ଜୟପୁର କୋଭିଡ୍‌ ହସ୍‌ପିଟାଲର ଭିତିରି କଥା, ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି କିଏ?

Advertisment

୫ ଡାକ୍ତରଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ, ଦୁଇ ଡାକ୍ତରଙ୍କୁ କୈଫିୟତ୍ ତଲବ

୫ ଡାକ୍ତରଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ, ଦୁଇ ଡାକ୍ତରଙ୍କୁ କୈଫିୟତ୍ ତଲବ

ଜୟପୁର କୋଭିଡ୍‌ ହସ୍‌ପିଟାଲର ଭିତିରି କଥା, ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି କିଏ?

News India

ଜୟପୁର ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜିଲ୍ଲାସ୍ତରରେ କୋଭିଡ୍ ହସ୍‌ପିଟାଲ ନିର୍ମାଣ କଲେ। ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକୀୟ ଯନ୍ତ୍ରାପାତି ବି ଲଗାଗଲା। ଚିକିତ୍ସା ନିମନ୍ତେ ଜିଲ୍ଲାସ୍ତରରେ ଡାକ୍ତରଙ୍କୁ ତାଲିମ ପରେ ଦାୟିତ୍ବ ଦିଆଗଲା। ସଚିବ ସ୍ତରୀୟ ଅଧିକାରୀ ଘନ ଘନ ଗସ୍ତ କରି ଅନୁଧ୍ୟାନ କଲେ। କିନ୍ତୁ ଆକ୍ରାନ୍ତ ପହଞ୍ଚିବା ବେଳକୁ ଚିକିତ୍ସା ପାଇଁ ଡାକ୍ତର କୁନ୍ଥକୁନ୍ଥ ହେବା ଆରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ କୋଭିଡ୍ ହସ୍‌ପିଟାଲରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଦୁଇ ଯୁବ ଡାକ୍ତର କ୍ରମାଗତ ତିନି ସପ୍ତାହ ଧରି କୋଭିଡ୍ ହସପିଟାଲରେ କାମ କରିବା ପରେ ଅଦଳ ବଦଳ ପ୍ରକ୍ରିୟାରେ ନୂତନ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଉନାହିଁ। ତେଣୁ ଏହାର ପ୍ରତିବାଦ କରି ଆଜି ଦୁଇ ଯୁବ ଡାକ୍ତର କାର୍ଯ୍ୟରେ ଯୋଗ ଦେଇନଥିଲେ। ଏଥିପାଇଁ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ଦୁଇ ଯୁବ ଡାକ୍ତରଙ୍କୁ କୈଫିୟତ ତଲବ କରାଯାଇ ତରବରିଆ ଭାବେ ଅନ୍ୟ ୫ଜଣ ଡାକ୍ତରଙ୍କୁ ଏଠାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜୟପୁର କୋଭିଡ୍ ହସ୍‌ପିଟାଲ ପାଇଁ ୨୭ଜଣ ଡାକ୍ତରଙ୍କ ସମେତ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଗତକାଲି ସୁଦ୍ଧା କୋଭିଡ୍-୧୯ ତାଲିମପ୍ରାପ୍ତ ଡାକ୍ତର ଜ୍ୟୋତି ପ୍ରକାଶ ପଣ୍ଡା ଏବଂ ଡାକ୍ତର ଅକ୍ଷୟ କୁମାର ସାହୁ ହିଁ ଏଠାରେ ନିୟମିତ ରହି ଆସୁଥିଲେ। ଅନ୍ୟ ଡାକ୍ତରମାନେ ନିଜ ନିଜ ସ୍ଥାନରେ ପୂର୍ବଭଳି କାର୍ଯ୍ୟ କରୁଥିଲେ। କିନ୍ତୁ ଗତକାଲି ଜିଲ୍ଲାର ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ଏଠାରେ ଭର୍ତ୍ତି ହେବାପରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ହସ୍‌ପିଟାଲ ପରିଚାଳନାରେ ରହିଥିବା ତ୍ରୁଟି ମଧ୍ୟ ପଦାକୁ ଆସିଛି। ଦୁଇ ଡାକ୍ତର କ୍ରମାଗତ ଭାବେ ୨୧ଦିନ କାମ କରିବା ପରେ ମଧ୍ୟ ତାଙ୍କ ସ୍ଥାନ ନେବାକୁ ଅନ୍ୟ କୌଣସି ଡାକ୍ତର ଆସି ନଥିଲେ। ତେଣୁ ଉଭୟ ପ୍ରତିବାଦ କରିବାକୁ ବାଧ୍ୟ ହୋଇଥିଲେ। ଏପରିକି ଆଜି ଏହି ଦୁଇ ଯୁବ ଡାକ୍ତର କାର୍ଯ୍ୟରେ ଯୋଗ ନଦେବା ଫଳରେ କାର୍ଯ୍ୟରେ ଅବହେଳା ଦର୍ଶାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ କୈଫିୟତ୍ ତଲବ କରିଛନ୍ତି।

ଏ ସଂପର୍କରେ ସିଡିଏମ୍‌ଓଙ୍କ ସହ ଯୋଗାଯୋଗ କରାଯିବାରୁ କୋଭିଡ୍ ହସ୍‌ପିଟାଲରେ କାମ କରୁଥିବା ଦୁଇ ଯୁବ ଡାକ୍ତର କାର୍ଯ୍ୟରେ ଅବହେଳା କରିଥିବାରୁ କୈଫିୟତ ମଗାଯାଇଛି ଏବଂ ନୂଆ ତାଲିମପ୍ରାପ୍ତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଲିମପ୍ରାପ୍ତ ଅନ୍ୟ ଡାକ୍ତରଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି। କୋଭିଡ୍ ହସ୍‌ପିଟାଲର ନୋଡାଲ୍ ଅଧିକାରୀ ଡା. ବିଶ୍ବାଳ କହିଛନ୍ତି, ଦୁଇ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିଜେ କରୁଥିବା ପ୍ରକାଶ କରି ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ କୋଭିଡ୍ ହସ୍‌ପିଟାଲ ପାଇଁ ତାଲିମପ୍ରାପ୍ତ ଡାକ୍ତରୀ ଦଳକୁ ଦାୟିତ୍ବ ଦିଆଯାଇଛି ଏବଂ ସେମାନେ ରୋଟେସନ୍ ଭିତ୍ତିରେ କାମ କରିବେ। ଡାକ୍ତରଙ୍କ ରହିବା ପାଇଁ ବି ବ୍ୟବସ୍ଥା କରାଯାଇଛି। ତେବେ କାହିଁକି ଦୁଇ ଡାକ୍ତରଙ୍କୁ କ୍ରମାଗତ ଭାବେ ୨୧ଦିନ ପର୍ଯ୍ୟନ୍ତ ନିୟୋଜିତ କରାଯାଇଛି ତାହାର ତଦନ୍ତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe