ରାଣୀପୁର ଝରିଆଲସ୍ଥିତ ଚଉଷଠି ଯୋଗିନୀ ପୀଠ ସାମ୍ନାରେ ଯଜ୍ଞକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

Advertisment
ରାଣୀପୁର ଝରିଆଲସ୍ଥିତ ଚଉଷଠି ଯୋଗିନୀ ପୀଠ ସାମ୍ନାରେ ଯଜ୍ଞକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

କୋଲକାତାରୁ ଆସି ଯଜ୍ଞ କଲେ ବାବା
ଏଏସ୍‌ଆଇର ସୁରକ୍ଷା କର୍ମୀ ଗଲେ କୁଆଡ଼େ?

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ରାଣୀପୁର ଝରିଆଲସ୍ଥିତ ଚଉଷଠି ଯୋଗିନୀ ପୀଠରେ ମଙ୍ଗଳବାର ଏକ ଯଜ୍ଞ ଚାଲିଥିବା ଖବର ସମସ୍ତଙ୍କୁ ଚକିତ କରିଛି। କୋଲକାତାରୁ ଜଣେ ବାବା ଆସି ଯଜ୍ଞ କରୁଥିବା ଦେଖିବାକୁ ମିଳିଥିଲା। ଏଠାରେ ଏଭଳି ଯଜ୍ଞ କେବେ ହୋଇ ନଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଅନ୍ୟପକ୍ଷରେ ଏଏସ୍‌ଆଇ ପକ୍ଷରୁ ନିୟୋଜିତ ସୁରକ୍ଷା କର୍ମୀ ଗଲେ କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ପ୍ରକାଶ ଯେ ଏହି ପୀଠରେ ତନ୍ତ୍ର, ମନ୍ତ୍ର, ଶୈବ, ଶାକ୍ତ, ବୈଷ୍ଣବ, ଜୈନ ଓ ବୌଦ୍ଧ ଧର୍ମର ଅପୂର୍ବ ସମନ୍ବୟ ଦେଖିବାକୁ ମିଳିଥାଏ। ମଙ୍ଗଳବାର ଏଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୋଗିନୀ ମନ୍ଦିରକୁ ଫୁଲ ଓ କଳସରେ ସୁସଜ୍ଜିତ କରାଯାଇଥିଲା। ପୀଠ ସାମ୍ନାରେ କୋଲକାତାରୁ ଆସିଥିବା ଦଳେ ବାବା ଯଜ୍ଞ ଆହୁତି କରିଥିଲେ। ଏହି ଯଜ୍ଞ ସମୟରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇ ଭିଡିଓ ସୁଟିଂ ମଧ୍ୟ କରିଥିଲେ। ଏହାକୁ ନେଇ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ କିଛି ଲୋକେ ଯାଇଥିଲେ। ହେଲେ ବାବା ସିଦ୍ଧ ପୁରୁଷ ହୋଇଥିଲେ ଅଭିଶାପ ଦେବେ ବୋଲି ଭୟ କରି କେହି କିଛି କହିନଥିଲେ।

publive-image

ପରେ ଖବରପାଇ ମନ୍ଦିର କମିଟି ସଭାପତି ମାଣିକ ଚନ୍ଦ ଜୈନ ଓ ଆବାହକ ତଥା ‘ସମ୍ବାଦ’ ସିନ୍ଧେକେଲା ପ୍ରତିନିଧି ଅନିଲ ତ୍ରିପାଠୀ ପୀଠରେ ପହଞ୍ଚିଥିଲେ। ପୀଠ ସାମ୍ନାରେ କେବେ ଯଜ୍ଞ ଆହୁତି ହୋଇ ନଥିଲା। ପୀଠ ବିଷୟରେ ଜାଣିଥିବା ଲୋକେ ଏହାର ସାମ୍ନାରେ ପୂଜା କରିବା ତ ଦୂରର କଥା ସନ୍ଧ୍ୟା ହୋଇଗଲେ ଏଠାକୁ ଆସିବା ପାଇଁ ସାହସ କରନ୍ତି ନାହିଁ। ପୁଣି ଏହା ଭାରତୀୟ ପୂରାତତ୍ତ୍ବ ବିଭାଗ ଅଧୀନରେ ଥିବାରୁ କିଛି ବି କରିବା ପୂର୍ବରୁ ଅନୁମତି ଲୋଡ଼ା। ଏ ସଂପର୍କରେ ବାବାମାନଙ୍କୁ ପଚରାଯିବାରୁ ସେମାନେ କୋଲକାତାରୁ ଆସିଥିବା ଏବଂ ମୁଖ୍ୟ ବାବାଙ୍କ ନାମ ଗୋପାଳ ଭଟ୍ଟାଚାର୍ଯ୍ୟ ବୋଲି କହିଥିଲେ। ଏଠାରେ ପୂଜା ହେଉ ନଥିବା ବିବରଣୀ କୌଣସି ଗ୍ରନ୍ଥରେ ବି ନାହିଁ। ତେଣୁ ସେମାନେ ପୂଜା କରୁଥିବା ମଧ୍ୟ କହିଥିଲେ। ସନାତନ ଧର୍ମ ଅନୁଯାୟୀ କେବଳ ମନ୍ତ୍ର ଜପ କରୁଥିବାରୁ ଏଥିରେ କୌଣସି ପ୍ରକାର ଭୟ ନାହିଁ ବୋଲି କହିଥିଲେ।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏ ଅଞ୍ଚଳରେ କିଛିବର୍ଷ ତଳେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁବଳି, ଜଣେ ବୃଦ୍ଧଙ୍କୁ ଗାଁରେ ବୁଲାଇ ବୁଲାଇ ନିସ୍ତୁକ ମାଡ଼ ମାରିବା ସହ ପରିସ୍ରା ପିଆଇବା, ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରିଦେବା ଭଳି ଘଟଣା ଘଟିଛି। ତେଣୁ ଏ ଅଞ୍ଚଳରେ ଲୋକେ ଏବେବି ଗୁଣିଗାରେଡ଼ି, ତନ୍ତ୍ର, ମନ୍ତ୍ରକୁ କିଛିକାଂଶରେ ବିଶ୍ବାସ କରିଥାନ୍ତି। ଏଭଳି ସମୟରେ ଚଉଷଠି ଯୋଗିନୀ ପୀଠ ସାମନାରେ ପୂଜାପାଠକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପକ୍ଷରେ ଯୋଗିନୀ ପୀଠ ଦାୟିତ୍ବ ଏବେ କେନ୍ଦ୍ର ସରକାରଙ୍କ ଭାରତୀୟ ପୁରାତତ୍ତ୍ବ ବିଭାଗ ହାତରେ। ବିଭାଗ ତରଫରୁ ମୋଟା ଅଙ୍କର ଦରମା ପାଇ ଚାରିଜଣ ଜଗୁଆଳି ନିଯୁକ୍ତ ହୋଇଛନ୍ତି। ହେଲେ ସେମାନେ ରାଣୀପୁର ଝରିଆଲରେ ରହୁନଥିବା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି। ଏହାକୁ ନେଇ ପୁରାତତ୍ତ୍ବ ବିଭାଗର ବିଭାଗୀୟ ଅଧିକାରୀ ସୁଶାନ୍ତ ଗୋଚ୍ଛାୟତଙ୍କୁ ପଚାରିବାରୁ ସେ କହିଥିଲେ ଚାରିଜଣ ଜଗୁଆଳି ସିଫ୍‌ଟ ଅନୁଯାୟୀ ଡ୍ୟୁଟି ଭାଗ କରାଯାଇଛି। ସେ ସମୟରେ ଯାହାର ଡ୍ୟୁଟି ଥିବ ତାକୁ ଅନୁପସ୍ଥିତ ଦର୍ଶାଯିବ ବୋଲି ସେ କହିଥିଲେ। ଏହାର ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe