ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ : ବିରୋଧ ଭିତରେ ସରିଲା ଜନଶୁଣାଣି

Advertisment
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ : ବିରୋଧ ଭିତରେ ସରିଲା ଜନଶୁଣାଣି

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ କ୍ରମେ ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ ବିଶେଷଜ୍ଞ କମିଟିର ଜନଶୁଣାଣି ଆଜି ପ୍ରବଳ ବିରୋଧ ଭିତରେ ଶେଷ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ପରିସରରେ ଜନଶୁଣାଣି ଚାଲିଥିବା ବେଳେ ପ୍ରତିବାଦ କରିବାକୁ ଯାଇ ସେବାୟତମାନେ ସଭାଗୃହ ଆଗରେ ଧାରଣା ଦେଇଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଯାଇ ପୁଲିସ ସୁରକ୍ଷା ବଳୟରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ତେବେ ବିରୋଧ ସତ୍ତ୍ୱେ ଆଜି ବିଭିନ୍ନ ସଂଗଠନ, ଭକ୍ତ, ସେବାୟତ, ଜନସାଧାରଣ ଶ୍ରୀମନ୍ଦିର ଉପରେ ସେମାନଙ୍କ ପ୍ରସ୍ତାବ ରଖିଛନ୍ତି। ଏହି ଶୁଣାଣିରେ ୧୧୯ଟି ପ୍ରସ୍ତାବ ଆସିଥିବା ବେଳେ ସେଥିରୁ ୬୦ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

publive-image

ଆଜି ପୂର୍ବାହ୍ନ ୧୧ଟାରେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସଦସ୍ୟ ମହିମୋହନ ତ୍ରିପାଠୀ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଜନଶୁଣାଣି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଆଲୋଚନା କିଛି ସମୟ ଚାଲିଛି କି ନାହିଁ ସେବାୟତମାନେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଆଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସରକାର ଏହାକୁ ଜନଶୁଣାଣି କହୁଥିବାବେଳେ ସର୍ବସାଧାରଣରେ ଏହାକୁ ନକରି ବନ୍ଦ କୋଠରୀ ଭିତରେ କରିବା ଠିକ୍‌ ନୁହେଁ ବୋଲି ସେବାୟତମାନେ ଯୁକ୍ତି ବାଢ଼ିଥିଲେ। ସେବାୟତଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦେବା ଲାଗି ଏହା ଏକ ପ୍ରଶାସନିକ ଷଡ଼ଯନ୍ତ୍ର ବୋଲି ସେବାୟତମାନେ ଅଭିଯୋଗ କରିଥିଲେ। ସେପଟେ ଜିଲ୍ଲା ଓକିଲ ସଂଘ ସେବାୟତଙ୍କ ସପକ୍ଷରେ ମତ ବାଢ଼ିଥିଲା। ବନ୍ଦ କୋଠରୀ ଭିତରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଜନଶୁଣାଣିର ପରିପନ୍ଥୀ ବୋଲି ପୁରୀ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ସୂଚନା ଦେଇ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି, ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା, ମହାପ୍ରସାଦ, ଶ୍ରୀମନ୍ଦିର ପରିସରରେ ପରିଛନ୍ନତା, ଶୌଚାଳୟ ଏବଂ ଅନ୍ୟାନ୍ୟ ଦିଗରେ ପ୍ରସ୍ତାବ ସବୁ ଆସିଛି। ସ୍ୱଳ୍ପ ସମୟ ଭିତରେ ଆଗତ ସମସ୍ତ ପ୍ରସ୍ତାବ ଶୁଣାଣି ସମ୍ଭବ ହୋଇନଥିବାରୁ କେବଳ ମୌଖିକ ଆଲୋଚନାକୁ ଗୁରୁତ୍ୱ ଦିଆଯାଇଛି। ଲିଖିତ ପ୍ରସ୍ତାବ ଉପରେ ପରବର୍ତୀ ସମୟରେ ତର୍ଜମା କରି ରିପୋର୍ଟ ପ୍ରସ୍ତୁତ ହେବ। ସେପ୍ଟେମ୍ବର ୫ରେ ସୁପ୍ରିମ୍‌ କୋର୍ଟରେ ପରବର୍ତୀ ଶୁଣାଣି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe