ଜାମକାନି କୋଇଲାଖଣି ଅଭିଯୋଗ ଶୁଣାଣି, ଏଇ ଅଗଷ୍ଟରେ ଆରମ୍ଭ ହେବ ଖଣି!

Advertisment
କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା ଜାରିରଖିବାକୁ କ୍ୟାବିନେଟ୍ ମଞ୍ଜୁରୀ

image source-new indian express

ସୁନ୍ଦରଗଡ଼/ହେମଗିର :  ହେମଗିରସ୍ଥ ଜାମକାନି କୋଇଲାଖଣି ପ୍ରକଳ୍ପ ପାଇଁ ଆଜି ଝାରପଲମ ଖେଳପଡ଼ିଆରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ଝାରପଲମ ଓ ମେଣ୍ଡ୍ରା ଗାଁର ଲୋକେ ଖଣିକୁ ସମର୍ଥନ କରିଥିବାବେଳେ ଜାମକାନି ଓ ଗିରିସୀମା ଗାଁର ଲୋକେ ଜନଶୁଣାଣିକୁ ଘୁଞ୍ଚାଇବାଲାଗି ପୂର୍ବରୁ ଦାବି କରିଥିଲେ ଓ ବର୍ଜନ କରିଥିଲେ।

ପୂର୍ବ ନିର୍ଦ୍ଧାରିତ ୧୩ ତାରିଖରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ବେଦାନ୍ତର ଜାମକାନି କୋଇଲାଖଣି ପ୍ରକଳ୍ପ ପାଇଁ  ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଆୟୋଜିତ  ହୋଇଥିଲା। ଏଥିରେ ଖଣି ପାଇଁ ବିସ୍ଥାପିତ ହେବାକୁ ଥିବା ଝାରପଲମ, ଜାମକାନି, ଗିରସୁଆଁ, ମେଣ୍ଡ୍ରା ଗାଁର ଲୋକେ ଭାଗନେଇ ପୁନର୍ବାସ ଓ ଥଇଥାନ ସହ ନିଯୁକ୍ତି ସମ୍ପର୍କିତ ଅଭିଯୋଗ ଉପସ୍ଥାପିତ କରିବାକୁ କୁହାଯାଇଥିଲା। କିନ୍ତୁ ଜାମକାନି ଓ ଗିରିସୀମା ଗାଁ ଲୋକେ ଅଗଷ୍ଟ ୧୫ରେ ପ୍ରଥମେ  ଗ୍ରାମସଭା ତା’ପରେ ଜନଶୁଣାଣି କରିବାକୁ ପୂର୍ବରୁ ଲିଖିତ ଦାବି କରିଥିଲେ ଓ ପ୍ରାୟତଃ ଅନୁପସ୍ଥିତ ରହିଥିଲେ।

ତେବେ ଅନ୍ୟ ଦୁଇ ଗାଁ ମେଣ୍ଡ୍ରା ଓ ଝାରପଲମର ଲୋକେ କିଛି ସର୍ତ୍ତ ମଧ୍ୟରେ ଖଣିକୁ ସମର୍ଥନ ଜଣାଇଥିବା ସୂଚନା ମିଳିଛି। ଆଜିର ସଭା ଅବସରରେ ଅନେକ ଗ୍ରାମବାସୀ ନିଜର ଦାବି ଉଠାଇଥିଲେ। କିଛି ଲୋକ ନିଜର ଅଭିଯୋଗ ଓ ପ୍ରସ୍ତାବ ମଧ୍ୟ ଦାଖଲ କରିଥିଲେ। ଖଣି ଅଧିକାରୀମାନେ ସେସବୁକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅଭିଯୋଗ ଶୁଣାଣି ସଭାରେ ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା, ବିଡିଓ ଜଗଦୀଶ ମହାନନ୍ଦ, ଏସ୍‌ଡିପିଓ ମଧୁସିକ୍ତା ମିଶ୍ର, ଝାରପଲମ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ ଜାମକାନି ଖଣି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ବେସରକାରୀ ‘ଗ୍ରୀନ୍‌ଫିଲ୍ଡ଼’ କୋଇଲା ଖଣି ହେବାକୁ ଯାଉଛି। ଆଜି ଅନୁଷ୍ଟିତ ସଭାର ସଫଳତା ପରେ ଚଳିତ ଅଗଷ୍ଟ ମାସ ଭିତରେ ଖଣି ଆରମ୍ଭ କରିବାଲାଗି ବେଦାନ୍ତ ନିଷ୍ପତ୍ତି ନେଉଛି ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe