ଜାପାନୀବାବୁଙ୍କ ପରଲୋକ

Advertisment
ଜାପାନୀବାବୁଙ୍କ ପରଲୋକ

ଭୁବନେଶ୍ବର/କରଞ୍ଜିଆ : ପ୍ରଥିତଯଶା ଗାଳ୍ପିକ ତଥା ଇନ୍‌ଟାକ୍‌ର ରାଜ୍ୟ ସହଆବାହକ ସୁଧୀର କୁମାର ବିଜୟେନ୍ଦ୍ର ଦାସଙ୍କର ପରଲୋକ ଘଟିଛି। ସାରସ୍ବତ ଜଗତରେ ‘ସୁକୁବିନା’ ତଥା ‘ଜାପାନୀବାବୁ’ ନାମରେ ପରିଚିତ ଏହି ଗାଳ୍ପିକଙ୍କୁ ୮୧ବର୍ଷ ହୋଇଥିଲା। ସୋମବାର ଅପରାହ୍‌ଣରେ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବନ୍ଦନା ଦାସ, କନ୍ୟା ପୂରବୀ ଦାସ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ବଡ଼ପୁଅ ପ୍ରବୀର ଦାସ ଆମେରିକାରେ ରହୁଥିବା ବେଳେ ସାନପୁଅ ସିଦ୍ଧାର୍ଥ ଦାସ ଖଡ଼ଗପୁରରେ ରହୁଛନ୍ତି। ଆଜି ସାନପୁଅ ପହଞ୍ଚିଲେ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାଯାଇଛି।

ଜାପାନୀ ଭାଇଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏରୋଡ୍ରମ୍‌ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା‌ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ପ୍ରଫେସର୍‌ ଯତୀନ ନାୟକ, ଇନ୍‌ଟାକ୍‌ ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ, ବୈକୁଣ୍ଠନାଥ ପାଣିଗ୍ରାହୀ, ଦେବାଶିଷ ମହାପାତ୍ର ଓ ସଞ୍ଜୟ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ବିୟୋଗରେ ସାରସ୍ବତ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି ସେମାନେ କହିଛନ୍ତି। ତାଙ୍କ ବିୟୋଗରେ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ମୂଳବାସିନ୍ଦା ଜାପାନୀ ଭାଇ ଭୁବନେଶ୍ବରରେ ପୂର୍ତ୍ତ ବିଭାଗରେ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ୧୯୯୯ ମସିହାରେ ଅବସର ନେବା ପରେ ସାରସ୍ବତ ସାଧନାରେ ବ୍ୟସ୍ତ ଥିଲେ। ୧୯୪୦ ମସିହାରେ ଜନ୍ମିତ ଜାପାନୀ ଭାଇଙ୍କ ବାପା ସୁଧୀର ଚନ୍ଦ୍ର ଦାସ ଜଣେ ସଙ୍ଗୀତଜ୍ଞ, ଗାୟକ, ନାଟ୍ୟକାର ଓ ପ୍ରଯୋଜକ ଭାବେ ପରିଚିତ ଥିଲେ। ଏଣୁ କମ୍‌ ବୟସରୁ ଜାପାନୀ ଭାଇ ସାରସ୍ବତ ଜଗତରେ ପାଦ ଦେଇଥିଲେ। ତାଙ୍କର ଆତ୍ମଜୀବନୀ ‘କରଞ୍ଜିଆବାଲାର ଡାଏରି’ ଲୋକପ୍ରିୟ ହୋଇଥିବା ବେଳେ ତାଙ୍କ ରଚିତ ଗଳ୍ପ ସଂକଳନ ‘ପରିଚିତାର ପରିଚୟ’, ‘ଜାପାନୀବାବୁଙ୍କ କେତୋଟି ଗଳ୍ପ’, ‘ଜାପାନୀବାବୁଙ୍କ ପୁଣି କେତୋଟି ଗଳ୍ପ’, ଜାପାନୀବାବୁଙ୍କ ଆଉ କେତୋଟି ଗଳ୍ପ’, ‘ମନ ଝରକା’, ‘ଅଭାବରେ ଭାବ’, ପ୍ରିୟ ପରିଧି, ‘ଅତଳ ଜଳ’ ପ୍ରଭୃତିରେ ଜୀବନ ସଂଗ୍ରାମର ଜଟିଳତା ପ୍ରତିଫଳିତ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe