ଜନନାୟକ ଜାନକୀବଲ୍ଲଭ: ଏକ ଅମ୍ଳାନ ବ୍ୟକ୍ତିତ୍ବ

ଡାକ୍ତର ଶରତ ଚନ୍ଦ୍ର ମିଶ୍ର

ଜନନାୟକ ଜାନକୀବଲ୍ଲଭ: ଏକ ଅମ୍ଳାନ ବ୍ୟକ୍ତିତ୍ବ

ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ‘ରାମନିଧିଦେବ’ ଶିବଲିଙ୍ଗ ପ୍ରତିଷ୍ଠା କରିଥିବାରୁ ଏହି ସ୍ଥାନର ନାମ ରାମେଶ୍ବର, ଯେଉଁଠି ୧୯୨୭ ମସିହା ଜାନୁଆରି ୩ ତାରିଖରେ ଜନ୍ମଗ୍ରହଣ କରିଥିବାରୁ ପିତା ରାମଭକ୍ତ ଗୋକୁଳାନନ୍ଦ ପଟ୍ଟନାୟକ ତାଙ୍କର ନାମ ରଖିଥିଲେ ଜାନକୀବଲ୍ଲଭ। ପ୍ରାଥମିକ ଶିକ୍ଷା ପରେ ସେ ଖୋର୍ଦ୍ଧା ହାଇସ୍କୁଲ, ରେଭେନ୍‌ସା ମହାବିଦ୍ୟାଳୟ ଓ ବନାରସ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ପ୍ରାଥମିକ ଶିକ୍ଷା ଠାରୁ ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ମେଧାବୃତ୍ତି ପାଇଥିଲେ। ଛାତ୍ର ଜୀବନରୁ ତାଙ୍କର ସାହିତ୍ୟ ରଚନା ଓ ବକ୍ତୃତାରେ ପାରଦର୍ଶିତା ପ୍ରକାଶ ପାଇଥିଲା। ୧୯୪୨ ଅଗଷ୍ଟ ବିପ୍ଳବରେ ସ୍କୁଲରେ ଧର୍ମଘଟ, ଖୋର୍ଦ୍ଧାରେ ଆଞ୍ଚଳିକ ଛାତ୍ର ସମାଜ ନାମକ ଏକ ଛାତ୍ର ସଂଗଠନ ଗଠନ, ରେଭେନ୍‌ସା କଲେଜର ‘ୟୁନିଅନ୍‌ ଜ୍ୟାକ୍‌ ହଟାଅ’ ଆନ୍ଦୋଳନ, ବନାରସ ବିଶ୍ବବିଦ୍ୟାଳୟରେ ସର୍ବୋଦୟ ସଂଘରେ ଯୋଗଦାନ ଦ୍ବାରା ତାଙ୍କର ଛାତ୍ର ଜୀବନରେ ନେତୃତ୍ବର ପରାକାଷ୍ଠା ପ୍ରକାଶ ପାଇଥିଲା। ୧୯୫୦ ମସିହାରେ ସେ ଯୁବ କଂଗ୍ରେସ ସଭାପତି ହୋଇଥିଲେ, ତା’ ପରେ ପି.ସି.ସି. କାର୍ଯ୍ୟକାରୀ କମିଟି ସଦସ୍ୟ, ଏ.ଆଇ.ସି.ସି. ସଦସ୍ୟ, କଂଗ୍ରେସ କାର୍ଯ୍ୟକାରୀ ଷ୍ଟାଣ୍ଡିଂ କମିଟି ସଦସ୍ୟ, ସର୍ବଭାରତୀୟ ଏଡିଟର କନ୍‌ଫର‌େରନ୍‌ସ କମିଟିକୁ ନିର୍ବାଚିତ ହୋଇଥି‌େଲ।

୧୯୫୨ ମସିହାରୁ ସେ ପ୍ରଜାତନ୍ତ୍ର ଓ ଇଷ୍ଟର୍ଣ୍ଣ ଟାଇମ୍‌ସର ସମ୍ପାଦକ ଦାୟିତ୍ବ ନେଇଥିଲେ। ସମ୍ପାଦକୀୟ ଲେଖାରେ ସେ ଛାତ୍ର ସମାଜର ଶୃଙ୍ଖଳା ରକ୍ଷା, ରାଜଶାସନ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ, ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଭୂମିକା, ଆଦିବାସୀ କଲ୍ୟାଣ, ଦୁର୍ନୀତି ନିରାକରଣ, ଶିକ୍ଷା ପଦ୍ଧତି ପରିବର୍ତ୍ତନ, ଭାଷା ଗବେଷଣ, ଶ୍ରମଶକ୍ତିର ଜାଗରଣ ଇତ୍ୟାଦି ବିଷୟରେ ଲେଖି ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ। ୧୯୫୩ ମସିହାରେ ସେ ସମାଜସେବୀ, ସତ୍ୟାଗ୍ରହ‌ୀ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଶ୍ରୀମତୀ ପଟ୍ଟନାୟକ ଜାତୀୟ ମହିଳା କଂଗ୍ରେସର ସଭାପତି ହୋଇ ନାରୀ ସଶକ୍ତୀକରଣ ପାଇଁ‌ ‌େଚଷ୍ଟା କରିଥିଲେ। ତାଙ୍କ ସମୟରେ ଓଡ଼ିଶାରେ ଜାତୀୟ ମହିଳା କଂଗ୍ରେସ ସମ୍ମିଳନୀ କରାଯାଇଥିଲା।

ଶ୍ରୀଯୁକ୍ତ ପଟ୍ଟନାୟକ ଭାରତର ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ତରୁଣ ବୟସରୁ ସେ ଓଡ଼ିଶାର ରାଜନୀତି ଓ ସଂଗଠନ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ। ଲୋକସଭାରେ ଓଡ଼ିଶାର ଶିକ୍ଷା, ସଂସ୍କୃତି, ଭାଷା, ସାହିତ୍ୟ ଓ ପରମ୍ପରା ଆଦିର ସମୃଦ୍ଧ ଚିତ୍ରକୁୁ ଜାତୀୟ ଦରବାରରେ ଉପସ୍ଥାପନ କରିଥିଲେ। ତାଙ୍କର ମୁଖ୍ୟମନ୍ତ୍ରିତ୍ବ ସମୟରେ ହଜାରେ ଦିନରେ ହଜାରେ ଶିଳ୍ପ ପାଇଁ ଇଡ୍‌କୋ, ନାଲ୍‌କୋ, ପାରାଦ୍ବୀପ ଫସପେଟ୍ କାରଖାନା, କଣିହାଠାରେ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା, ଜଳସେଚନର ବ୍ୟବସ୍ଥା, ମାତୃଭାଷାକୁ ସରକାରୀ ମାନ୍ୟତା ଓ କ୍ରୀଡ଼ାର ଉନ୍ନତି ପାଇଁ କ୍ରୀଡ଼ା ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହୋଇଥିଲା। ତାଙ୍କରି ସମୟରେ ଗଣଦୌଡ଼ ପ୍ରବର୍ତ୍ତନ କରାଯାଇଥିଲା। ମହାନଦୀରେ ଦ୍ବିତୀୟ ନଦୀବନ୍ଧ, ଗୋପାଳପୁରରେ ଦ୍ବିତୀୟ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ବହୁ ଉଦ୍ୟମ କରିଥିଲେ।

ସେ ଓଡ଼ିଶାରେ ତିନି ଥର ମୁଖ୍ୟମନ୍ତ୍ରୀ ପଦ ଓ ଓଡ଼ିଶା କଂଗ୍ରେସ ସଂଗଠନରେ ତିନି ଥର ପି.ସି.ସି. ସଭାପତି ଥିଲେ। ତାଙ୍କର ସାଂଗଠନିକ ଦକ୍ଷତା ଯୋଗୁଁ ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ଲାଭ କରିଥିଲା। ବିଜୁବାବୁଙ୍କୁ ଗାଦିଚ୍ୟୁତ କରି ସେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରିଶେଷରେ ସେ ଆସାମର ରାଜ୍ୟପାଳ ହୋଇଥିଲେ। ଜାନକୀବାବୁଙ୍କର ଅସାଧାରଣ ସାରସ୍ବତ ପ୍ରତିଭାର ପ୍ରମାଣ ତାଙ୍କ ଲିଖିତ ସିନ୍ଧୁ ଉପତ୍ୟକା, ସ୍ବପ୍ନ ସଂକଳ୍ପ, ରାମାୟଣ, ମହାଭାରତ, ଗୌତମ ବୁଦ୍ଧ ଓ ଅନ୍ୟାନ୍ୟ ଲେଖାରୁ ପ୍ରତିପାଦିତ ହୁଏ। ଶୃଙ୍ଗାର ଶତକ, ନୀତି ଶତକ, ବୈରାଗ୍ୟ ଶତକ ଇତ୍ୟାଦି ତାଙ୍କ ଅନୁବାଦର ଶ୍ରେଷ୍ଠ ନମୁନା। ଜାନକୀ ବାବୁଙ୍କ ଭଳି ବିଚକ୍ଷଣ ଧୈର୍ଯ୍ୟବାନ ସମୟାନୁବର୍ତ୍ତୀ, ନିଃସ୍ବାର୍ଥପର ଦକ୍ଷ ଜନନାୟକ ମିଳିବା କଷ୍ଟକର। ତାଙ୍କର ନିତ୍ୟକର୍ମରୁ ସେ ଜଣେ ସିଦ୍ଧ ପୁରୁଷ ଥିଲେ ବୋଲି ପ୍ରମାଣିତ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦରୁ ସେ ଜନ୍ମ ଗ୍ରହଣ କରିଥିଲେ ଏବଂ ମହାପ୍ରଭୁ ତିରୁପତିଙ୍କ କ୍ଷେତ୍ରରେ ତାଙ୍କର ମହାପ୍ରୟାଣ ଘଟିଥିଲା। ଏହା କେ‌ବଳ ଏକ ସଂଯୋଗ ନ ଥିଲା, ଥିଲା ସର୍ବସମ୍ମୁଖରେ ଏକ ମହାନ ଆତ୍ମାର ପରିଚୟ।
ମୋ: ୯୪୩୭୦୦୫୭୪୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe