ଜାରକା ଆର୍‌ଡି ଡିଭିଜନରେ ମହାଦୁର୍ନୀତି : ନିର୍ମାଣ ଶେଷ ପୂର୍ବରୁ ମରାମତି

Advertisment
ଜାରକା ଆର୍‌ଡି ଡିଭିଜନରେ ମହାଦୁର୍ନୀତି : ନିର୍ମାଣ ଶେଷ ପୂର୍ବରୁ ମରାମତି

ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନରେ ଏକାଧିକ ନିର୍ମାଣ ନାମରେ କୋଟି କୋଟି ହରିଲୁଟ୍ ଚାଲିଛି। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବ୍ୟାପକ ଦୁର୍ନୀତି ଏବେ ଲୋକଲୋଚନକୁ ଆସିଛି। ରାସ୍ତା ନିର୍ମାଣ ସଂପୂର୍ଣ୍ଣ ‌ନହେଉଣୁ ମରାମତି ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିବାକୁ ଅସାଧୁମେଣ୍ଟ ଲାଗିପଡ଼ିଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ପ୍ୟାକେଜ୍ ନମ୍ବର ଓଆର୍-୧୩-୨୩୭ ପଟ୍ଟାମୁଣ୍ଡାଇ କେନାଲ ଠାରୁ ଦେକୁରି ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତାକୁ ନିର୍ମାଣ ପାଇଁ ୧କୋଟି ୧୦ଲକ୍ଷ ୧୯ହଜାର ୫୧୧ଟଙ୍କାରେ ଟେଣ୍ଡର ହୋଇଥିଲା। ରାସ୍ତା ମରାମତି ପାଇଁ ୮ଲକ୍ଷ ୬୨ହଜାର ୫୮୮ଟଙ୍କା ୫ ବର୍ଷରେ ଖର୍ଚ୍ଚ କରାଯିବ ବୋଲି ଠିକାଦାର ସହିତ କର୍ତ୍ତୃପକ୍ଷ ଚୁକ୍ତି କରିଥିଲେ। ୨୦୧୮ ଅକ୍ଟୋବର ପହିଲାରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ବୋଲି ନିର୍ବାହୀ ଯନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କିନ୍ତୁ କ୍ଷେତ୍ର ପରିଦର୍ଶନ ଅନୁଯାୟୀ ୩୦୦ ମିଟରରୁ ଅଧିକ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଏବେ ଜଣାପଡ଼ିଛି ଯେ ରାସ୍ତା କାର୍ଯ୍ୟ ଅସଂପୂର୍ଣ୍ଣ ଥିବାବେଳେ ଓ କୌଣସି ମରାମତି କାର୍ଯ୍ୟ ଠିକାଦାର କରି ନ ଥିବାବେଳେ ମରାମତି ହୋଇଛି ବୋଲି ଦର୍ଶାଇ ମିଥ୍ୟା ବିଲ୍ ପ୍ରସ୍ତୁତ କରାଯାଇଛି। ନିର୍ବାହୀ ଯନ୍ତ୍ରୀ ଚିଠି ନମ୍ବର ୨୩୪୬ ତା-୨୦-୯-୨୦୧୯ ତାରିଖରେ ମାପ ବହି-୧୧୭୭ ପୃଷ୍ଠା ସଂଖ୍ୟା-୧୬ ରେ ୧ଲକ୍ଷ ୨୫ହଜାର ୮୫୫ଟଙ୍କାର ବିଲ୍ ପୈଠ ନିମନ୍ତେ ଅଧୀକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସର୍କଲ କେନ୍ଦ୍ରାପଡା-ଯାଜପୁରଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସରକାରଙ୍କ ନିୟମକାନୁନ ବାହାରକୁ ଯାଇ କାହା ଚାପରେ ଠିକାଦାରକୁ ଅହେତୁକ ଅନୁକମ୍ପା ଦେଖାଯାଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଓ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟର ପର୍ଦ୍ଦାଫାସ ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe