‘ଜାତି ନନ୍ଦିଘୋଷ’ କନକ୍ଲେଭ୍‌ରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ମତ : ମାଗଣା ଖବର ଅଭ୍ୟାସ ଛାଡ଼ିଲେ ଭଲ ଖବର ମିଳିବ

‘ଜାତି ନନ୍ଦିଘୋଷ’ କନକ୍ଲେଭ୍‌ରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ମତ : ମାଗଣା ଖବର ଅଭ୍ୟାସ ଛାଡ଼ିଲେ ଭଲ ଖବର ମିଳିବ

ଗୋଟିଏ ଦଶକରେ ଗଣମାଧ୍ୟମ ଅବସ୍ଥା ବଦଳିଯାଇଛି
ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ସ୍ବାଧୀନ ନୁହେଁ

ଭୁବ‌େନଶ୍ବର : ଆମ ଦେଶରେ ଲୋକଙ୍କର ସବୁ ଜିନିଷ ମାଗଣାରେ ପାଇବାର ଆଶା ରହୁଛି। ଫଳରେ ଲୋକ ଯାହା ଚାହୁଛନ୍ତି, ସେହିଭଳି ଖବର ଲୋକ ପାଉନାହାନ୍ତି। ଲୋକ ଯଦି ଗୋଟିଏ ଖବରକାଗଜ କିଣିବାକୁ ୨୦ ଟଙ୍କା ଖର୍ଚ୍ଚ କରିବେ, ତେବେ ଖବରକାଗଜ ମାଲିକ ଉପରେ କୌଣସି ଚାପ ରହିବନି। ଲୋକ ଯାହା ଚାହିବେ, ତାହା ଖବରକାଗଜରେ ରହିବ। ଏପରିକି ସଂପୂର୍ଣ୍ଣ ନିରପେକ୍ଷ ଖବର ମିଳିବ। କେବଳ ଖବରକାଗଜ ନୁହେଁ, ଦର୍ଶକ ଯଦି ନ୍ୟୁଜ୍‌ ଚ୍ୟାନେଲ୍‌ ବି ଟଙ୍କା ଦେଇ ଦେଖି‌ବେ, ତେବେ ଟିଆର୍‌ପି ଲଢ଼େଇ ଦେଖିବାକୁ ମିଳିବନି କି କୌଣସି ରାଜନୈତିକ ଦଳର ପ୍ରଚାର ଦେଖିବାକୁ ମିଳିବନି। ହେଲେ ଆମ ଲୋକ ୧୦୦ ଟଙ୍କାରେ ୨୦୦ ଚ୍ୟାନେଲ୍‌ ଦେଖୁଛନ୍ତି ପଛେ ୧୦୦ ଟଙ୍କାରେ ପସନ୍ଦର ୧୦ଟି ଚ୍ୟାନେଲ୍‌ ଦେଖୁନାହାନ୍ତି। ଯେଉଁଥିପାଇଁ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକ ରାଜନୈତିକ ଦଳ କିମ୍ବା ବ୍ୟବସାୟୀଙ୍କ ଦ୍ବାରା ପ୍ରଭାବିତ ହେଉଛନ୍ତି। ନନ୍ଦିଘୋଷ ଟିଭିର ବର୍ଷପୂର୍ତ୍ତି ଅବସରରେ ହୋଟେଲ ମେ’‌ ଫେୟାରରେ ଆୟୋଜିତ ‘ଜାତି ନନ୍ଦିଘୋଷ’ ସମ୍ମିଳନୀରେ ଯୋଗଦେଇ ଆଜି ଏପରି ମତ ରଖିଛନ୍ତି ଜାତୀୟସ୍ତରର ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲା।

ଶ୍ରୀ ଚାୱଲା କହିଥିଲେ ଯେ ଏବେ ଜାତୀୟସ୍ତରର ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକରେ ଡିବେଟ୍‌ ନାମରେ ‘ୱିଣ୍ଡୋ ଜର୍ଣ୍ଣାଲିଜିମ୍’ ଚାଲିଛି। ୯ଟି ଚ୍ୟାନେଲ୍‌ରେ ପ୍ରତିଦିନ ୫୦ରୁ ୬୦ଜଣ ପ୍ୟାନେଲିଷ୍ଟଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ କୃଷକ ଆନ୍ଦୋଳନ, ଭାରତର ସୀମା ବିବାଦ, ଅର୍ଥନୀତିଠାରୁ ଆରମ୍ଭ କରି ଘରେ କେମିତି ଭଲରେ ରୋଷେଇ ହୋଇପାରିବ, ତାହା ଉପରେ ବି କହୁଛନ୍ତି। ଏମିତି ବିତର୍କ ହେଉଛି ଯେ ଶେଷକୁ ‌କ’ଣ ଆଲୋଚନା ହେଲା, କ’ଣ ନିଷ୍କର୍ସ ବାହାରିଲା ଜଣାପଡ଼ୁନି। ଗତ ୧୦ବର୍ଷ ତଳେ କିନ୍ତୁ ଏହି ସ୍ଥିତି ନ ଥିଲା। ଗୋଟିଏ ଦଶକରେ ଗଣମାଧ୍ୟମ ଅବସ୍ଥା ବଦଳିଯାଇଛି। ଏଥିରେ ପରିବର୍ତ୍ତନ ଆଣିବାକୁ ହେଲେ ଆମକୁ ବଦଳିବାକୁ ହେବ। ଯାହା ଭଲ ଲାଗୁନି ତାକୁ ତ୍ୟାଗ କରିବାକୁ ହେବ। ତେବେ ଯାଇ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆମେ ଯାହା ଚାହୁ‌ଛୁ, ତାହା ପରିବେଷଣ କରିବେ।

ଶ୍ରୀ ଚାୱଲା ଆହୁରି କହିଥିଲେ, ଏବେ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମ ଚର୍ଚ୍ଚାକୁ ଆସିଛି। ହେଲେ ମନେ ରଖିବାକୁ ହେବ ଯେ ଏହା ସ୍ବାଧୀନ ନୁହେଁ, ପୂରା ପ୍ରଭାବିତ।

ସେହିପରି ଆ‌ଜି ଆୟୋଜିତ ଏହି ସମ୍ମିଳନୀର ବିଭିନ୍ନ ଅଧିବେଶନରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ମତ ରଖିଥିଲେ। ‘ଆସନ୍ତାକାଲିର ଓଡ଼ିଆ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଔପନ୍ୟାସିକ ବିଭୂତି ପଟ୍ଟନାୟକ, ବିଶିଷ୍ଟ କବି ହରିହର ମିଶ୍ର ଓ ଅପର୍ଣ୍ଣା ଦାସ ଯୋଗଦେଇ ମତ ରଖିଥିଲେ। ‘ଓଡ଼ିଶାର ରୂପାନ୍ତର’ ଶୀର୍ଷକ ଆଲୋଚନାଚକ୍ରରେ ଉନ୍ନୟନ କମିସନର ପ୍ରଦୀପ ଜେନା, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଯୋଗଦେଇ ମତ ରଖିଥିବାବେଳେ ‘ମହାମାରୀ ପରର ଅର୍ଥନୀତି’ ଶୀର୍ଷକ ଆଲୋଚନାଚକ୍ରରେ ପ୍ରଫେସର୍‌ କ୍ଷିତୀଶ ଭୂଷଣ ଦାଶ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ତଥା ଚାଟାର୍ଡ ଆକାଉଟାଣ୍ଟ ବିଜୟ କୁମାର ସାହୁ, ପ୍ରଫେସର୍‌ ଜୟନ୍ତ କୁମାର ମହାପାତ୍ର ଯୋଗଦେଇ ମତ ରଖିଥିଲେ। ସେହିପରି ‘ସିନେମାର ଡିଜିଟାଲ ଯାତ୍ରା’ ଶୀର୍ଷକ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସିନେ ସମୀକ୍ଷକ ପୀୟୂଷ ରୟ ଯୋଗଦେଇ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe