ଯାଜପୁର ପୂର୍ତ୍ତ ବିଭାଗରେ ଦୁର୍ନୀତି : ଅଢେଇ କୋଟିର ପାଚେରି କାମକୁ ୫୨ ଗୁପ୍ତ ଟେଣ୍ଡର

Advertisment

୩୭ଲକ୍ଷ ଟଙ୍କା ରାଜସ୍ବ କ୍ଷତି

୩୭ଲକ୍ଷ ଟଙ୍କା ରାଜସ୍ବ କ୍ଷତି

ଯାଜପୁର ପୂର୍ତ୍ତ ବିଭାଗରେ ଦୁର୍ନୀତି : ଅଢେଇ କୋଟିର ପାଚେରି କାମକୁ ୫୨ ଗୁପ୍ତ ଟେଣ୍ଡର

ଯାଜପୁର/ଟାଉନ୍ : ଯାଜପୁର ପୂର୍ତ୍ତ ସବ୍‌ଡିଭିଜନ୍‌ରେ ଗୁପ୍ତ ଟେଣ୍ଡର ମାଧ୍ୟମରେ ଲୁଟ୍‌ ହେଉଛି କୋଟି ‌କୋଟି ଟଙ୍କା। ପ୍ରକଳ୍ପ ପାଇଁ ଖୋଲା ଟେଣ୍ଡର ଆହ୍ବାନ ନକରି ଛୋଟ ଛୋଟ କାମରେ ଭାଗ କରି ମିଳିମିଶି ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହେଉଛି। ଅଢେଇ କୋଟି ଟଙ୍କା‌ର ଏକ ପ୍ରକଳ୍ପକୁ ୫ଲକ୍ଷ ଟଙ୍କାରୁ କମ୍ ପରିମାଣର ୫୨ ଭାଗ କରି ଗୁପ୍ତ ଟେଣ୍ଡର ଜରିଆରେ ୫ଜଣ ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି। ଏହି ଗୁପ୍ତ ଟେଣ୍ଡର ପାଇଁ ସରକାର ୧୪.୯୯ ପ୍ରତିଶତ (ଲେସ୍‌ ଆମାଉଣ୍ଟ) ହିସାବରେ ୩୭ଲକ୍ଷ ଟଙ୍କା ରାଜସ୍ବ ହରାଇଛନ୍ତି। ଏକ ବଡ଼ ପ୍ରକଳ୍ପକୁ ‌ଭାଗ ଭାଗ କରାଯିବା ଏବଂ ୫ଜଣ ଠିକାଦାରଙ୍କୁ କାର୍ଯ୍ୟର ଦାୟିତ୍ବ ଦିଆଯିବା ପଛର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ ଉଠୁଛି। ସରକାର ଖର୍ଚ୍ଚ କାଟ, ରାଜସ୍ବ ବୃଦ୍ଧିକୁ ଗୁରୁତ୍ବ ଦେଉଥିବା ବେଳେ ଗୁପ୍ତ ଟେଣ୍ଡର ଦ୍ବାରା ହେଉଥିବା କ୍ଷତିକୁ କିଏ ଭରଣା କରିବ ବୋଲି ପ୍ରଶ୍ନ ହେଉଛି।

ଯାଜପୁର ପୂର୍ତ୍ତ ବିଭାଗ ସବଡିଭିଜନ୍ ପକ୍ଷରୁ ଯାଜପୁର ସହରର ପ୍ରବେଶ ପଥରେ ଷଠିପୁର-ଯାଜପୁର-ମଙ୍ଗଳପୁର- କୟାଁଗୋଲା ରାସ୍ତାର ୧୧.୭୭୧ କି‌ମି ରୁ ୧୪.୦୧୭କିମି (ମୁକେଇପୁର ଠାରୁ ତନଖି ଫାଟକ) ପାର୍ଶ୍ବରେ ଇଟା ପାଚେରି ନିର୍ମାଣ ଚାଲିଛି। ଏହି ପାଚେରି ପାଇଁ ୨କୋଟି ୫୦ଲକ୍ଷ ୬୯ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏହାକୁ ଖୋଲା ଟେଣ୍ଡର ନକରି ୫୨ଟି ଭାଗ କରାଯାଇଛି। ପ୍ରତ୍ୟେକ ଅଂଶର ମୂଲ୍ୟ ୫ଲକ୍ଷ ଟଙ୍କାରୁ କମ୍ ଦର୍ଶାଯାଇ ଦୁଇ ଦୁଇ ଜଣ ଠିକାଦାରଙ୍କ ମଧ୍ୟରେ ଭିତିରି ବୁଝାମଣା କରାଯାଇ ସବଡିଭିଜନ୍ ସ୍ତରରେ ଗୁପ୍ତ ଟେଣ୍ଡର କରାଯାଇଛି। ଗୋଟିଏ ଗୋଟିଏ ଦିନରେ ଜଣେ ଜଣେ ଠିକାଦାରଙ୍କ ନାମରେ ଏକାଧିକ ଗୁପ୍ତ ଟେଣ୍ଡର କରାଯାଇଛି।

ସୂଚନା ଅଧିକାର କର୍ମୀ ସୁଦୀପ୍ତ ପଣ୍ଡାଙ୍କ ଆର୍‌ଟିଆଇ ତଥ୍ୟ ମୁତାବକ ସଙ୍ଗୀତା ଧଳଙ୍କ ନାମରେ ୧୧ଟି ଗୁପ୍ତ ଟେଣ୍ଡର ୨୦୨୦ ଫେବ୍ରୁଆରି ୧୧ତାରିଖରେ କରାଯାଇଛି। ପ୍ରତ୍ୟେକର ମୂଲ୍ୟ ୪ଲକ୍ଷ ୩୫ହଜାର୯୩୩ ଟଙ୍କା ବୋଲି ଦର୍ଶାଯାଇଛି। ସେହିପରି ସୁକାନ୍ତି ଖୁଣ୍ଟିଆଙ୍କ ନାମରେ ୨୦୨୦ ଫେବ୍ରୁଆରି ୧୦ ତାରିଖରେ ୧୧ଟି ଗୁପ୍ତ ଟେଣ୍ଡର କରାଯାଇଛି। ୨ଟି କାମକୁ ବାଦ୍‌ ଦେଲେ ସୁକାନ୍ତିଙ୍କ ନାମରେ ୪ଲକ୍ଷ ୩୫ହଜାର ୯୩୩ ଟଙ୍କାର ୯ଟି ଗୁପ୍ତ ଟେଣ୍ଡର କରଯାଇଛି। ସେହିପରି ଫେବ୍ରୁଆରି ୧୦ ତାରିଖରେ ସେକ୍ ସଲାଉଦ୍ଧିନଙ୍କ ନାମରେ ୯ଟି ଗୁପ୍ତ ଟେଣ୍ଡର, ଫେବ୍ରୁଆରି ୭ ତାରିଖରେ ସୁଧାକର ନାୟକ ନାମରେ ୬ଟି ଓ ଦିଲ୍ଲୀପ ଜେନାଙ୍କ ନାମରେ ୬ଟି ଗୁପ୍ତ ଟେଣ୍ଡର କରାଯାଇଛି। ଖୋଲା ଟେଣ୍ଡରକୁ ଏଡ଼ାଇବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ କାମକୁ ଭାଗ ଭାଗ କରି ୫ଲକ୍ଷ ଟଙ୍କାରୁ କମ୍ କରାଯାଇଛି। ଏହି କାମରେ ମଧ୍ୟ ବ୍ୟାପକ ‌ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏସ୍‌ଡିଓ ଅଶୋକ ଲେଙ୍କାଙ୍କୁ ଯୋଗାଯୋଗ କରାଯିବାରେ କାମ ଜରୁରି ଥିବାରୁ ଏଭଳି ଭାଗଭାଗ କରାଯାଇଛି। ଏହା ମଧ୍ୟ ଏକ ପ୍ରକାର ଟେଣ୍ଡର, ଖୋଲା ଟେଣ୍ଡର ବିଳମ୍ବ ହେବ ବୋଲି କରାଯାଇ ନାହିଁ ବୋଲି ଶ୍ରୀ ଲେଙ୍କା ସଫେଇ ଦେଇଛନ୍ତି।

ପ୍ରକାଶଥାଉକି, ଏହି କାମ ୫/୬ ମାସ ହେଲାଣି ଚାଲିଛି। ତେବେ କେଉଁ ଜରୁରି ପରିସ୍ଥିତିରେ ଖୋଲା ଟେଣ୍ଡର କରାନଯାଇ ଏଭଳି ଗୁପ୍ତ ଟେଣ୍ଡର ମାଧ୍ୟମରେ ମୁଷ୍ଟିମେୟ ଠିକାଦାରଙ୍କ ମଧ୍ୟରେ ଅଢେଇ କୋଟି ଟଙ୍କାର କାମ ବାଣ୍ଟି ଦିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଅନୁସନ୍ଧାନ କଲେ ମହାଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ବିଭିନ୍ନ ମହଲରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe