ଏରସମା ବ୍ଲକ୍ ନୂଆଗାଁ ନିକଟରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ସବୁଜ ସଙ୍କେତ

Advertisment
ଏରସମା ବ୍ଲକ୍ ନୂଆଗାଁ ନିକଟରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ସବୁଜ ସଙ୍କେତ

ନିଯୁକ୍ତି ଓ ପରିବେଶ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବୁ: କମ୍ପାନି
ପ୍ରତିଶ୍ରୁତି ପୂରଣ ନ କଲେ ଚାକିରିରୁ ଓହରିଯିବି: ଜିଲ୍ଲାପାଳ

ଜଗତସିଂହପୁର/କୁଜଙ୍ଗ : ଏରସମା ବ୍ଲକ୍ ନୂଆଗାଁ ନିକଟରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜନଶୁଣାଣିରେ ଏକପ୍ରକାର ସବୁଜ ସଙ୍କେତ ମିଳିଛି। କଂପାନି ଅଞ୍ଚଳରେ ନିଜସ୍ବ ଜେଟି ସହିତ ଏକ ଗ୍ରିନଫିଲ୍ଡ ଇସ୍ପାତ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯୋଜନା କରିଛି। ଏଥିପାଇଁ ସଂସ୍ଥା ପକ୍ଷରୁ ୭୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ବନ୍ଦୋବସ୍ତ କରାଯାଇଛି। ପ୍ରକଳ୍ପ ପାଇଁ କମ୍ପାନି ପରିବେଶ ମଂଜୁରି ନିମନ୍ତେ ଆବେଦନ କରିଥିଲା। ଆଜି ଏ ନେଇ ଆୟୋଜିତ ଜନ ଶୁଣାଣିରେ ହାତଗଣତି କେତେ ଜଣ ପ୍ରକଳ୍ପ ବିରୋଧରେ କହିଥିବା ବେଳେ ଅନ୍ୟମାନେ ଅ‌ଞ୍ଚଳରେ ଜେଏସ୍‌ଡବ୍ଲ୍ୟୁକୁ ସ୍ବାଗତ କରିଛନ୍ତି। ମାତ୍ର ଏହି ପ୍ରକଳ୍ପରେ ସ୍ଥାନୀୟ ଚାଷୀ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ପରିବେଶ ପ୍ରଦୂଷଣ ମାତ୍ରା ଯେପରି ନ ବଢ଼ିବ ସେଥିପ୍ରତି କମ୍ପାନି ଧ୍ୟାନ ଦେଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଶେଷ ଆଡ଼କୁ କିଛି ଲୋକ ପ୍ରକଳ୍ପକୁ ବିରୋଧ କରି ଅବଶ୍ୟ ପାଟିତୁଣ୍ଡ କରିଥିଲେ। ଫଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିର ମୁକାବିଲା ପାଇଁ ଆଜି ସକାଳୁ ଜନ ଶୁଶାଣି ହେବାକୁ ଥିବା ଜଗନ୍ନାଥ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସମ୍ପୂର୍ଣ୍ଣ ଅଞ୍ଚଳକୁ ପୁଲିସ ଛାଉଣି କରାଯାଇଥିଲା। ଜନଶୁଣାଣିକୁ ସୁରକ୍ଷିତ ଭାବେ ପରିଚାଳନା କରିବାକୁ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

ପ୍ରଥମେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗ୍ରିନଫିଲ୍ଡ ଇସ୍ପାତ ପ୍ରକଳ୍ପ ଓ ସିମେଣ୍ଟ୍‌ କାରଖାନା ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ମୋଟ୍ ୪୩ ଜଣ ଭାଗ ନେଇ ସେମାନଙ୍କର ମତାମତ ରଖିଥିଲେ। ଜନ ଶୁଣାଣିରେ ଭାଗ ନେଇ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ କହିଥିଲେ ଯେ ଶିଳ୍ପ ବିନା ପ୍ରଗତି ହୋଇପାରିବ ନାହିଁ। ଢିଙ୍କିଆର ନିର୍ଭୟ ସାମନ୍ତରାୟ କହିଥିଲେ, ଶିଳ୍ପ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ତ୍ରୈପାକ୍ଷିକ ଆଲୋଚନା ମାଧ୍ୟମରେ ଏହା ହେବା ଆବଶ୍ୟକ। ଆଇନଜୀବୀ ଅମୃତ ଦାସ କହିଥିଲେ, କୃଷିକୁ ନଷ୍ଟ କରି ଶିଳ୍ପ କରିବା ବେଆଇନ। ଏଣୁ ଉଭୟ କୃଷି ଓ ଶିଳ୍ପ ଯେମିତି ବଞ୍ଚିବ ସେଭଳି ପଦକ୍ଷେପ ନିଆଯିବା ଆବଶ୍ୟକ। ସଂଜୟ ମହାପାତ୍ର ମଧ୍ୟ ସମାନ ଢଙ୍ଗରେ ଶିଳ୍ପକୁ ସ୍ବାଗତ କରିବା ସହ ପରିବେଶ ଓ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ ଦାବି କରିଥିଲେ। ଏହି ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳ ନୋଳିଆସାହି ଓ ଭୂଇଁପାଳ ବାସିନ୍ଦାଙ୍କୁ ମାଗଣା ପାଣି, ଗ୍ୟାସ୍‌ ଓ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରିଥିଲେ। ଜଟାଧାରୀ ମୁହାଣ ନିକଟରେ ମାଛ ଧରି ଜୀବିକା ନିର୍ବାହ କରୁଥିବା କୈବର୍ତମାନଙ୍କ ହିତ ଦୃଷ୍ଟିରୁ କମ୍ପାନି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ କୈବର୍ତ୍ତ ନେତା ପୀତାମ୍ବର ତରାଇ ଦାବି କରିଥିଲେ।

publive-image

ଏହି ପ୍ରକଳ୍ପକୁ ବିରୋଧ କରି ପରିବେଶବିତ୍ ଅୟସକାନ୍ତ ରାୟ କହିଥିଲେ, ଧୀରେ ଧୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି। ଏହି ଶିଳ୍ପ ହେଲେ ଆହୁରି ପ୍ରଦୂଷଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଣୁ ପରିବେଶକୁ ସୁସ୍ଥ ରଖିବାରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ କି ପଦକ୍ଷେପ ନେବ, ତାହା ସ୍ପଷ୍ଟ କରିବା ଉଚିତ। ସେହିପରି ଗୋବିନ୍ଦପୁର ଗାଁର ଜଣେ ଛାତ୍ରୀ ସୁଜାତା ସାହାଣି ଜନଶୁଣାଣି ସମ୍ପୂର୍ଣ୍ଣ ବେଆଇନ ଭାବେ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଜନଶୁଣାଣି ପୂର୍ବରୁ ଏହି ପ୍ରକଳ୍ପ ସମ୍ବନ୍ଧରେ ସ୍ଥାନୀୟ ଲୋକମାନଙ୍କର ସବିଶେଷ ତଥ୍ୟ ଜାଣିବାକୁ ଅଧିକାର ରହିଥିଲେ ମଧ୍ୟ ଏମିତି କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଥିଲେ। ପରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ ପକ୍ଷରୁ ନିଜସ୍ବ ଜେଟି ନିର୍ମାଣ ପାଇଁ ଜନ ଶୁଣାଣି କରାଯାଇଥିଲା। ଏଥିରେ ୪୦ ଜଣ ଭାଗ ନେଇ ନିଜର ମତାମତ ରଖିଥିଲେ। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ପରାମର୍ଶଦାତା ସତ୍ୟବ୍ରତ ମଲ୍ଲିକ କହିଲେ, କମ୍ପାନି ପକ୍ଷରୁ ସିଧାସଳଖ ୧୨ହଜାର ୫୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାଦ୍ବାରା ୪୫ ହଜାର ଲୋକ ଉପକୃତ ହୋଇପାରିବେ। କମ୍ପାନି ଉପସଭାପତି ରଶ୍ମିରଂଜନ ପାତ୍ର କହିଲେ, କମ୍ପାନି କେବଳ ନିଯୁକ୍ତିକୁ ଗୁରୁତ୍ବ ପ୍ରଦାନ କରିନାହିଁ। ପ୍ରତ୍ୟେକ କର୍ମଚାରୀଙ୍କୁ ଯେପରି ଜଣେ ଜଣେ ବିଶେଷଜ୍ଞ କରା ଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ କମ୍ପାନି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ଅବଲମ୍ବନ କରାଯାଇଛି।

ପ୍ରତିଶ୍ରୁତି ପୂରଣ ନ କଲେ ଚାକିରିରୁ ଓହରିଯିବି: ଜିଲ୍ଲାପାଳ
ମାତ୍ର ଆଜିର ଜନ ଶୁଣାଣିରେ ସମସ୍ତେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏଣୁ ଲୋକମାନଙ୍କ ବିଶ୍ବାସକୁ ଜିତିବାକୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଲେ, ଶିଳ୍ପ ପାଇଁ କମ୍ପାନି ସହ କଦାପି ସାଲିସ କରାଯିବ ନାହିଁ। ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯିବ। ଏ କ୍ଷେତ୍ରରେ ଯଦି କମ୍ପାନି ପଛଘୁଞ୍ଚା ଦିଏ ତେବେ ସେ ଚାକିରିରୁ ଓହରିଯିବାକୁ ନିଷ୍ପତ୍ତି ନେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe