ ରହିଥିବା ଜଣା ପଡିଥିଲା। ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ବନ୍ଦୀ ରହୁଥିବା ଜେଲ ଗୁଡିକରେ ଭିଡ ଏଡାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାଖରେ ଥିବା ଜେଲକୁ ଏପରି ବନ୍ଦୀଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୟିକ ଭାବେ ସମସ୍ୟା ସମାଧାନ ପାଇଁ ବନ୍ଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବ। କିନ୍ତୁ ସ୍ଥାୟୀ ସମାଧାନ ପାଇଁ ଜେଲ ଗୁଡିକର କ୍ଷମତା ବୃଦ୍ଧି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଜେଲରେ ରହୁଥିବା ୨୮୬ ଜଣ ବନ୍ଦୀ ମାନସିକ ରୋଗରେ ଆକ୍ରାନ୍ତ ଥିବା ଆଜି ଶୁଣାଣି ସମୟରେ ଆମିକସ୍ କ୍ୟୁରୀଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହା ଏକ ଚିନ୍ତାର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। କେବଳ ଚୌଦ୍ବାର ଜେଲରେ ଜଣେ ମନସ୍ତତ୍ତ୍ବବିଦ ରହିଥିବା ଜଣା ପଡିଥିଲା। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସବୁ ଜେଲରେ ମାନସିକ ରୋଗରେ ଆକ୍ରାନ୍ତ ଥିବା ବନ୍ଦୀଙ୍କ ଚିକିତ୍ସା ପାଇଁ ମନସ୍ତତ୍ତ୍ବବିଦଙ୍କୁ ନିୟୋଜନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଯୁବ ବନ୍ଦୀଙ୍କୁ ଅନ୍ୟ ବୟସ୍କ ବନ୍ଦୀଙ୍କ ଠାରୁ ପୃଥକ ଭାବେ ରଖିବାକୁ ହାଇକୋର୍ଟ କହିଛନ୍ତି। ୧୮ରୁ ୨୧ ବର୍ଷ ବୟସର ବନ୍ଦୀଙ୍କୁ ଅନ୍ୟ ବନ୍ଦୀଙ୍କ ଠାରୁ ଅଲଗା ରଖାଯିବ। ଏଥି ସହିତ ଦୋଷୀ ସାବ୍ୟସ୍ତ ଓ ବିଚାରାଧୀନ ବନ୍ଦୀଙ୍କୁ ପୃଥକ ଭାବେ ରଖାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜେଲ ଉନ୍ନୟନ ବୋର୍ଡର ବୈଠକ ଜୁନ ଭିତରେ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ୨୮ ଜୁଲାଇକୁ ଧାର୍ଯ୍ୟ କରାଯାଇଛି। ଜେଲ ଗୁଡିକର ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe