ଦିବ୍ୟାଙ୍ଗଙ୍କୁ ସଂପୂର୍ଣ୍ଣ ସକ୍ଷମ କରିବ ଜୟପୁର ଫୁଟ୍‌: ମୁଖ୍ୟମନ୍ତ୍ରୀ

Advertisment

ଗୁରୁଜଙ୍ଗରେ ଜୟପୁର ଫୁଟ୍‌ ନିର୍ମାଣ କେନ୍ଦ୍ର ଉଦ୍‌ଘାଟିତ

ଗୁରୁଜଙ୍ଗରେ ଜୟପୁର ଫୁଟ୍‌ ନିର୍ମାଣ କେନ୍ଦ୍ର ଉଦ୍‌ଘାଟିତ

ଦିବ୍ୟାଙ୍ଗଙ୍କୁ ସଂପୂର୍ଣ୍ଣ ସକ୍ଷମ କରିବ ଜୟପୁର ଫୁଟ୍‌: ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା : ‘‘ଦିବ୍ୟାଙ୍ଗମାନେ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ବ। ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଜୟପୁର ଫୁଟ୍, ଏହି କ୍ଷେତ୍ରରେ ଏକ ଅନନ୍ୟ ଉତ୍ପାଦନ। ଏହା ଦିବ୍ୟାଙ୍ଗମାନଙ୍କୁ ସଂପୂର୍ଣ୍ଣ ସକ୍ଷମ କରିପାରିବ।’ ବୁଧବାର ଦିନ ଗୁରୁଜଙ୍ଗଠାରେ ରାଜ୍ୟର ପ୍ରଥମ ଜୟପୁର ଫୁଟ୍ ନିର୍ମାଣ କେନ୍ଦ୍ର ‘ବିଜୁ-ମହାବୀର ଜୟପୁର ଫୁଟ୍‌’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଥିଲେ, ଥଇଥାନ ଓ ତାଲିମ ଦ୍ବାରା ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ଖୋର୍ଦ୍ଧାରେ ଆରମ୍ଭ ହୋଇଥିବା ଜୟପୁର ଫୁଟ୍ କେନ୍ଦ୍ର ଏକ ବିଶେଷ ଭୂମିକା ଗ୍ରହଣ କରିବ। ଏହାକୁ ବ୍ୟବହାର କରି ଦିବ୍ୟାଙ୍ଗମାନେ ଚାଲିବା, ଦୌଡ଼ିବାଠାରୁ ଆରମ୍ଭ ଦୈନନ୍ଦିନ ଜୀବନର ଅନେକ କାମ ସୁରୁଖୁରରେ ସମ୍ପାଦନ କରିପାରିବେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ତା କହିଥିଲେ, ରାଜ୍ୟରେ ଦିବ୍ୟାଙ୍ଗଙ୍କ ସଶକ୍ତୀକରଣ ପାଇଁ ଯେଉଁ ଅଭିଯାନ ଚାଲିଛି, ସେଥିରେ ଏହି କେନ୍ଦ୍ର ଏକ ଗୁରୁତ୍ବପୂର୍ଣ୍ଣ ଓ ଯୁଗାନ୍ତକାରୀ ପଦକ୍ଷେପ।

publive-image

ଜୟପୁର ଫୁଟ୍ କେନ୍ଦ୍ରର ପ୍ରତିଷ୍ଠାତା ଡ.ଡିଆର୍ ମେହେଟ୍ଟା ସ୍ବାଗତ ଭାଷଣ ଦେଇଥିଲେ। ସେ କହିଥିଲେ, ତାଙ୍କ ସଂସ୍ଥା ୫୦ ବର୍ଷ ଧରି ଦିବ୍ୟାଙ୍ଗଙ୍କୁ ସକ୍ଷମ କରିବା ଦିଗରେ କାମ କରିଆସିଛି। ଏହି କେନ୍ଦ୍ରରେ ଲୋକଙ୍କ ଆବଶ୍ୟକତାକୁ ନେଇ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯିବ। ଭ୍ରାମ୍ୟମାଣ ଯାନ ଜରିଆରେ ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜୟପୁର ଫୁଟ୍ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ସତୀଶ ମେହେଟ୍ଟା, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ସହ ବିଭିନ୍ନ ବ୍ଲକ୍‌ର ବିଡିଓ, ତହସିଲଦାର୍‌ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ୧୬ଜଣଙ୍କୁ କୃତ୍ରିମ ଅଙ୍ଗ, ୮ ଜଣଙ୍କୁ ତିନିଚକିଆ ସାଇକେଲ୍, ୧୭ ଜଣଙ୍କୁ ହ୍ବିଲ୍ ଚେୟାର, ୩୩ଜଣଙ୍କୁ ଆଶାବାଡ଼ି, ୪ ଜଣଙ୍କୁ ଏଲ୍‌ବୋ କ୍ରେଚ୍, ୪ ଜଣଙ୍କୁ ୱାକିଂ ଷ୍ଟିକ୍ ଓ ୫ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡା.ଡିଆର୍ ମେହେଟ୍ଟାଙ୍କ ଦ୍ବାରା ୧୯୭୫ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏକ ସ୍ବେଚ୍ଛାସେବୀ ସଂସ୍ଥା। ଖୋର୍ଦ୍ଧା–ଗୁରୁଜଙ୍ଗରେ ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପାଇଁ ରାଜ୍ୟ ସରକାର ଗୃହ ଯୋଗାଇ ଦେଇଥିବା ବେଳେ ଯେଉଁ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଦିଆଯିବ ସେ ବାବଦକୁ ରାଜ୍ୟ ସରକାର ୫୫୦୦ଟଙ୍କା ସହାୟତା ରାଶି ସଂସ୍ଥାକୁ ପ୍ରଦାନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe