ଖୋର୍ଦ୍ଧା: ସ୍ଥାନୀୟ ଗୁରୁଜଙ୍ଗସ୍ଥିତ ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଇଣ୍ଡିସ୍‌ ରୋଗ ବିସ୍ଫୋରକ ରୂପ ନେବା ପରେ କର୍ତ୍ତୃପକ୍ଷ ବିଦ୍ୟାଳୟ କ୍ୟାମ୍ପସ୍‌କୁ ସମ୍ପୂର୍ଣ୍ଣ ଖାଲି କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟରେ ପଢ଼ୁଥିବା ୫୬୦ ପିଲାଙ୍କୁ ଘରକୁ ପଠାଇ ଦେବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ନୋଟିସ୍‌ ବାହାର କରିଛନ୍ତି। ଏଥିପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ପିଲାଙ୍କୁ ନେଇଯିବାକୁ ସମସ୍ତ ଅଭିଭାବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ତାରିଖ ଯାଏଁ ସମସ୍ତ ପିଲା ନିଜ ଘରେ ରହିବେ ବୋଲି ବିଦ୍ୟାଳୟର ଅଧ୍ୟକ୍ଷା କବିତା କର ଗଣମାଧ୍ୟମକୁ କହିଛନ୍ତି।

Advertisment

Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ

ପ୍ରଥମେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପରେ ଭୋପାଳ ଆଞ୍ଚଳିକ କାର୍ଯ୍ୟାଳୟ ନବୋଦୟ କ୍ୟାମ୍ପସ ଭିତରେ ପଶି ତନାଘନା କରିବା ପରେ ଆଜି ଦିଲ୍ଲୀସ୍ଥିତ ନବୋଦୟ ବିଦ୍ୟାଳୟ ସମିତିର କମିସନର ରାଜେଶ ଲେଖାନି ବିଦ୍ୟାଳୟ ଗସ୍ତ କରି ରୋଗର କାରଣ ଖୋଜିଥିଲେ। ଏ ରୋଗର ଶୃଙ୍ଖଳକୁ କେମିତି ଛିନ୍ନ କରାଯିବ ତା’ ଉପର ସମସ୍ତ ବିଭାଗ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ଆଲୋଚନା ଆଧାରରେ ଆସନ୍ତା ୧୪ତାରିଖ ସନ୍ଧ୍ୟାରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଫେରିବେ। ୧୫ତାରିଖ ଦିନ ଅନ୍ୟାନ୍ୟ ଶ୍ରେଣୀର ପିଲାମାନେ ଆସିବେ ବୋଲି ଅଭିଭାବକଙ୍କୁ କୁହାଯାଇଛି ବୋଲି ଶ୍ରୀମତୀ କର ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ମାଇଗ୍ରେସନ୍‌ ଯୋଜନାରେ ବାରଣସୀରୁ କିଛି ବିଦ୍ୟାର୍ଥୀ ଆସି ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ଠିକ୍‌ ସେହିପରି ଖୋର୍ଦ୍ଧାର କିଛି ବିଦ୍ୟାର୍ଥୀ ବାରାଣସୀକୁ ଯାଇଥିଲେ। ସେମାନଙ୍କୁ ମଧ୍ୟ ନିଜ ନିଜ ବିଦ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ବାରଣସୀ ବିଦ୍ୟାର୍ଥୀ ବାରଣସୀକୁ ଯିବେ, ଖୋର୍ଦ୍ଧାର ଯେଉଁ ପିଲାମାନେ ଘରକୁ ଆସିଛନ୍ତି, ସେମାନେ ଖୋର୍ଦ୍ଧା ନବୋଦୟ କ୍ୟାମ୍ପସ୍‌କୁ ଫେରିବେ ବୋଲି ଶ୍ରୀମତୀ କର ସୂଚନା ଦେଇଛନ୍ତି। ଯେଉଁ ସାତ ଦିନ ବିଦ୍ୟାଳୟ କ୍ୟାମ୍ପସ୍‌ ଖାଲି ରହିବ, ତା’ ମଧ୍ୟରେ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସଫେଇ କରାଯିବ। ଏଥିପାଇଁ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ କମିସନର ଡ. ଜରିନା କ୍ୟୁରେସୀ ବିଦ୍ୟାଳୟ କ୍ୟାମ୍ପସରେ ରହି ସଫେଇର ତନାରଖ କରିବେ ବୋଲି ଡେପୁଟି କମିସନର ଆର୍‌କେ ବର୍ମା ସୂଚନା ଦେଇଛନ୍ତି।

ଜାନୁଆରି ୧୪ ଯାଏଁ କ୍ୟାମ୍ପସ୍‌ ଖାଲି 
ଆକ୍ରାନ୍ତଙ୍କ ସଂଖ୍ୟା ୮୧: ଡେପୁଟି କମିସନର୍‌

ବିଦ୍ୟାଳୟରେ ପିଲାଙ୍କର ପ୍ରି-ବୋର୍ଡ ପରୀକ୍ଷା ଥିବା ବେଳେ ବିଦ୍ୟାଳୟ ଛୁଟି ଯୋଗୁ ଏହା ବ୍ୟାଘାତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଥିଲେ। ସେହିପରି ଆସନ୍ତା ଫେବ୍ରୁଆରି ୧୬ରୁ ବୋର୍ଡ ପରୀକ୍ଷା ବି ଅସୁବିଧା ହେବ ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଥିଲେ। ପ୍ରି-ବୋର୍ଡ ପରୀକ୍ଷା ନବୋଦୟ ବିଦ୍ୟାଳୟ ସମିତି ଆୟୋଜନ କରୁଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ପୁଣି ଥରେ ପରୀକ୍ଷା ଆୟୋଜନ ପାଇଁ ଡେପୁଟି କମିସନର ଶ୍ରୀ ବର୍ମା ପ୍ରତିଶ୍ରୁତି ଦେଇଛନ୍ତି। ବିଦ୍ୟାଳୟର ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଏ ସଂଖ୍ୟା ୮୧ରେ ପହଞ୍ଚିଛି ବୋଲି ଡେପୁଟି କମିସନର ଶ୍ରୀ ବର୍ମା ସୂଚନା ଦେଇଛନ୍ତି। ଜିଲ୍ଲାରୁ ଦିଲ୍ଲୀ ଯାଏଁ ଗୋଟିଏ ପରେ ଗୋଟିଏ ଟିମ୍ ବିଦ୍ୟାଳୟ କ୍ୟାମ୍ପସରେ ତଦନ୍ତ କଲା ପରେ ମଧ୍ୟ ଜଣ୍ଡିସ୍‌ କାହିଁକି ବ୍ୟାପିଲା, ତାହାକୁ ନେଇ କେହି ଏଯାବତ୍‌ ସ୍ପଷ୍ଟ ନୁହନ୍ତି। କିଛି କାରଣ ସ୍ପଷ୍ଟ ହୋଇପାରୁନାହିଁ ବୋଲି ଅଧ୍ୟକ୍ଷା ଶ୍ରୀମତୀ କର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗତ ଡିସେମ୍ବର ୧୬ରେ ଜଳ ନମୁନା ପରୀକ୍ଷା ହୋଇଥିଲା। ତିନି ସ୍ଥାନରୁ ନମୁନା ନେଇ ପରୀକ୍ଷଣ ପାଇଁ ପଠାଯାଇଥିଲା। କିନ୍ତୁ, କେଉଁଥିରୁ କିଛି ସ୍ପଷ୍ଟ ହେଲା ନାହିଁ। ବିଦ୍ୟାଳୟରେ ବିଭିନ୍ନ ପ୍ରକାର ନିର୍ମାଣ କାମ ଚାଲିଛି। ସମ୍ଭବତଃ କେଉଁଠି ମେସିନ୍‌ ବାଜି ପାଇପ୍‌ ଫାଟି ଯାଇଥାଇପାରେ ବୋଲି ଅଧ୍ୟକ୍ଷା ଆଶଙ୍କା କରିଛନ୍ତି। ପୁଣି ଜଳ ନମୁନା ପରୀକ୍ଷା  ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

Health: ଭଦ୍ରକ ଜିଲ୍ଲାରେ ୧୨୯ ଡାକ୍ତର ପଦବି ଖାଲି, ନୂଆ  ନିଯୁକ୍ତି ହେଲେ ୪