ଥୁଆପାଲି: ଭେଡ଼େନ ବ୍ଲକ ଜାମଡୋଲ ଗ୍ରାମରେ ସଂଗଠିତ ଗଣହତ୍ୟା ମାମଲା ବର୍ତମାନ ମଧ୍ୟ ରହସ୍ୟ ଘେରରେ ରହିଛି। ପ୍ରାରମ୍ଭିକ ତଦନ୍ତରୁ ପୁଅ ଅରବିନ୍ଦ ନିଜ ବାପା, ମା' ଓ ଭଉଣୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ମଧ୍ୟରାତ୍ରିରେ ବନ୍ଧୁ ପରିଜନ ଓ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶରେ ବରଗଡ଼ରେ ଶବଦାହ କରାଯାଇଛି। ଗାଁ ଖାଁଖାଁ ଲାଗୁଛି। ଯେଉଁ ଘରେ ସବୁବେଳେ ପରିବାର ମଧ୍ୟରେ ଥଟ୍ଟାମଜା ଏବଂ ଲୁଗାବୁଣା ଯନ୍ତ୍ରର ଶବ୍ଦ ଶୁଭୁଥିଲା, ସେହି ଘରେ ଏବେ ମଣିଷ ଶୂନ୍ୟ।
ଘର ବାହାରେ ବି ରକ୍ତ ଛିଟା ଲାଗିଛି। ପାଖ ପଡିଶା ଘରେ ମଧ୍ୟ କେହି ଘରୁ ବାହାରୁ ନାହାନ୍ତି। ଏମିତି ଏକ ଜଘନ୍ୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଘର ଭିତରୁ ଜବତ ହୋଇଥିବା ହାତୁଡ଼ିର ଫିଙ୍ଗର୍ ପ୍ରିଣ୍ଟ ଘଟଣା ଉପରୁ ପରଦା ଉଠାଇବ ବୋଲି କୁହାଯାଉଛି। ପୁଲିସ୍ ପାରିପାର୍ଶ୍ବିକ ସ୍ଥିତି ଦେଖି ଅରବିନ୍ଦ ବାପା ଶେଷଦେବ, ମା' କ୍ଷୀରେଶ୍ବରୀ ଏବଂ ଭଉଣୀ ଶିବାନୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି। କିନ୍ତୁ ଏହି ଗଣହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଆଖପାଖ ଲୋକଙ୍କ ବୟାନରୁ ପୁଲିସ୍ ତଥ୍ୟ ଗୋଟାଇବାକୁ ଚେଷ୍ଟା କରୁଛି। ଏହି ପରିବାର ଭିତରେ ସବୁବେଳେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଥିଲା। ତେଣୁ ଏଭଳି ଘଟଣାକୁ କେହି ସହଜରେ ବିଶ୍ବାସ କରିପାରୁନାହାନ୍ତି।
Follow Us