ଜଟଣୀ ଛାତ୍ର ହତ୍ୟା ମାମଲା: ନାବାଳକର ହତ୍ୟାକାରୀ ଅନ୍ୟ ଜଣେ ନାବାଳକ

ବାପା ବାକିଆ ଟ୍ୟୁସନ ଫି’ ମାଗିବାରୁ ତାଙ୍କ ପୁଅକୁ ହତ୍ୟା, କଲେଜ ବ୍ୟାଗରୁ ଚିହ୍ନଟ ହେଲା ଅଭିଯୁକ୍ତ

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ଜଟଣୀ: ଜଟଣୀ ଥାନା ବେଣାପଞ୍ଜରୀ ଗଡ଼ସାହି ଗାଁରେ ଗତକାଲି ଘଟିଥିବା ଚାଞ୍ଚଲ୍ୟକର ନାବାଳକ ଛାତ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ପୁଲିସ। ପୁଲିସର ଦାବି ମୁତାବକ, ମୃତ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ ଅନ୍ୟଜଣେ ଜଣେ ନାବାଳକ ହତ୍ୟା କରିଥିବା ତଦନ୍ତରୁ ଜଣା ପଡ଼ିଛି। ଅଭିଯୁକ୍ତ ପୂର୍ବରୁ ଶୁଭମଙ୍କ ବାପା ତଥା ଶିକ୍ଷକ ମନୋଜ ସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା। ଗତକାଲି ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଛୁରି, କଲେଜ ବ୍ୟାଗ୍ ଓ ଚପଲ ଜବତ କରିଥିବା ବେଳେ ବ୍ୟାଗରୁ ଅଭିଯୁକ୍ତର ପୋଷାକ ଓ ନୋଟ୍ ବୁକ୍ ଜବତ କରିଛି। ଉକ୍ତ ପ୍ରମାଣ ଆଧାରରେ ପୁଲିସ ଅଭିଯୁକ୍ତ ନାବାଳକ ପାଖରେ ପହଞ୍ଚିଥିଲା। ତାକୁ ଅଟକ ରଖି ପଚରାଉଚରା କରିବା ପରେ ହତ୍ୟାର ପୂରା ଘଟଣା ସାମ୍‌ନାକୁ ଆସିଥିବା ଡିସିପି ପ୍ରତୀକ ସିଂହ ଆଜି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତ ନାବାଳକ କିଛି ଟିଉସନ୍ ଫି’ ଦେଇନଥିଲା। ପଢ଼ିବା ସମୟରେ ମନୋଜ ସାର୍‌ ବାରମ୍ୱାର ଟଙ୍କା ମାଗିବାକୁ କେନ୍ଦ୍ରକରି ସେ ସାର୍‌ଙ୍କ ପୁଅ ଶୁଭମଙ୍କୁ ହତ୍ୟା କରିଛି ବୋଲି ସ୍ବୀକାର କରିଥିବା ପୁଲିସ କହିଛି। ଅନ୍ୟପଟେ ପୁଲିସର କଥାକୁ ପରିବାର ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଅକୁ ସୁପାରି ଦେଇ ହତ୍ୟା କରାଯାଇଛି ଓ ଏହା ପଛରେ ଆହୁରି ଏକାଧିକ ସାମିଲ ଅଛନ୍ତି ବୋଲି ମୃତ ନାବାଳକଙ୍କ ବାପା ଅଭିଯୋଗ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ବାପା ବାକିଆ ଟ୍ୟୁସନ ଫି’ ମାଗିବାରୁ ତାଙ୍କ ପୁଅକୁ ହତ୍ୟା
କଲେଜ ବ୍ୟାଗରୁ ଚିହ୍ନଟ ହେଲା ଅଭିଯୁକ୍ତ
ପୁଲିସର ତଦନ୍ତକୁ ନେଇ ମୃତ ଛାତ୍ରଙ୍କ ପରିବାର ଓ ଗ୍ରାମବାସୀଙ୍କର ଆପତ୍ତି

ସୂଚନାନୁସାରେ, ମୃତ ଶୁଭମର ବାପା ମନୋଜ ସାର୍‌ ବୃତ୍ତିରେ ଜଣେ ଶିକ୍ଷକ। ଅନେକ ବର୍ଷ ହେଲା ନିଜ ଘରେ ସେ ପିଲାଙ୍କୁ ଟ୍ୟୁସନ୍ କରି ଆସୁଛନ୍ତି। ଅଞ୍ଚଳରେ ତାଙ୍କ ପରିବାରର ବେଶ୍‌ ସୁନାମ ରହିଛି। ଅଭିଯୁକ୍ତ ନାବାଳକର ବାପା ନଥିବା ବେଳେ ସେ ଉକ୍ତ ଗାଁରେ ମାମୁଘରେ ରହି ମନୋଜ ସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା। ସ୍କୁଲପଢ଼ା ସରିବା ପରେ ସେ କଲେଜରେ ଏବେ ଯୁକ୍ତଦୁଇ ବିଜ୍ଞାନ ପଢୁଛି। ଗତକାଲି ସନ୍ଧ୍ୟାରେ ସାର୍‌ଙ୍କ ଘରେ ପସି ତାଙ୍କ ପୁଅ ଶୁଭମଙ୍କୁ ଛୁରି ମାରି କରି ଦୌଡ଼ି ପଳାଥିଲା। ଘର ଭିତରୁ କେହି ଜଣେ ଦୌଡ଼ି ପଳାଇଥିବା ଶୁଭମଙ୍କ ମା' ଦେଖିଥିଲେ, କିନ୍ତୁ ଗୁରୁତର ସହ ନେଇ ନଥିଲେ। ତେବେ ପରେ ପରେ ଘର ଭିତରୁ ଚିତ୍କାର ଶୁଭିବାରୁ ମା' ଦୌଡ଼ି ଯାଇ ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ଦେଖି ସେ ମଧ୍ୟ ଚିତ୍କାର କରିଥିଲେ। ବାପା ମନୋଜ ଓ ବଡ଼ ଭଉଣୀ ଉପର ମହଲା ଘରେ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ କରୁଥିଲେ। ଚିତ୍କାର ଶୁଣି ସେମାନେ ବି ଧାଇଁ ଯାଇଥିଲେ। ତା’ପରେ ପଡ଼ୋଶୀ ଓ ପରିବାର ଲୋକେ ମିଶି ଗୁରୁତର ଅବସ୍ଥାରେ ଶୁଭମଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହ ହତ୍ୟାସ୍ଥାନରୁ ଅଭିଯୁକ୍ତର କଲେଜ ବ୍ୟାଗ୍, ଚପଲ ଓ ହତ୍ୟାରେ ବ୍ୟବହୃତ ଛୁରିକୁ ଜବତ କରିଥିଲା। ସେହି ଆଧାରରେ ପୁଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଥିଲା। ପୁଲିସ୍ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରିବାବେଳେ ସେ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲା। ଅଭିଯୁକ୍ତ ୨୦୨୨ ମସିହାରେ ଶୁଭମଙ୍କ ବାପା ମନୋଜ ସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା।

ଏହି ସମୟରେ ୩,୦୦୦ରୁ ୫,୦୦୦ ଟଙ୍କା ଟ୍ୟୁସନ୍ ଫି’ ବାକି ରହିଯାଇଥିଲା। ମନୋଜ ସେହି ଟଙ୍କାକୁ ବାରମ୍ବାର ମାଗୁଥିଲେ। ତେଣୁ ତାଙ୍କ ଉପରେ ଅଭିଯୁକ୍ତର ରାଗ ରହି ଆସିଥିଲା। ସେହି ରାଗରେ ଗତକାଲି ଦୋକାନରୁ ଏକ ଛୁରି କିଣି ସାର୍‌ଙ୍କ ଘରେ ପସି ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି ବୋଲି ଡିସିପି ସୂଚନା ଦେଇଛନ୍ତି। ଏ ନେଇ ଥାନାରେ ଏକ ମାମଲା (କେସ ନଂ ୩୭୮/୨୩) ରୁଜୁକରି କରି ପୁଲିସ ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟରେ ହାଜର କରି ବାଳ ସୁଧାର ଗୃହକୁ ପଠାଇ ଦେଇଛି। କିନ୍ତୁ ପୁଲିସର କଥାକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନୋଜ ସାର୍‌। ସେ କହିଛନ୍ତି, ଅଭିଯୁକ୍ତ ଛାତ୍ରକୁ ସେ କେବେ ଟିଉସନ୍ ଫି’ ମାଗି ନଥିଲେ। ଦୂର ସମ୍ପର୍କୀୟ ତଥା ଚିହ୍ନା ପରିଚିତ ହୋଇଥିବାରୁ ସେ ଯାହା ଫି’ ଦେଉଥିଲା, ସେ କିଛି କହୁ ନଥିଲେ। ପଢ଼ିବା ସମୟରେ ପ୍ରେମ ସମ୍ପର୍କରୁ ଦୂରେଇ ରହିବାକୁ ଓ ପାଠ କାରଣରୁ ବେଳେ ବେଳେ ତା’କୁ ମାଡ଼ ଦେଇଥିଲେ। ଅଭିଯୁକ୍ତ ନାବାଳକ ଓ ତାର ଜଣେ ସାଙ୍ଗ ପୂର୍ବରୁ ଶୁଭମଙ୍କୁ ‘ଉଡ଼େଇ ଦେବେ’ ବୋଲି ଧମକ ଦେଇ ଆସୁଥିଲେ। କିନ୍ତୁ ମନୋଜ ସାର୍‌ ତାହାକୁ ଗୁରୁତ୍ତ୍ବ ଦେଇ ନଥିଲେ। ହତ୍ୟାକାଣ୍ଡ ପଛରେ ଆହୁରି ଏକାଧିକ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମବାସୀ କହିଛନ୍ତି ଯେ ମନୋଜ ସାର୍ ଓ ତାଙ୍କ ପରିବାର ଲୋକ ବହୁତ ଭଲ। କାହାରି ସହିତ ସେମାନଙ୍କର ଶତ୍ରୁତା ନଥିଲା। ଟ୍ୟୁସନ୍ ଫି ପାଇଁ ଅଭିଯୁକ୍ତ ତାଙ୍କ ପୁଅକୁ ମାରିବା ଘଟଣାରେ କୌଣସି ସତ୍ୟତା ନାହିଁ। ଏହା ପଛରେ ଅନ୍ୟ କିଛି କାରଣ ରହିଛି। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ନାବାଳକର ମା’ କହିଛନ୍ତି ଯେ, ଶୁଭମଙ୍କୁ ତାଙ୍କ ପୁଅ ହତ୍ୟା କରିନାହିଁ। ତା’ର ଜଣେ ସହଯୋଗୀ ହତ୍ୟା କରିଛି। ଶୁଭମଙ୍କୁ ଯିଏ ହତ୍ୟା କରିଛି, ସେ ତାଙ୍କ ପୁଅଠାରୁ ବ୍ୟାଗ ଓ ଚପଲ ନେଇଥିଲା। ହତ୍ୟା କରିବା ପରେ ସେଗୁଡ଼ିକୁ ସେଠାରେ ଛାଡ଼ି ପଳାଇ ଆସିଛି। ତେବେ ସେ ପୁଣି କହିଛନ୍ତି, ଯଦି ବି ତାଙ୍କ ପୁଅ ହତ୍ୟା କରିଥିବ, ତା’ହେଲେ କାହା ଚାପରେ ହତ୍ୟା କରିଥିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe