ସେଦିନର ଯବାନ ଆଜିର ଦିନ ମଜୁରିଆ

ସେଦିନର ଯବାନ ଆଜିର ଦିନ ମଜୁରିଆ

ନୂଆପଡ଼ା : ନିଜ ଘର ଦ୍ବାରା ଛାଡ଼ି ଦେଶ ସେବା ପାଇଁ ନିଜକୁ ସମର୍ପିତ କରିଥିବା ଜଣେ ଯବାନ ଆଜି ଦିନମଜୁରିଆ ଭାବ‌େ କାଳ କାଟୁଛନ୍ତି। ଯବାନ ଚାକିରି ଛାଡ଼ିବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଆଜି ଯାଏ ପେନସନ, ଜିପିଏଫ୍‌ ଆଦି ମିଳିନଥିବା ସେ ପ୍ରକାଶ କରିଛନ୍ତି। ଫଳରେ ସେ ନିଜ ଗାଁରେ ବିଭିନ୍ନ ଲୋକଙ୍କ ଘରକୁ ଯାଇ କୁଳିମଜୁରି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ଗୋଡ଼ଫୁଲ ପଞ୍ଚାୟତ ପରଖୋଲ ଗାଁର।

ଏହି ଗାଁର ଚାନ୍ଦୁରାମ ମାଝୀ ୧୯୮୮ମସିହାରେ ଭାରତୀୟ ସୈନ୍ୟ ବାହିନୀରେ କନେଷ୍ଟବଳ ଭାବେ ଯୋଗ ଦେଇଥିଲେ। ରାଜସ୍ଥାନ, ଜମ୍ମୁକାଶ୍ମୀର, ପଶ୍ଚିମବଙ୍ଗ, ଚଣ୍ଡୀଗଡ଼ ସୀମାରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ଥିଲେ। ୨୦୧୧ ମସିହାରେ ତାଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ। ଗାଁକୁ ଛୁଟିରେ ଆସି ସ୍ତ୍ରୀଙ୍କ ଶବସତ୍କାର କରି ୪୧ ଦିନ ବିନା ଅନୁମତିରେ ଛୁଟିରେ ରହିଗଲେ। ସୈନ୍ୟ ବାହିନୀ ବିଭାଗ ପକ୍ଷରୁ ଯୋଗଦାନ କରିବା ପାଇଁ ଚାନ୍ଦୁରାମଙ୍କ ପାଖକୁ ଚିଠି ଆସିଲା। ହେଲେ ସେ ନିଜ ସମସ୍ୟା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ପରେ ସୈନ୍ୟ ବିଭାଗ ପକ୍ଷରୁ ଯବାନଙ୍କୁ ୩ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ପରେ ପୁଣି ଏକ ବର୍ଷ ସୈନ୍ୟ ବହାନୀରେ କାମ କରିଥିଲେ। ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ପେନସନ ସହ ଜିପିଏଫ୍‌ ଟଙ୍କା ମଧ୍ୟ ମିଳି ନାହିଁ। ଏ ସଂପର୍କରେ ସେ ବାରମ୍ବାର ସେ ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ଯାଏ ତାଙ୍କୁ କିଛି ମିଳି ନାହିଁ। ବର୍ତ୍ତମାନ ଘରେ ୪ଟି ଝିଅ କ୍ଷେତ୍ରୀ ମାଝୀ(୨୨), ଶିବାନୀ ମାଝୀ(୧୮), ମନିକା (୧୫), ବୈ‌ଷ୍ଣବୀ ମାଝୀ (୧୦) ରହିଛନ୍ତି। ସେହିପରି ଆଜିପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଉଳ କି ଘରଟିଏ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ଏ ସଂପର୍କରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ପଚରାଯିବାରୁ ବର୍ତ୍ତମାନ ଖବର ପାଇଛନ୍ତି, ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe