ଖୋର୍ଦ୍ଧା: ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଯଥାର୍ଥରେ ନବ ଉତ୍କଳର ନିର୍ମାତା। ବର୍ତ୍ତମାନ ପିଢ଼ି ତାଙ୍କୁ ଜଣେ ସଫଳ ରାଜନେତା ଭାବେ ହିଁ ଜାଣନ୍ତି । କେବଳ ବର୍ତ୍ତମାନ ପିଢ଼ି କାହିଁକି ଜାନକୀ ବାବୁ ନିଜର ରାଜନୈତିକ ଜୀବନରେ ଯେଉଁମାନଙ୍କୁ ରାଜନୀତିକୁ ଆଣିଛନ୍ତି ସେମାନେ ମଧ୍ୟ ତାଙ୍କୁ କେବଳ ଏକ ରାଜନେତା ବୋଲି ହିଁ ଜାଣନ୍ତି, କିନ୍ତୁ ଜାନକୀବାବୁ ଏକାଧାରରେ ଅନେକ ପ୍ରତିଭାର ଅଧିକାରୀ ଥିଲେ ତାହା ଅନେକ ଭୁଲିଯାଉଛନ୍ତି ବୋଲି ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ଆଜି ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ।
ସେ ନିଜର ସାମ୍ବାଦିକ ଜୀବନର ଗୁରୁ ଭାବେ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ସମ୍ମାନ ଦେଉଥିବା ବେଳେ ରାଜନୈତିକ ଗୁରୁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତି ସର୍ବଦା କୃତଜ୍ଞ ଅଟନ୍ତି। ନିଜ ଅଭିଭାଷଣରେ, ଜାନକୀ ବାବୁ କିଭଳି ତାଙ୍କୁ ସାମ୍ବାଦିକ ଜୀବନରୁ ରାଜନୈତିକ ଜୀବନକୁ ଆଣିଲେ ତା’ର ସ୍ମୃତିଚାରଣ କରି କହିଥିଲେ ଯେ ଖୋର୍ଦ୍ଧା ତାଙ୍କର ଜନ୍ମମାଟି । ଏହି ମାଟିର ବର୍ତମାନର ଯୁବପିଢ଼ି ଜାନକୀ ବାବୁଙ୍କ ସମ୍ପର୍କରେ ଜାଣିବାର ଓ ଆମମାନେ ସେମାନଙ୍କୁ ଜଣାଇବାର ଆବଶ୍ୟକତା ରହିଛି । ଏଭଳି ସ୍ମୃତି ଉଦ୍ୟାନ ପରବର୍ତୀ ଶହଶହ ବର୍ଷ ଯାଏଁ ତାଙ୍କର କୃତି ଓ କୀର୍ତିକୁ ଲୋକଙ୍କୁ ଜଣାଇବାରେ ସହାୟକ ହେବ ବୋଲି କହିଥିଲେ । ଏହାସହ ସ୍ମୃତି ଉଦ୍ୟାନର ବିକାଶ ପାଇଁ କେତେ ଖର୍ଚ୍ଚ ହେବ ସେନେଇ ଏକ ବିଷଦ ବିବରଣୀ ତାଙ୍କୁ ଦେଲେ ଆସନ୍ତା ୭ ଦିନ ମଧ୍ୟରେ ନିଜର ସାଂସଦ ହାତପାଣ୍ଠୀରୁ ଅନୁଦାନର ବ୍ୟବସ୍ଥା କରିବା ସହ ୬ ମାସ ମଧ୍ୟରେ ଏହାର ବିକାଶକୁ ସାକାର କରିବା ବୋଲି ପ୍ରତିଶ୍ରୁତି ଦେଇଥିଲେ।
/sambad/media/post_attachments/wp-content/uploads/2023/04/Janaki-Ballav-Pattanaik-8th-Shradha-divas-e1682095792289.jpg)
ବୈଠକରେ ମଂଚ ପରିଚାଳନା ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନର ସମ୍ପାଦକ ସଂଜୟ ପଟ୍ଟନାୟକ ଓ ଉଦ୍ଘୋଷକ ମିତାଲି କରିଥିଲେ । ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ର ପୃଥିବୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଓଡ଼ିଶା ରାଜ୍ୟ, ଏହାର ଜନତାଙ୍କ ବିକାଶ ପ୍ରତି ପ୍ରତିବଦ୍ଧତା ଥିବା ଜାନକୀ ବାବୁଙ୍କ ଭଳି ରାଜନେତା ବିରଳ ବୋଲି କହିଥିଲେ । ସ୍ମୃତି ଟ୍ରଷ୍ଟର କୋଷାଧ୍ୟକ୍ଷ ତଥା ଖୋର୍ଦ୍ଧା ବ୍ଲକର ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସୁପୁତ୍ରୀ ତଥା ସମ୍ବାଦ ସମ୍ପାଦକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଧର୍ମପତ୍ନୀ ସୁଦତ୍ତା ପଟ୍ଟନାୟକ ଏବଂ ତାଙ୍କର ସମ୍ପର୍କୀୟମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଓଡ଼ିଶାର ୧୩ଜଣ ସୁନାମଧନ୍ୟ କଣ୍ଠଶିଳ୍ପୀ, ଗୀତିକାର ଓ ସଂଗୀତକାରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସେମାନେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସେମାନଙ୍କ ଜୀବନର ସମ୍ପର୍କ, ଜାନକୀ ବାବୁଙ୍କ କଳା, ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଅନାବିଳତା, ଆବେଗର ସ୍ମୃତିଚାରଣ କରିଥିଲେ । ସମ୍ବର୍ଦ୍ଧିତ ହୋଇଥିବା ପ୍ରତିଭାଙ୍କ ମଧ୍ୟରେ ବରିଷ୍ଠ କଣ୍ଠଶିଳ୍ପୀ ତାନ୍ସେନ୍ ସିଂହ, ଗୀତିକାର ଓ କଣ୍ଠଶିଳ୍ପୀ ଲକ୍ଷ୍ମିକାନ୍ତ ପାଲିତ, କଣ୍ଠଶିଳ୍ପୀ ଓ ଗୀତିକାର ସୁବାସ ଦାସ, ଗୀତିକାର ପ୍ରେମ୍ ଆନନ୍ଦ, ପ୍ରେଫେସର ଓ କଣ୍ଠଶିଳ୍ପୀ ମିତାଲି ଚିନ୍ନାରା, ପ୍ରଫେସର ଓ କଣ୍ଠଶିଳ୍ପୀ ଝୁମୁକି ରଥ,କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, କଣ୍ଠଶିଳ୍ପୀ ବିଭୂ କିଶୋର, କଣ୍ଠଶିଳ୍ପୀ ସୌରଭ ନାୟକ, କଣ୍ଠଶିଳ୍ପୀ କିଷ୍ଣା ମିଶ୍ର, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, କଣ୍ଠଶିଳ୍ପୀ ନାଜିଆ ଆଲାମ୍, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ।
Follow Us