ପ୍ରାର୍ଥୀଙ୍କ ରଣ କୌଶଳ, ଚାଲିଛି ଦାବିଦାରଙ୍କ ମାନଭଞ୍ଜନ

Advertisment
ପ୍ରାର୍ଥୀଙ୍କ ରଣ କୌଶଳ, ଚାଲିଛି ଦାବିଦାରଙ୍କ ମାନଭଞ୍ଜନ

ଯାଜପୁର : ରାଜ୍ୟ ରାଜନୀତି ସହିତ ଯାଜପୁର ଜିଲ୍ଲାର ରାଜନୀତି ଏବେ ବେଶ ସରଗରମ। ଗତ ୨ତାରିଖରୁ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜିଲ୍ଲାର ୭ଟି ବିଧାନସଭା ଓ ଲୋକସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଅଥଚ ବଡ଼ଚଣାର କଂଗ୍ରେସ ପ୍ରାର୍ଥୀ ଆଜି ପର୍ଯ୍ୟନ୍ତ ଘୋଷଣା କରାଯାଇପାରି ନାହିଁ।

ଜିଲ୍ଲା ସମସ୍ତ ୭ଟି ବିଧାନସଭା ଆସନରୁ ମୁଖ୍ୟ ପ୍ରତି‌ଦ୍ବନ୍ଦ୍ବୀମାନେ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିଛନ୍ତି। ପ୍ରାର୍ଥୀମାନେ ଦଳୀୟ ଟିକେଟ ପ୍ରତିଯୋଗିତାରେ ବିଜୟୀ ଲାଭ କରିବା ପରେ ଏବେ ଟି‌କେଟ୍ ପାଇ ନଥିବା ଅନ୍ୟ ଦାବିଦାରଙ୍କୁ ନିଜ ସପକ୍ଷରେ ମା‌େନଇବାକୁ ଲାଗିପଡିଛି। ହାଇକମାଣ୍ଡଙ୍କ ଚାପ ଓ ବିଭିନ୍ନ ପ୍ରକାର ‌ପ୍ରଲୋଭନ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ‌ଓ ସେମାନଙ୍କ ସମର୍ଥକମାନେ ଦାବିଦାରଙ୍କୁ ନିଜ ସପକ୍ଷରେ ନେବା ପାଇଁ ରାତିଦିନ ଏକା‌କାର କରିଦେଇଛନ୍ତି। ଏଥିରେ ମଧ୍ୟ ଅନେକ ସଫଳ ହେଉଛନ୍ତି ବୋଲି ଦାବି କରିବା ସହିତ ସୋସିଏଲ ମେଡିଆରେ ଫଟୋ ଫାଇରାଲ ‌କରିବାରେ ଲାଗିଛନ୍ତି। ବଡ଼ଚଣାରେ ବରିଷ୍ଠ ବିଜେଡ଼ି ନେତା ଅମର ଶତପଥୀ ବହୁ ବାଦାନୁ ବାଦ ପରେ ଏଥର ପୁଣି ଟିକେଟ୍ ହାସଲ କରିଥିବା ବେଳେ ଗତ ୨ଟି ନିର୍ବାଚନର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଜନ୍ମେଜୟ ଲେଙ୍କା ଏବେ ତାଙ୍କ ଶିବିରରେ। ସେହିପରି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ ବିଦ୍ରୋହ ଘୋଷଣ କରିଥିଲେ। ଶ୍ରୀ ନନ୍ଦ ଶେ‌ଷରେ ଶ୍ରୀ ଶତପଥୀଙ୍କୁ ପୁଣି ଆପଣାଇଛନ୍ତି।

ବରୀରେ ଟିକଟରୁୁ ବାଦ ପଡିଥିବା ବିଧାୟକ ଦେବାଶିଷ ନାୟକ ଓ ତାଙ୍କର ପ୍ରତିନିଧି ସେକ୍ ସଫିକ୍ ଉଦ୍ଧିନ୍(ଟାଲି) ବିଜେପିରୁ ଆସି ଟିକଟ ପାଇଥିବା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ବିରୋଧ କରିବେ ବୋଲି ଜୋରଦାର ପ୍ରଚାର ହେଉଥିଲା। ମାତ୍ର ଶ୍ରୀମତୀ ଦାସଙ୍କ ମାଷ୍ଟରମାଇଣ୍ଡ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କ ସହିତ ଦେବାଶିଷ ଓ ଟାଲିଙ୍କ ମିଳିତ ଫଟୋ ହିଁ ମାନଭଞ୍ଜନର ନମୁନା ବୋଲି କୁହାଯାଇଛି। କୋରେଇରେ ବିଜେପି ପ୍ରାର୍ଥୀ ବିଶ୍ବଜିତ ନାୟକଙ୍କ ସହିତ ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ଆଜି ତାଙ୍କ ଗାଡ଼ିରେ ସାରଥି ହୋଇ ନାମାଙ୍କନପତ୍ର ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଡାନିଙ୍କ ଦୃଢ ସମର୍ଥକ ତଥା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ସହ କୋରେଇର ବିଜେଡି ପ୍ରାର୍ଥୀ ଅଶୋକ ବଳଙ୍କ ଆଲୋଚନା ମଧ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ସାଂସଦ ଟିକଟରୁୁ ବାଦ ପଡ଼ିଥିବା ରୀତା ତରାଇଙ୍କୁ ମଧ୍ୟ ନୂତନ ଭାବେ ଟିକଟ୍ ପାଇଥିବା ଶର୍ମିଷ୍ଟା ସେଠୀ ବେଶ ଚତୁରତା ସହିତ କୋଳେଇ ନେଇ ନିଜ ପ୍ରଚାରରେ ସାମିଲ କରିଛନ୍ତି।

ଏହି କୋଳାକୋଳି କେବଳ ଦଳର ଭିନ୍ନ ଭିନ୍ନ ‌ଗୋଷ୍ଠୀ ମଧ୍ୟରେ ସୀମିତ ନାହିଁ। ଦୀର୍ଘ ଦିନର ପ୍ରତିଦ୍ବନ୍ଦ୍ବୀଙ୍କୁ ମଧ୍ୟ ପ୍ରାର୍ଥୀମାନେ ମନେଇବାରେ ଲାଗିପଡିଛନ୍ତି। ଯାହାକି ବ୍ୟାସନଗରରେ ଦେଖିବାକୁ ମିଳିଛି। କୋରେଇ କଂଗ୍ରେସ ପ୍ରାର୍ଥିନୀ ବନ୍ଦିତା ପରିଡ଼ା ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତଙ୍କ ସହଯୋଗ ପାଇଁ ନିକଟତର ହୋଇଛନ୍ତି। ରାଜ୍ୟରେ ଯେପରି ନେତାମାନେ ଦଳକୁ ଦଳ ଡିଆମାରିବାରେ ଲାଗିଛନ୍ତି। ସେହିପରି ପ୍ରାର୍ଥୀମାନେ ଯେତେତେନ ପ୍ରକାର ନିଜର ଶିବିର ସଜାଡ଼ିବାରେ ଲାଗିଛନ୍ତି। ବିରୋଧୀ ଓ ପ୍ରତିଦ୍ବନ୍ଦ୍ବୀଙ୍କ ସହ ବୁଝାମଣା କରି ନିର୍ବାଚନରେ ଟକ୍କର ଦେବାକୁ ଲାଗିପଡିଛନ୍ତି। ତେବେ ପ୍ରାର୍ଥୀ ଏହି ପ୍ରୟାସ କେତେ ଦୂର ସଫଳ ହେଉଛି। ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe