ଜଟଣୀ ଜମି ବିବାଦ : ୨୭ରେ ନବୀନ ନିବାସ ଘେରାଉ କରିବାକୁ ବିଧାୟକଙ୍କ ଚେତାବନୀ

Advertisment
ଗୃହରେ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରଶଂସା କଲେ ସୁର ରାଉତରାୟ

Odisha News Times

ଖୋର୍ଦ୍ଧା : ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ଶ୍ରୀଜଗନ୍ନାଥ ଜମି ବୋଲି ରାଜସ୍ବ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ନିଷେଧାଦେଶ ଲଗାଯିବା ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ କରିବାକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୧୨ ମସିହାରେ ଜଟଣୀର ୨୭ଟି ଗ୍ରାମର ବ୍ୟକ୍ତିଗତ ମାଲିକାନାରେ ଥିବା ଶତାଧିକ ଏକର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ଶ୍ରୀଜଗନ୍ନାଥଙ୍କ ଜମି ବୋଲି ଚିହ୍ନଟ କରି ଏହାର କିଣାବିକା ଉପରେ ରୋକ୍‌ ଲଗାଇଥିଲା। ଏହାକୁ ନେଇ ଜଟଣୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ୨୦୧୯ ନିର୍ବାଚନ ବେଳେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଉତରାୟ ବିଧାୟକ ଭାବେ ଜିତିଲେ ଏହାକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନରେ ବିଧାୟକ ଭାବେ ଜିତି ଆସିବା ପରେ କ୍ରମାଗତ ଭାବେ ଜିଲ୍ଲାସ୍ତରୀୟ ବିଭିନ୍ନ ବୈଠକରେ ଏହି ପ୍ରସଙ୍ଗ ଉଠାଇ ଏହାର ସମାଧାନ ପାଇଁ ଦାବି କରି ଆସୁଛନ୍ତି। ତେବେ ଆଜି ବିଧାୟକ ଶ୍ରୀ ରାଉତରାୟ ଏନେଇ ଜିଲ୍ଲାପାଳଙ୍କୁ ଏକ ଚରମ ପତ୍ର ଦେଇଛନ୍ତି। ଏହା ସହ ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ବିଧାୟକ ଶ୍ରୀ ରାଉତରାୟଙ୍କ ଅଭିଯୋଗ ଅନୁସାରେ ଏଭଳି ତ୍ରୁଟି ଯୋଗୁଁ ୨୭ଟି ଗାଁର ପ୍ରାୟ ୨୦୦ଶହ ପରିବାର ନିଜର ଆବଶ୍ୟକତା ମେଣ୍ଟାଇବାକୁ ଜମି ବିକ୍ରି କରିପାରୁ ନାହାନ୍ତି। କେବଳ ସେତିକି ନୁହେଁ; ସେହି ଜମିରେ ଗୃହ ନିର୍ମାଣ କରି ବସବାସ କରୁଥିବା ବ୍ୟକ୍ତିମାନେ ସ୍କୁଲ, ଡାକ୍ତରଖାନା, ରାସ୍ତା ଆଦି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏପରିକି ବାତ୍ୟା ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଆଦି ସହାୟତା ମଧ୍ୟ ସେମାନଙ୍କୁ ମିଳୁନାହିଁ। ଏ ନେଇ କୋର୍ଟରେ ମାମଲା ଲୋକଙ୍କ ସପକ୍ଷରେ ରହିଥିବା ସତ୍ତ୍ବେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରୁନାହିଁ। ଯଦି ୨୬ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନହୁଏ ତେବେ ୨୭ ତାରିଖରେ ସହସ୍ରାଧିକ ଲୋକ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହୁତି ଦେବେ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ଆଜି ଜିଲ୍ଳାପାଳ ଘଟଣାର ଅନୁସନ୍ଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ରାଜ୍ୟ ରାଜସ୍ବ ବିଭାଗକୁ ଚିଠି ଲେଖି ଜଣାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe