କର୍କଟ ରୋଗରେ ଆଖିବୁଜିଲେ ମା’, ପକ୍ଷାଘାତ ଆକ୍ରାନ୍ତ ବିଧବା ଆଈଙ୍କ ଭରସାରେ ୩ ଭାଇଭଉଣୀ

Advertisment

ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

ସରକାରୀ ସହାୟତା ଦାବି କଲେ ଗ୍ରାମବାସୀ

କର୍କଟ ରୋଗରେ ଆଖିବୁଜିଲେ ମା’, ପକ୍ଷାଘାତ ଆକ୍ରାନ୍ତ ବିଧବା ଆଈଙ୍କ ଭରସାରେ ୩ ଭାଇଭଉଣୀ

ଜଳେଶ୍ବର: ବାପା ଘରୁ ତଡ଼ିଦେଲା। କର୍କଟ ରୋଗରେ ବହୁଦିନ ଧରି ପୀଡ଼ିତ ହେବାପରେ ଶେଷରେ ଆଖି ବୁଜିଲା ମା’। ଆଉ ମା’ର ମୃତ୍ୟୁ ପରେ ୩ ଅନାଥ ପିଲାଙ୍କ ସାହାଭରସା ପକ୍ଷାଘାତ ଆକ୍ରାନ୍ତ ଆଈ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ବରଡ଼ିହା ପଞ୍ଚାୟତ ଶାଳବଣି ଗାଁରେ।

ଗାଁର ଜୟନ୍ତୀ ଦେଙ୍କ ଝିଅ ତିଳୋତ୍ତମା ୧୭ ବର୍ଷ ତଳେ ମୁମ୍ବାଇରେ ରହୁଥିବା ବେଳେ ସେଠାକାର ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର ବେଶ କିଛି ବର୍ଷ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲା। ତେବେ ୮ ବର୍ଷ ତଳେ ତିଳୋତ୍ତମାଙ୍କୁ ସ୍ବାମୀ ଘରୁ ତଡ଼ିଦେଲେ। ଏହାପରେ ତିଳୋତ୍ତମା କୌଣସି ଉପାୟ ନପାଇ ତିନି ପିଲାଙ୍କୁ ଧରି ବାପଘର ଗାଁ ଶାଳବଣିକୁ ଚାଲିଆସିଲେ ଏବଂ ବିଧବା ମାଆ ଜୟନ୍ତୀଙ୍କ ପାଖରେ ଆଶ୍ରୟ ନେଲେ। ତିଳୋତ୍ତମାଙ୍କ ବଡ଼ଝିଅ କାବେରୀଙ୍କୁ ଏବେ ୧୬ ବର୍ଷ ହୋଇଥିବା ବେଳେ ସେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଛନ୍ତି। ସେହିପରି ପୁଅ କ୍ରିଷ୍ଣାକୁ ୧୪ ବର୍ଷ। ସେ ଗାଁ ହାଇ୍‌ସ୍କୁଲ୍‌ରେ ନବମ ଶ୍ରେଣୀର ଛାତ୍ର। ୧୦ ବର୍ଷର ସାନପୁଅ ଶିବ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛନ୍ତି।

ତିଲୋତ୍ତମା ମୁମ୍ବାଇରୁ ଫେରିବା ପରେ ପରେ ତାଙ୍କ ମାଆ ଜୟନ୍ତୀ ପକ୍ଷାଘାତର ଶିକାର ହୋଇଥିଲେ। ଜୟନ୍ତୀଙ୍କର ସମ୍ପତ୍ତି କହିଲେ ୩୬ ଡେସିମିଲ୍‌ର ଘରଡ଼ିହ। ଏହାକୁ ଛାଡ଼ିଦେଲେ ଆଉ କିଛି ବୋଲି କିଛି ନାହିଁ। ତେଣୁ ପରିବାର ପ୍ରତିପୋଷଣ ପାଇଁ ତିଳୋତ୍ତମା ନୃତ୍ୟଶିଳ୍ପୀ ଭାବେ ଏକ ଯାତ୍ରାପାର୍ଟିରେ ଯୋଗ ଦେଇଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା ବୃଦ୍ଧା ମା’ଙ୍କ ଔଷଧ ସହ ୩ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବା ସହ ଦୁଃଖକଷ୍ଟରେ ଘର ଚଳୁଥିଲା। ଏଭଳି ପରିସ୍ଥିତିରେ ବର୍ଷକ ତଳେ ତିଳୋତ୍ତମା କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଆଉ ତା ପରଠୁ ସେ ବାଲେଶ୍ବର ଓ କଟକରେ ସେ ଚିକିତ୍ସିତ ହୋଇଥିଲେ। ଶେଷରେ ଗତ ୨୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ମା’ଙ୍କ ମୃତ୍ୟୁ ପରେ ୩ ପୁଅଝିଅ ଅନାଥ ହୋଇ ଯାଇଛନ୍ତି। ପକ୍ଷାଘାତ ଆକ୍ରାନ୍ତ ଆଈଙ୍କ ଯୁ ନାହିଁ ନାତି ନାତିନାତୁଣୀଙ୍କ ଭଲମନ୍ଦ ବୁଝିବା ପାଇଁ। ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ଏବଂ ମାସକୁ ୫ ଶହ ଟଙ୍କା ଭତ୍ତାରେ ୩ ନାତିନାତୁଣୀଙ୍କୁ କିପରି ମଣିଷ କରିବେ ସେହି ଚିନ୍ତା ଏବେ ଘାରିଛି ବୃଦ୍ଧା ଜୟନ୍ତୀଙ୍କୁ। ସବୁଠାରୁ ଦୁଃଖର କଥା ହେଉଛି ତିଳୋତ୍ତମାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଏବେ ଘରେ ଟଙ୍କାଟିଏ ବି ନାହିଁ। ସେପଟେ ତିଳୋତ୍ତମାଙ୍କ ଘରଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ କୋମଳମତୀ ୩ ପିଲା ସେହି ଭଙ୍ଗାଘରେ କିପରି ରହିବେ, ତାହା ଚିନ୍ତାର ବିଷୟ ପାଲଟିଛି। ଏପରି ସମୟରେ ୩ ଅନାଥ ପିଲାଙ୍କ ପାଠପଢ଼ା ସହ ସମସ୍ତ ଦାୟିତ୍ଵ ସରକାର ନିଅନ୍ତୁ ବୋଲି ସମାଜସେବୀ ମୁରଲୀଧର ଦାସ ଅଧିକାରୀ ଓ ଦିବ୍ୟେନ୍ଦୁ ଦେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe