୬ ବର୍ଷ ହେଲା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ‌ଔଷଧୀ କେନ୍ଦ୍ରରେ ତାଲା, ଲୋକେ ଶସ୍ତାରେ ପାଇପାରୁ ନାହାନ୍ତି ଔଷଧ

Advertisment
୬ ବର୍ଷ ହେଲା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜନ‌ଔଷଧୀ କେନ୍ଦ୍ରରେ ତାଲା, ଲୋକେ ଶସ୍ତାରେ ପାଇପାରୁ ନାହାନ୍ତି ଔଷଧ

ପୁରୀ : ଶସ୍ତାରେ ମିଳିବ ଔଷଧ। ଗରିବ ହୁଅନ୍ତୁ ଅବା ମଧ୍ୟବିତ୍ତ, ସମସ୍ତେ ହେବେ ଉପକୃତ। ଏହି ଉଦ୍ଦେଶ୍ୟ ନେଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଥିଲା ଜନଔଷଧୀ ଅଭିଯାନ। ୨୦୧୧ ମସିହାରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ୨୪ ଘଣ୍ଟିଆ ସେବା ସହ ଜେନେରିକ ଔଷଧ ଯୋଗାଇବା ଆରମ୍ଭ ହୋଇଥିଲା। ଜ୍ବର, ଥଣ୍ଡା ଭଳି ସାଧାରଣ ରୋଗଠୁ ନେଇ ବହୁ ମାତ୍ରାରେ ଆକ୍ରାନ୍ତ କରୁଥିବା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଔଷଧ ଉପଲବ୍ଧ ହେଉଥିଲା। କିନ୍ତୁ ଲାଭଖୋର ମନୋବୃତ୍ତି ଯୋଗୁ ୨୦୧୬ରେ ଜନଔଷଧୀ କେନ୍ଦ୍ରରେ ତାଲା ଝୁଲିଲା। ୬ ବର୍ଷ ହେଲା ବନ୍ଦ ହୋଇଥିଲେ ମଧ୍ୟ ଏହାକୁ ଖୋଲିବା ପାଇଁ ନା ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉଛି, ନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆନ୍ତରିକତା ଦେଖାଉଛନ୍ତି। ତେଣୁ ଲୋକଙ୍କୁ ଶସ୍ତାରେ ଔଷଧ ଯୋଗାଇବା ନେଇ ଆରମ୍ଭ ହୋଇଥିବା ହିତକାରୀ ଅଭିଯାନରେ ସମାଧି ନେଇଯାଇଛି।

ଭାରତୀୟ ରେଡକ୍ରସ ସୋସାଇଟି, ପୁରୀ ଶାଖା ସହଯୋଗରେ ୨୦୧୧ରେ ଆରମ୍ଭ ହୋଇଥିଲା ଏହି ଅଭିଯାନ। ବିଶେଷକରି ବାହାରେ ଉପଲବ୍ଧ ଔଷଧଠାରୁ ୭୫ ପ୍ରତିଶତ କମ୍‌ ଦାମ୍‌ରେ ଔଷଧ ମିଳୁଥିବାରୁ ଲୋକେ ଏଠାରୁ ଔଷଧ କିଣିବା ପାଇଁ ଆଗ୍ରହ ଦେଖାଉଥିଲେ। ସମ୍ପୃକ୍ତ କେନ୍ଦ୍ରରେ ଆଜିଥ୍ରୋମାଇସିନ ବାହାର ମେଡିସିନ ଦୋକାନରେ ଷ୍ଟ୍ରିପ୍‌ ପିଚ୍ଛା ୨୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଜନଔଷଧୀ କେନ୍ଦ୍ରରେ ତାହା ମିଳୁଥିଲା ୭ ଟଙ୍କାରେ। ପାରାସିଟାମଲ ବାହାରେ ୧ଟଙ୍କାରେ ମିଳୁଥିବା ବେଳେ ଜନ ଔଷଧୀ କେନ୍ଦ୍ରରେ ତାହା ୩୦ ପଇସାରେ ମିଳୁଥିଲା। କଫ୍‌ ସିରପ୍‌ ବାହାରେ ୭୦ରୁ ୮୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଜନଔଷଧୀ କେନ୍ଦ୍ରରେ ୧୫ ଟଙ୍କାରେ ମିଳୁଥିଲା। ମାତ୍ର ଏନେଇ ମେଡିକାଲ୍‌ରେ ଡାକ୍ତରମାନେ ପ୍ରେସ୍‌କ୍ରାଇ୍‌ବ କରିବା ବେଳେ ଜନଔଷଧୀ କେନ୍ଦ୍ରରୁ କମ୍‌ ଦରରେ ଔଷଧ ନେବା ପାଇଁ ଉତ୍ସାହିତ କଲେନାହିଁ। ଏନେଇ ପ୍ରଚାର ପ୍ରସାର ମଧ୍ୟ ହେଲା ନାହିଁ। ତେଣୁ ଧୀରେଧୀରେ ବିକ୍ରିବଟା କମି ଆସିଲା। କିନ୍ତୁ ଏହି ମହତ୍‌ ଯୋଜନାକୁ ଉତ୍ସାହିତ କରିବା ଅପେକ୍ଷା ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ।

ଜନଔଷଧୀ କେନ୍ଦ୍ର ଆରମ୍ଭରେ ସେଠାରେ ନିଯୁକ୍ତି ପାଇଥିବା ସୁଶାନ୍ତ କୁମାର ଜେନାଙ୍କ କହିବା ମୁତାବକ, ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା ଜନଔଷଧୀ କେନ୍ଦ୍ରରେ ୨୫ଟି ଜେନେରିକ‌ ଔଷଧ ଉପଲବ୍ଧ ହେଉଥିଲା। ପରେ ପରେ ୭୦ ପ୍ରକାରର ଔଷଧ ମିଳିଲା। ଏପରିକି ତତ୍କାଳୀନ ସିଡିଏମ୍‌ଓ ଡା.ନରହରି ମହାରଣା ମଧ୍ୟ ନିଜେ ସେଠାରୁ ଔଷଧ କିଣି ସେବନ କରୁଥିଲେ। ଅନ୍ୟ ଡାକ୍ତରମାନେ ମଧ୍ୟ‌ ଜେନେରିକ୍‌ ଔଷଧ କେନ୍ଦ୍ରରୁ ଔଷଧ କିଣି ନେଉଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରମାନେ ଜନଔଷଧୀ କେନ୍ଦ୍ରରୁ ଔଷଧ ନେବା ପାଇଁ ପ୍ରେସ୍‌କ୍ରାଇବ୍‌ କଲେ ନାହିଁ କି ଏନେଇ ଉତ୍ସାହିତ ମଧ୍ୟ କଲେ ନାହିଁ। ଔଷଧର ବିକ୍ରିବଟା କମିଯିବାରୁ ନିଯୁକ୍ତି ପାଇଥିବା ଦୁଇଜଣ ଫାର୍ମାସିଷ୍ଟଙ୍କୁ ଦରମା ଦେବା ସମ୍ଭବ ହେଲାନାହିଁ। ତେଣୁ ତତ୍କାଳୀନ ଜିଲ୍ଲାପାଳ ଏହାକୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଲେ। ଲାଭଖୋର ମନୋଭାବ ଯୋଗୁ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ହିତାଧିକାରୀ ଯୋଜନା ପୁରୀର ବାସିନ୍ଦାମାନଙ୍କ ପାଇଁ ସ୍ବପ୍ନ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe