ସାତକୋଶିଆରେ ଖୁବ୍‌ଶୀଘ୍ର ‘ଜଙ୍ଗଲ ସଫାରି’; ଚାରିଟା ଗାଡ଼ି ପାଇଁ ଅର୍ଡର, ଚାଲିଛି ରୁଟ୍‌ ମ୍ୟାପିଂ

ଡିସେମ୍ବର ସୁଦ୍ଧା ପର୍ଯ୍ୟଟକ ବୁଲିବେ ଜଙ୍ଗଲ: ଡିଏଫ୍ଓ

ସାତକୋଶିଆରେ ଖୁବ୍‌ଶୀଘ୍ର ‘ଜଙ୍ଗଲ ସଫାରି’; ଚାରିଟା ଗାଡ଼ି ପାଇଁ ଅର୍ଡର, ଚାଲିଛି ରୁଟ୍‌ ମ୍ୟାପିଂ

ଅନୁଗୁଳ (ବିକାଶ ସାହୁ): ସାତକୋଶିଆ ଅଭୟାରଣ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଜଙ୍ଗଲ ସଫାରି’। ବିନା ବାଧାରେ ଲୋକ ଜଙ୍ଗଲ ଭିତରକୁ ଯିବେ। ଗାଡ଼ି ଭଡ଼ା ଦେଇ ଜଙ୍ଗଲର ମଜ୍ଜା ନେବେ। କେବଳ ଜଙ୍ଗଲ ନୁହେଁ, ସାତକୋଶିଆ ଭିତରେ ଥିବା ଛୋଟ ଛୋଟ ୱାଟର ଫଲ୍‌, ହରିଣ, କୁଟୁରା, କଲରାପତରିଆ ବାଘକୁ ଆଖି ସାମ୍ନାସାମ୍ନି ଦେଖିବାର ସୁଯୋଗ ପାଇବେ। ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ସଫାରି ପାଇଁ ଚାରୋଟି ନୂଆ ଗାଡ଼ି ଅର୍ଡ଼ର କରାଯାଇଛି। ସାତକୋଶିଆ ଅଭୟାରଣ୍ୟର ଲୋଗୋ ସହିତ ଏହି ଗାଡ଼ି ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ କରାଯିବାକୁ ଯୋଜନା ରହିଛି।

ତଥ୍ୟ ମୁତାବକ, ଶୀତ ଏବେ ଆସିଯାଇଥିବା ବେଳେ ପର୍ଯ୍ୟଟନ ଋତୁ ବି ଉପନୀତ ହେଲାଣି। ଗଲା ପ୍ରାୟ ଦୁଇ ବର୍ଷ ହେଲା କୋଭିଡ୍ ପାଇଁ ସାତକୋଶିଆର ପର୍ଯ୍ୟଟନ କ୍ଷେତ୍ରଟି ପୂରା ମାଡ଼ ଖାଇଛି। ସାତକୋଶିଆ ଯଦିଓ ଏକ ଅଭୟାରଣ୍ୟ ଏବଂ ଭାରତ ସରକାରଙ୍କର ଏକ ବ୍ୟାଘ୍ର ପ୍ରକଳ୍ପର ଆଖ୍ୟା ପାଇଛି, କିନ୍ତୁ ଚନ୍ଦକା ଭଳି ଅନ୍ୟାନ୍ୟ ଜଙ୍ଗଲରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜଙ୍ଗଲ ସଫାରି ବ୍ୟବସ୍ଥା ଉପଲବ୍ଧ ଥିଲା, ସାତକୋଶିଆ ଅଭୟାରଣ୍ୟରେ ନାହିଁ। ସାତକୋଶିଆରେ ପର୍ଯ୍ୟଟକ ମଜ୍ଜା ନେବାକୁ ହେଲେ, କେବଳ ହାତଗଣତି କେତୋଟି ନେଚର କ୍ୟାମ୍ପ୍‌, ମହାନଦୀ ଗଣ୍ଡରେ ବୋଟିଂର ବ୍ୟବସ୍ଥା ଥିଲା।କିଛି ଦିନ ତଳେ ଓଡ଼ିଶା ସରକାର ସାତକୋଶିଆରେ ‘ଜଙ୍ଗଲ ସଫାରି’ କରିବାକୁ ଯୋଜନା କରିଥିଲେ। ଯାହା ଏବେ ଫଳପ୍ରଦ ହେବାକୁ ଯାଉଛି।

publive-image ଫଟୋ: ପ୍ରଭାତ, ବନ୍ତଳା

ସାତକୋଶିଆ ଡିଏଫ୍‌ଓ ଶ୍ରୀ ମୀନାଙ୍କ କହିବା ମୁତାବକ, ସାତକୋଶିଆ ବନ୍ୟଖଣ୍ଡ ପାଇଁ ବର୍ତ୍ତମାନ ଚାରୋଟି ଗାଡ଼ି ଅର୍ଡ଼ର କରି ଦିଆଯାଇଛି। ଗାଡ଼ିର ସାଜସଜ୍ଜା ପାଇଁ ମଧ୍ୟ କୁହାଯାଇଛି। ସଫାରି ପାଇଁ ଗାଇଡମାନଙ୍କର ଆବଶ୍ୟକତା ରହିଛି। କେଉଁମାନେ ଗାଇଡ୍ ରହିବେ, ସେମାନେ ପର୍ଯ୍ୟଟକଙ୍କୁ ସାତକୋଶିଆ ଉପରେ କ’ଣ ବୁଝାଇବେ ତାହା ଉପରେ ମଧ୍ୟ କାମ ଚାଲିଛି। ସାତକୋଶିଆ ଘନ ଜଙ୍ଗଲ ଦୁଇ ଭାଗରେ ବିଭକ୍ତ। କିଛି କୋର୍‌ ଏରିଆ ଏବଂ କିଛି ବଫର ଏରିଆ ରହିଛି। ‘ଜଙ୍ଗଲ ସଫାରି’ ବଫର ଏରିଆ ମଧ୍ୟରେ ସୀମିତ କରାଯିବ। କିନ୍ତୁ, କେଉଁ ରୁଟ୍‌ରେ ଗଲେ ପର୍ଯ୍ୟଟକମାନେ ବଫର ଏରିଆରେ ବି ବନ୍ୟଜନ୍ତୁଙ୍କୁ ଆଖି ସାମ୍ନାରେ ଦେଖି ପାରିବେ ଏବଂ ଏହା ଦ୍ବାରା କୋର୍‌ ଏରିଆ ଜଙ୍ଗଲ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ, ସେଥିପାଇଁ ଜଙ୍ଗଲ ସଫାରିର ରୁଟ୍ ମ୍ୟାପିଂ ଚାଲିଛି। ଆସନ୍ତା ମାସେ/ଦୁଇ ମାସ ମଧ୍ୟରେ ସାତକୋଶିଆରେ ଜଙ୍ଗଲ ସଫାରି ଆରମ୍ଭ କରି ଦିଆଯିବ ବୋଲି ସାତକୋଶିଆ ଡିଏଫ୍‌ଓ ଶ୍ରୀ ମୀନା ‘ସମ୍ବାଦ’କୁ କହିଛନ୍ତି।

କେବଳ ସଫାରି ନୁହେଁ, ସାତକୋଶିଆରେ ପର୍ଯ୍ୟଟନକୁ ବିକଶିତ କରିବା ପାଇଁ ବାଲିପୁଟରେ ଏ ବର୍ଷ ନେଚର କ୍ୟାମ୍ପ୍‌ କରାଯିବାକୁ ସରକାର ଅନୁଦାନ ଦେଇଛନ୍ତି। ପୂର୍ବରୁ ଛୋଟକେଇ, ଟିକରପଡ଼ା‌, ପୁରୁଣାକୋଟ୍, ତରଭା ଏବଂ ବାଘମୁଣ୍ଡା ପ୍ରମୁଖ ଇଲାକାରେ ନଚେର କ୍ୟାମ୍ପ୍‌ ଉପଲବ୍‌ଧ ଥିଲା। ଏବେ ବାଲିପୁଟରେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପୁରୁଣା ନେଚର କ୍ୟାମ୍ପ୍‌ରୁ ହିଁ ପର୍ଯ୍ୟଟକଙ୍କର ସଫାରି ଯାତ୍ରା ଆରମ୍ଭ ହେବ। ଏହା ବାବଦକୁ ଭଡ଼ା ଏବଂ ବୁକିଂ ସମ୍ପର୍କରେ ଅନ୍‌ଲାଇନ୍‌ ତଥ୍ୟ ଉପଲବ୍ଧ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe