ଯାଜପୁରସଦର: ପର୍ଯ୍ୟଟନର ବିକାଶ ହେବ। ପୁରୁଣା ରାଜଧାନୀକୁ ନୂଆ ପର୍ଯ୍ୟଟକ ଆସିବେ। ଏହି ଆଶାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଶହଶହ କୋଟିର ପ୍ରକଳ୍ପ ଯାଜପୁର ଜିଲ୍ଲାକୁ ଅଜାଡ଼ି ଦେଇଛି। ଏହି ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ନିର୍ମାଣ ହୋଇଥିଲେ ହେଁ ଆଜିଯାଏ କାର୍ଯ୍ୟରେ ଲାଗିପାରୁନାହିଁ। କୋଉଠି ପ୍ରକଳ୍ପ ଭୂତକୋଠି ପାଲିଟିଲାଣି ତ ଆଉ କୋଉଠି ପ୍ରକଳ୍ପ ଭାଙ୍ଗିବା ସ୍ଥିତିରେ ଅଛି। କେବେ ଏହା ଲୋକଙ୍କ କାର୍ଯ୍ୟରେ ଲାଗିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ସହରର ପ୍ରବେଶପଥ ଷଠିପୁରଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଯାଯାବର’ ଆଶ୍ରୟସ୍ଥଳ ନିର୍ମାଣ ସରିଥିଲେ ଏହା କାମରେ ଲାଗିନି। ଜାତୀୟ ରାଜପଥ ଦେଇ ଯାଉଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ କୋଲକାତା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ଷଠିପୁରଠାରେ ୨୦୧୫-୧୬ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ୧କକୋଟି ଟଙ୍କା ବ୍ୟୟରେ ‘ଯାଯାବର’ ନିର୍ମାଣ ହୋଇ କାମରେ ଲାଗିପାରିନି। ବର୍ଷ ବର୍ଷ ଧରି ପଡ଼ି ରହିଥିବା ଏହି ବଡ଼ ପ୍ରକଳ୍ପଟି କାହିଁକି ନିର୍ମାଣ ହୋଇଛି, କେହି ବି ଜାଣି ପାରୁନାହାନ୍ତି। ଏହି ପ୍ରକଳ୍ପ ଜରିଆରେ ପଥଚାରୀଙ୍କ ପାଇଁ ବିବିଧ ସୁବିଧା କରାଯିବାକୁ ଯୋଜନା ରହିଥିଲା। ଏଠାରେ ବିଶ୍ରାମଠାରୁ ଆରମ୍ଭ କରି ଶୌଚାଳୟ, ଖାଦ୍ୟପେୟ ବ୍ୟବସ୍ଥା ପରି ଅନେକ ସୁବିଧା ହେବାର ରହିଥିଲା। ୩/୪ ବର୍ଷ ହେବ ଏହା ନିର୍ମାଣ ଶେଷ ହୋଇ ତାଲା ପଡ଼ିଛି।
ଏହି ଘର ଏବେ ସ୍ଥାନୀୟ କିଛି ଠିକାଦାରଙ୍କ କବଜାରେ ରହିଥିବାର ଅଭିଯୋଗ ହେଉଛି। ଏହାର କିଛି ଜାଗା ଶ୍ରମିକମାନଙ୍କ ବାସସ୍ଥାନ ପାଲଟିଛି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ଜାତୀୟ ରାଜପଥ ସଂପ୍ରସାରଣ ସମସ୍ୟା ସୃଷ୍ଟି କରୁଛି। ଯାହାକି ବ୍ୟବହାର କରାଯିବ କି ଭଙ୍ଗା ଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଏନେଇ ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।
Follow Us