ଭିଜିଲାନ୍ସ ଜାଲରେ ଜଳ ବିଭାଜିକା କିରାଣି: ବିଲ କରାଇଦେବାକୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

Advertisment
ଭିଜିଲାନ୍ସ ଜାଲରେ ଜଳ ବିଭାଜିକା କିରାଣି: ବିଲ କରାଇଦେବାକୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପର ବରିଷ୍ଠ ସହକାରୀ କିରାଣି ଶ୍ୟାମ ସୁନ୍ଦର ବଳ ବିଲ୍‌ ପାସ୍ କରାଇଦେବା ପାଇଁ ଲାଞ୍ଜିଗଡ଼ର ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ବିଶ୍ବଜିତ ନାଏକଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ୨ଟି କାମର ବିଲ ପାସ କରାଇବା ପାଇଁ ଶ୍ରୀ ବଳ ତାଙ୍କୁ ବହୁତ ହଇରାଣ କରୁଥିଲେ। ଗୋଟିଏ କାର୍ଯ୍ୟ ୯ ଲକ୍ଷ ୧୯ ହଜାର ୬୦୦ ଟଙ୍କା ଓ ଅନ୍ୟ ଏକ କାର୍ଯ୍ୟ ୯୬ ହଜାର ଟଙ୍କାର ବିଲର ସମସ୍ତ ଭାଉଚର ଦାଖଲ ହୋଇଥିଲେ ମଧ୍ୟ ପ୍ରାପ୍ୟ ମିଳୁ ନଥିଲା। ସେହିଭଳି ପ୍ରାୟ ୧କୋଟି ଟଙ୍କାର ବିଲ ପୂର୍ବରୁ ମଧ୍ୟ ବାକି ରହିଥିଲା। ଏହି ସମସ୍ତ ବିଲ କରେଇ ଦେବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

ଶ୍ରୀ ବଳଙ୍କ ଭବାନୀପାଟଣା ସହର ସ୍ଥିତ ସରକାରୀ କ୍ବାର୍ଟର, ଭୁବନେଶ୍ବରସ୍ଥିତ ଡୁମଡୁମାର ହାଉସିଂ ବୋର୍ଡ କଲୋନିର ଆବାସିକ ଘର, କେନ୍ଦ୍ରାପଡ଼ା ସ୍ଥିତ ପୈତୃକ ଘର ଏବଂ ତାଙ୍କ ଅଫିସ୍ କୋଠରିରେ ଚଢ଼ଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଇଛି। ସେ ଦୀର୍ଘ ୨୦ ବର୍ଷ ଧରି ଭବାନୀପାଟଣା ଜଳ ଛାୟା ବିଭାଗରେ କାର୍ଯ୍ୟ କରୁଥିଲେ। ଏଠାରୁ ତାଙ୍କ ବଦଳି ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe