କଏଦୀଙ୍କ ଖାଦ୍ୟ ଟଙ୍କା ଖାଇଦେଲେ ଜେଲର୍‌! କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲା ଭିଜିଲାନ୍ସ

Advertisment
କଏଦୀଙ୍କ ଖାଦ୍ୟ ଟଙ୍କା ଖାଇଦେଲେ ଜେଲର୍‌! କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲା ଭିଜିଲାନ୍ସ

ବଲାଙ୍ଗୀର/ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରେ ଜେଲର ଥିବା ଆଲୋକ କରଙ୍କ ବିରୋଧରେ ସରକାରୀ ଅର୍ଥ ତୋସରପାତ ଅଭିଯୋଗ ଆସିଛି। ସେ ବଲାଙ୍ଗୀର ଜେଲ୍‌ରେ ଜେଲର ଥିବା ବେଳେ ଆର୍ଥିକ ଅନିୟମିତତା ହୋଇଥିଲା। ସରକାରୀ ଟଙ୍କାକୁ ସେ ବ୍ୟକ୍ତିଗତ ଟଙ୍କା ଭଳି ଖର୍ଚ୍ଚ କରିଥିବା ନେଇ ଅଡିଟ୍‌ରେ ଧରାପଡ଼ିଥିଲା। ପରେ ଏ ନେଇ ଭିଜିଲାନ୍ସ ତଦନ୍ତ ହେବା ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ସମ୍ବଲପୁର ମଣ୍ଡଳ କାରାଗାରକୁ ଜେଲ୍‌ ଡିଜିଙ୍କ ଗସ୍ତ ପରେ ଏହି ଖବର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ ଶ୍ରୀ କର ବଲାଙ୍ଗୀରରେ ଜେଲର ଥିବା ସମୟରେ ଚର୍ଚ୍ଚାରେ ଥିଲେ। କଏଦୀମାନଙ୍କ ଖାଦ୍ୟପେୟରୁ ବାଟମାରଣା ନେଇ ଅଭିଯୋଗ ଉଠୁଥିଲା। ଏକଦା ଅନ୍ତେବାସୀମାନେ ଜେଲ ଭିତରେ ଅନଶନ କରିଥିଲେ। ପରେ ଅଡିଟ୍‌ ବେଳେ ଅନିୟମିତତାର ଚିତ୍ର ପଦାକୁ ଆସିଥିଲା। ଅନ୍ତେବାସୀଙ୍କ ପାଇଁ ଆସୁଥିବା ଖାଦ୍ୟପେୟ ବାବଦକୁ ସେ ଜିଲ୍ଲା ଟ୍ରେଜେରିରୁ ୧୯.୫ଲକ୍ଷ ଟଙ୍କା ଉଠାଇଥିଲେ। ସେଥିରୁ ଜେଲ୍‌କୁ ସାମଗ୍ରୀ ଯୋଗାଉଥିବା ସପ୍ଲାୟରମାନଙ୍କୁ ଟଙ୍କା ପଠାଇଥିଲେ। ଆଉ କିଛି ଟଙ୍କା ଜେଲ୍‌ର କରେଣ୍ଟ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜେଲ ଆକାଉଣ୍ଟରୁ ନିଜସ୍ୱ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରିଥିଲେ। ଯାହାକି ନିୟମବିରୋଧୀ।

ଏଭଳି ଅନିୟମିତତା ନେଇ ଅଡିଟ ଧରିବା ପରେ ଜେଲରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେବାକୁ ନିର୍ଦେଶ କରିଥିଲା। ଏହି ମାମଲାର ତଦନ୍ତ ବଲାଙ୍ଗୀର ଭିଜିଲାନ୍ସ କରିଥିଲା। କିଛି ଦିନ ତଳେ ଭିଜିଲାନ୍ସ ସବୁ ଘଟଣାର ତଦନ୍ତ କରି ଜେଲ ପ୍ରଶାସନକୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe