ଯାଜପୁର ବିଜେଡି ରାଜନୀତି : ୩ ବିଧାୟକଙ୍କୁ ଟିକେଟ,୪ ଝୁଲିଲେ, ରୀତାଙ୍କ ଇନିଂସ ଶେଷ

Advertisment
ଯାଜପୁର ବିଜେଡି ରାଜନୀତି : ୩ ବିଧାୟକଙ୍କୁ ଟିକେଟ,୪ ଝୁଲିଲେ, ରୀତାଙ୍କ ଇନିଂସ ଶେଷ

ଯାଜପୁର : ବିଜେଡି ଗଡ଼ ଯାଜପୁର ଜିଲ୍ଲାର ୭ଟି ଆସନ ପାଇଁ ଶାସକ ଦଳ ବିଜେଡି ପ୍ରାର୍ଥୀ ଘୋଷଣା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଆଜି ଆଂଶିକ ପୂର୍ଣ୍ଣଛେଦ ପଡ଼ିଛି।

ଯାଜପୁର ସଂସଦୀୟ କ୍ଷେତ୍ର ପାଇଁ ସଦ୍ୟ ପ୍ରଶାସନିକ ସେବା ଚାକିରିରୁ ଅବସର ନେଇଥିବା ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିଥିବା ବେଳେ ୭ଟି ବିଧାନସଭା ମଧ୍ୟରୁ ୩ଟି ଧର୍ମଶାଳା, ସୁକିନ୍ଦା ଓ ବିଂଝାରପୁର ବିଧାୟକଙ୍କ ଉପରେ ଦଳର ମୁଖିଆ ଆସ୍ଥା ପ୍ରକଟ କରିଛନ୍ତି। ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ସୁକିନ୍ଦାରୁ ଇଂ ପ୍ରୀତିରଂଜନ ଘଡ଼ାଇ ଓ ବିଂଝାରପୁରରୁ ପ୍ରମିଳା ମଲିକଙ୍କ ନାମ ଆଜି ଘୋଷଣା କରାଯାଇଛି। ବଡ଼ଚଣା, ବରୀ, କୋରେଇ ଓ ଯାଜପୁର ସଦର ଆସନ ପାଇଁ କାହାରି ନାମ ଘୋଷଣା କରାଯାଇନାହିଁ। ଫଳରେ ଏହି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କର ସମର୍ଥକଙ୍କ ମଧ୍ୟରେ ଆଶା ଦିନକୁ ଦିନ ଆଶଙ୍କାରେ ପରିଣତ ହୋଇଛି। ଏପରିକି ମହିଳା କାର୍ଡ ଦଳର ମୁଖିଆ ଖେଳୁଥିବାରୁ ସାଂସଦ ରୀତା ତରାଇ ପୁଣି ସୁଯୋଗ ପାଇବେ ବୋଲି ଆଲୋଚନା ହେଉଥିଲା। ମାତ୍ର ଶ୍ରୀମତୀ ସେଠୀ ଯେବେ ଠାରୁ ଚାକିରିରୁ ଅବସର ନେଲେଣି ସେବେ ଠାରୁ ରୀତାଙ୍କ ଇନିଂସ୍ ଶେଷ ହେଲା ବୋଲି ସ୍ପଷ୍ଟ ହୋଇଯାଇଥିଲା।

ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କୁ ପରିବର୍ତ୍ତନ କରାଯିବ ବୋଲି ବିରୋଧୀ ଓ ପ୍ରତିଦ୍ବନ୍ଦ୍ବୀମାନେ ଆଲୋଚନା କରୁଥିଲେ। ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ କରିବା ବେଳେ ଜାରକା ସଭାରେ ଜିତୁଙ୍କୁ ଲୋକମାନେ ଆଶୀର୍ବାଦ କରିବାକୁ କହିବା ଢଙ୍ଗରୁ ଏହା ସ୍ପଷ୍ଟ ହୋଇଯାଇଥିଲା। ପ୍ରତିଦ୍ବନ୍ଦ୍ବୀ ଓ ବିରୋଧୀ ଜିତୁଙ୍କ ଟିକେଟ୍ କାଟିବା ପାଇଁ କରିଥିବା ସମସ୍ତ ଉଦ୍ୟମ ବିଫଳ ହୋଇଛି। ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ(ଡାନି)ଙ୍କ ଟିକେଟ୍ କାଟିବା ପାଇଁ ବିଦ୍ରୋହୀ କରିଥିବା ସବୁ ରଣ କୌଶଳ ବିଫଳ ହୋଇଛି। ଦଳରୁ ବହିଷ୍କୃତ ହୋଇଥିବା ବର୍ଷିୟାନ୍ ନେତା ପ୍ରଫୁଲ୍ଲ ଘଡ଼ାଇଙ୍କୁ ମୁଖ୍ୟମନ୍ତ୍ରୀ ଦଳରେ ସାମିଲ କରିବା ଘଟଣାରୁ ଡାନିଙ୍କ ପ୍ରତି ତାଙ୍କର ଶୁଭ ଦୃଷ୍ଟି ଥିବାର ସ୍ପଷ୍ଟ ହୋଇଯାଇଥିଲା। ସେହିପରି ବଂଝାରପୁର ନିର୍ବାଚନ ମଣ୍ଡଳୀକୁ ଅଣ କଂଗ୍ରେସ ଦୁର୍ଗରେ ପରିଣତ କରିଥିବା ପ୍ରମିଳା ମଲିକଙ୍କୁ ହଟାଇବା ପାଇଁ ଯେଉଁ ଯୋଜନା କରାଯାଇଥିବା ଶ୍ରୀମତୀ ମଲିକ ତାର ଦୃଢ ବିରୋଧ କରିବା ଫଳରେ ପୁଣି ସେ ନିଜ ଆସନ ଫେରିପାଇଛନ୍ତି। ଏବେ ଯେଉଁ ୪ଟି ଆସନ ଝୁଲିଲା ସେଥି ନେଇ ବିଶେଷ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯାଜପୁର ଆସନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନିୟନ୍ତ୍ରଣରେ ରହିଛି। ବବି ଏଠାରେ ଜଣେ ମହିଳା ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

ଅନ୍ୟ ପକ୍ଷରେ ବରୀ, ବଡ଼ଚଣା ଓ କୋରେଇ ବିଧାୟକମାନେ ଏବେ ଅଧିକ ଚିନ୍ତାଗ୍ରସ୍ତ ହୋଇଛନ୍ତି। କୋରେଇରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ପ୍ରଚାରରେ ଲାଗି ପଡ଼ିଥିବା ବେଳେ ବିଜେଡ଼ିର ପ୍ରାର୍ଥୀ ନେଇ ଦ୍ବନ୍ଦ୍ବ ବିଜେଡ଼ି ସଙ୍ଗଠକଙ୍କୁ ଅସୁବିଧାରେ ପକାଇ ଦେଇଛି। ସେହିପରି ବରୀ ଓ ବଡ଼ଚଣାରେ ଶାସକ ଦଳ ‌ସଂଗଠକମାନଙ୍କର ସ୍ଥିତି ସଙ୍ଗୀନ୍। ବରୀର ବିଧାୟକ ଦେବାଶିଷ ନାୟକଙ୍କର ନବୀନ ପଟ୍ଟନାୟକଙ୍କ ପରିବାର ସହିତ ସଂପର୍କ କାର୍ଡ ଖେଳୁଥିବା ବେଳେ ଭୁବନେଶ୍ବର ଓ ପୁରୀରେ ନିଜ ସମର୍ଥକମାନଙ୍କୁ ନେଇ ଏକଜୁଟ କରିବାରେ ଲାଗିଛନ୍ତି। ମାତ୍ର ୨୦୧୪ ନିର୍ବାଚନ ରେ ଶ୍ରୀ ନାୟକ ନିଜର ଅସ୍ଥା ହରାଇଥିବା ସତ୍ବେ ‌ଗତଥର ସାଂସଦ ଓ ସ୍ବାଧୀନ ବିଧାୟକ ପ୍ରାର୍ଥୀଙ୍କର ଏକ ପ୍ରକାର ଚିହ୍ନ ନଡ଼ିଆ ପାଇଁ ଦେବାଶିଷଙ୍କୁ ଫାଇଦା ମିଳିଥିଲା। ଏହା ସତ୍ବେ ନିଜର ରାଜନୀତି ଗୋଟି ଚାଳନାରେ କୌଣସି ପରିବର୍ତ୍ତନ ନକରି ହାଇପ୍ରୋଫାଇଲ୍ ନେତା ଦେବାଶିଷ ନିଜ ପ୍ରତିନିଧିଙ୍କୁ କା ଦେଇ ବରୀରେ ଶାସନ ଜାରି ରଖିଥିବାରୁ ଏବେ ଅବସ୍ଥା ଅସମ୍ଭାଳ ହୋଇଛି। ଫଳରେ ଗତ ଥର ସ୍ବାଧୀନ କ୍ରସିଂ ଭୋଟରେ ପରାସ୍ତ ହୋଇଥିବା ବିଶ୍ବରଂଜନ ମଲ୍ଲିକ ଏଥର ବିଜେପି ବ୍ୟାନର ରେ ଦେବାଶିଷ ତଥା ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ମାତ୍ର ବଡଚଣାକୁ ନେଇ ଦଳୀୟ ହାଇକମାଣ୍ଡ ଦ୍ବନ୍ଦ୍ବରେ ପଡିଯାଇଛନ୍ତି। ୫ଥର ବିଧାୟକ ଶାସକ ଦଳର ମୁଖ୍ୟ ସଚେତକ ଅଭିଜ୍ଞ ରାଜନେତା ଅମର ଶତପଥୀଙ୍କୁ ୨୦୦୪ରେ ଦଳ ପରୀକ୍ଷା ମୂଳକ ଭାବେ ଟିକେଟ ନଦେଇ ଏହି ଆସନ ହରାଇଥିଲେ। କେ‌ବେ ପରାଜୟ ବରଣ କରି ନଥିବା ଅଭିଜ୍ଞ ଅମରଙ୍କୁ ହଟାଇବାକୁ ଶାସକ ଦଳର ଗୋଟିଏ ଗୋଷ୍ଠୀ ଲାଗି ପଡ଼ିଛନ୍ତି। ମାତ୍ର ତାଙ୍କ ମଧ୍ୟରେ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ ଦିଆଯାଇନାହିଁ। ଭୋଟ ହାର ବୃଦ୍ଧି ସହିତ ପଞ୍ଚାୟତ ନିର୍ବାଚନରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରିଥିବା ଅମରଙ୍କ ଉପରେ ଦଳ ଯଦି ପରୀକ୍ଷା କରିବାକୁ ଉଦ୍ୟମ କରେ ୨୦୦୪ର ପୁନରାବୃତ୍ତି ହେବ ବୋଲି ମଧ୍ୟ ଶାସକ ଦଳର ବହୁ ପୁରୁଖା ନେତା ମତବ୍ୟକ୍ତ କରିଛନ୍ତି। ଏହି ସ୍ଥିତିରେ ଜିଲ୍ଲାର ଝୁଲୁଥିବା ୪ଟି ଆସନରେ କଣ ଅଦଳବଦଳ ହେଉଛି, ତା ଉପରେ ସବୁ ଦଳର ନଜର ରହିଛି। ଏପରିକି ଛାତ୍ରନେତାରୁ ରାଜନୀତିକୁ ପ୍ରବେଶ କରି ବେଶ ଦକ୍ଷତା ଦେଖାଇଥିବା ମୋହନ ଜେନା ବିଜେଡି ସାଂସଦ ଟିକେଟରୁ ବାଦ ପଡ଼ିବା ପରେ ତାଙ୍କର ସମର୍ଥକଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତାକାଲି ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗଦାନ କରିବା ସହିତ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe