‌ଜଲଦା ସରପଞ୍ଚ ଭୋଟ ଗଣତିରେ ତ୍ରୁଟି: ପୁନଃ ଗଣତି ଦାବିରେ ଧାରଣା

‌ଜଲଦା ସରପଞ୍ଚ ଭୋଟ ଗଣତିରେ ତ୍ରୁଟି: ପୁନଃ ଗଣତି ଦାବିରେ ଧାରଣା

ରାଉରକେଲା: ଯେତିକି ମତଦାନ ହେଲା। ଗଣତି ବେଳେ ତା’ଠାରୁ ଢ଼େର ବାଲଟ୍‌ ପେପର ଭୋଟ ବାକ୍ସରୁ ବାହାରିଲା। ପ୍ରତିବାଦ କଲୁ କେହି ଶୁଣିଲେନି। ପୁଲିଂ ଅଫିସ୍‌ର ଆମ  କଥାକୁ ଏତେଟା ଗୁରୁତ୍ବ ଦେଲେନି। ଗୋଷ୍ଠୀ ଉନ୍ନୟନ ଅଧିକାରୀ କାହାରି କଥାକୁ ନ ଶୁଣି ତରବରିଆ ଭାବେ ନିର୍ବାଚିତ ସରପଞ୍ଚଙ୍କ ନାଁ ଘୋଷଣା କରିଦେଲେ। ନିର୍ବାଚନ ପରିଚାଳନାରେ ବିରୋଧରେ ଏମିତି ସାଂଘାତିକି ଅଭିଯୋଗ ଆଣିଛନ୍ତି ଜଲଦାର ସରପଞ୍ଚ ପ୍ରାର୍ଥୀ ‌ରେଶ୍ମା ଖାଲ୍‌କୋ। ପ୍ରତିବାଦରେ ବୁଧବାର ନିଜ ସମର୍ଥକଙ୍କ ସହ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଥିଲେ।

ଉପଜିଲ୍ଲାପାଳ ଅନୁପସ୍ଥିତରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦାବିପତ୍ର ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି। ନ୍ୟାୟ ନ ମିଳିଲେ କୋର୍ଟର ଦ୍ବାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି। ରେଶ୍ମାଙ୍କ କହିବାନୁଯାୟୀ ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ଜଲଦା ପଞ୍ଚାୟତରେ ମତାଦାନ ହୋଇଥିଲେ। ତାଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଗୀତା ଓରାମ ସରପଞ୍ଚ ପ୍ରାର୍ଥିନୀ ଭାବେ ପ୍ରତିଦ୍ବନ୍ଦିତା କରୁଥିଲେ। ଗତ ୨୭ ତାରିଖରେ ବ୍ଲକ ଅଫିସ୍‌ରେ ମତଗଣନା ହୋଇଥିଲା। ଭୋଟ ଗଣତି ପାଇଁ ଦୁଇଟି ଟେବୁଲ ହୋଇଥିଲା। ପରେ ଏହାକୁ ୪ଟି ଟେବୁଲ କରାଯାଇଥିଲା।

ଭୋଟ ଗଣତି ବେଳେ ଯେତିକି ମତଦାନ ହୋଇଥିଲା, ତା’ଠାରୁ ଢ଼େର ଅଧିକ ବାଲଟ୍‌ ପେପର ବାହାରିଥିଲା। ତାଙ୍କୁ ୧୭୩୦ ଖଣ୍ଡ ଭୋଟ ମିଳିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୨୨୦୫ ଖଣ୍ଡ ଭୋଟ ମିଳିଥିଲା। କାହିଁକି ଏମିତି କରାଯାଉଛି ବୋଲି ପ୍ରତିବାଦ କଲୁ। କିନ୍ତୁ କେହି ତାଙ୍କ କଥା ଶୁଣିଲେନି। ତରବରିଆ ଭାବେ ଗୀତା ଓରାମଙ୍କୁ ନିର୍ବାଚିତ ଘୋଷଣା କରିଥିଲେ। ‌ଗୋ‌ଷ୍ଠୀ ଉନ୍ନୟନ ଅଧିକାରୀ ଓ ପୁଲିଂ ଅଫିସ୍‌ରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ତାଙ୍କୁ ଜାଣିଶୁଣି ପରାସ୍ତ କରି ଦିଆଯାଇଛି। ତେଣୁ ଗତ ୧୬ ତାରିଖରୁ ୨୭ ତାରିଖ ଗଣନା ପର୍ଯ୍ୟନ୍ତ ସିସି ଟିଭି ଫୁଟେଜ୍‌ ଯାଞ୍ଚ କରାଯାଉ। ପୁନଃ ଗଣତି  ନ ହେଲେ ସାନି ନିର୍ବାଚନ କରିବାକୁ ସେ ଦାବି କରିଛନ୍ତି। ନିର୍ବାଚନ କମିଶନର ଓ ଜିଲ୍ଲାପାଳଙ୍କ ପକ୍ଷରୁ ନ୍ୟାୟ ନ ମିଳିଲେ କୋର୍ଟର ଦ୍ବାରସ୍ଥ ହେବେ  ବୋଲି ରେଶ୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe