ଚନ୍ଦ୍ରଶେଖରପୁର: ଦିନେ କି ମାସେ ନୁହେଁ; ବରଂ ବର୍ଷ ବର୍ଷ ହେଲା ଜୟଦେବବିହାରରୁ ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଯନ୍ତ୍ରଣାରେ ପେଷି ହେଉଛନ୍ତି ଦ୍ବୈତ୍ୟନଗରୀବାସୀ। ତ୍ରିଶୂଳିଆ ବ୍ରିଜ୍‌ ଉଦ୍‌ଘାଟନ ହେବା ପରଠାରୁ ଏହି ରାସ୍ତା ଏବେ କଟକ-ଭୁବନେଶ୍ବର ସହରବାସୀଙ୍କ ଜୀବନରେଖା ପାଲଟିଛି। ଉଭୟ ସହର ମଧ୍ୟରେ ଦୂରତା କମ୍‌ ହେଉଥିବାରୁ ଦ୍ବୈତ୍ୟନଗରୀର ଲୋକେ ଏହି ରାସ୍ତାରେ ଯାତାୟାତ କରିବାକୁ ପସନ୍ଦ କରୁଛନ୍ତି। ଯାହାକି ଏବେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟିର ପ୍ରମୁଖ କାରଣ ପାଲଟିଛି। ଏକ ଦଶନ୍ଧିରୁ ଅଧିକ ସମୟ ହେଲା ଟ୍ରାଫିକ୍‌ ଭିଡ଼ କମାଇବାକୁ ଉଦ୍ୟମ ହେଉଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ୧୨ କିଲୋମିଟରର ଏହି ରାସ୍ତାରୁ ଭିଡ଼ ଦୂର ଲାଗି ୨୦୧୯ ସୁଦ୍ଧା ସମାନ୍ତରାଳ ରାସ୍ତା ଖୋଲିବାକୁ ୨୦୧୫ରେ ତତ୍‌କାଳୀନ ସରକାର ନିଷ୍ପତ୍ତି ନେଇଥିଲେ। ରାସ୍ତା କିଭଳି ସଂଯୋଗ କରାଯିବ, ରାସ୍ତାର ଡିଜାଇନ୍‌ କେମିତି ହେବ, ରାସ୍ତାପାର୍ଶ୍ବରେ କେଉଁ ସବୁ ବ୍ୟବସ୍ଥା ରହିବ, ଏସବୁ ସ୍ଥିର ହୋଇଥିଲା। ମାତ୍ର କାମ ଆଗେଇ ପାରିନାହିଁ। ଏବେ ସବୁ କିଛି ଅଧପନ୍ତରିଆ। କେଉଁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ଜଙ୍ଗଲ ଜମି ବାଟ ଓଗାଳିଛି। ଫଳରେ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ପରି ସମାନ୍ତରାଳ ରାସ୍ତାର ଭାଗ୍ୟ ବି ଘୁଞ୍ଚି ଚାଲିଛି।

Advertisment

୧୦ ବର୍ଷ ହେଲା ସମାନ୍ତରାଳ ରାସ୍ତା ସରୁନି 
ଭିଡ଼ କମାଇବ ତ ଏଲିଭେଟେଡ୍ କରିଡର?
୩ ସପ୍ତାହରେ ୧୯ ଦୁର୍ଘଟଣା, ୩ ଆହତ

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜୟଦେବବିହାରରୁ କଳାରାହାଙ୍ଗ ପର୍ଯ୍ୟନ୍ତ ନୂଆ ଏଲିଭେଟେଡ୍ କରିଡର ନିର୍ମାଣ କରିବାକୁ ଇତିମଧ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୯.୫ କିଲୋମିଟରର ଏହି ରାସ୍ତା ନିର୍ମାଣ କରିବାକୁ ୯୫୨ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ପ୍ରକଳ୍ପ ଅଧୀନରେ ୪ଟି ଫ୍ଲାଏଓଭର ସହ ରାସ୍ତାକୁ ୮ ଲେନ୍‌ କରାଯିବ। ଏହାଦ୍ବାରା ସହରର ଜନଗହଳିପୂର୍ଣ୍ଣ ରାସ୍ତାର ଟ୍ରାଫିକ୍‌ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଜନସାଧାରଣ କମ୍ ସମୟ ମଧ୍ୟରେ ସୁବିଧାରେ ଯିବା ଆସିବା କରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଭୁବନେଶ୍ବର ସିଡିପି-୨୦୩୦ ଆଧାରରେ ୯.୫ କିମିର ଏହି ରାସ୍ତାର ଏକାଧିକ ସ୍ଥାନରେ ଜଙ୍କସନ୍‌ ରହିବ। ଏବେ ୬ ଲେନ୍‌ ବିଶିଷ୍ଟ ଥିବା ଏହି ରାସ୍ତାକୁ ୮ ଲେନ୍‌ କରାଯିବ। କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ, କିଟ୍ ଛକ ଓ କଳାରାହାଙ୍ଗ ଜଙ୍କସନ୍‌ରେ ୪ ଲେନ୍‌ ବିଶିଷ୍ଟ ଫ୍ଲାଏ-ଓଭର ନିର୍ମାଣ କରାଯିବ। ସେହିପରି ଉଭୟ ପାର୍ଶ୍ବ‌ରେ ହାରାହାରି ୧୭.୫ କିଲୋମିଟର ଲମ୍ବର ସର୍ଭିସ୍‌ ରୋଡ୍‌ ଏବଂ ୯ କିଲୋମିଟର ଲମ୍ବ ଓ ୭.୫ ମିଟର ଚଉଡ଼ାର ସ୍ଲିପ୍‌ ରୋଡ୍‌ ରହିବ। ଏବେ ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ କେବେ ସୁଦ୍ଧା ଶେଷ ହେବ ସେନେଇ କେହି କିଛି କହି ନାହାନ୍ତି। କଳାରାହାଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ଡିଜାଇନ୍‌ ହୋଇଥିବା ବେଳେ ସେଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ବାକି ଥିବା ୩ରୁ ୪ କିମି ରାସ୍ତା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ପରିଣାମ ସ୍ବରୂପ କଳାରାହାଙ୍ଗ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାରେ ଏବେ ଯେଉଁଭଳି ଭିଡ଼ ହେଉଛି ତାହା ଆଗକୁ ଆହୁରି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।

Climate change impacts: ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୩ ବନାଞ୍ଚଳରେ ହ୍ରାସ ପାଇଛି ପକ୍ଷୀବଂଶ

ଜୟଦେବବିହାର-ନନ୍ଦନକାନନ ରାସ୍ତାଠାରୁ ୨୦୦ରୁ ଏକ କିଲୋମିଟର ଦୂରରେ ୨୦ରୁ ଅଧିକ ଘରୋଇ ହସ୍ପିଟାଲ ରହିଛି। କିନ୍ତୁ ପ୍ରବଳ ଭିଡ଼ ଯୋଗୁ ବହୁ ସମୟରେ ଆମ୍ବୁଲାନ୍ସରେ ଯିବା ସମୟରେ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ନଜରରେ ରଖି ଏହି ରାସ୍ତାରେ ଆମ୍ବୁଲାନ୍ସ କରିଡର କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ‌ହୋଇପାରି ନାହିଁ। ବରଂ ଏହି ରାସ୍ତା ଏବେ ଦୁର୍ଘଟଣାପ୍ରବଣ ଭାବେ ପରିଚୟ ଲାଭ କରିଛି। ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ନିର୍ମାଣ ଆଗେଇଥିଲେ ମଧ୍ୟ ଭିଡ଼ ରୋକିବାରେ ଯଥେଷ୍ଟ ହେଉ ନାହିଁ। ଡାହାଣପାର୍ଶ୍ବ ସମାନ୍ତରାଳ ରାସ୍ତା ଅଧା ବାଟରେ ରହିଛି। ୧୦ ବର୍ଷ ହେଲା ଉଭୟ ରାସ୍ତା କାମ ଶେଷ ହେଉନାହିଁ। ଏପଟେ ମୁଖ୍ୟ ରାସ୍ତାରେ ଭିଡ଼ କମିବା ବଦଳରେ ବଢ଼ିବାରେ ଲାଗିଛି। ୨୦୨୬ର ପ୍ରଥମ ତିନି ସପ୍ତାହରେ ହିଁ ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ୧୯ରୁ ଅଧିକ ଛୋଟବଡ଼ ଦୁର୍ଘଟଣା ହୋଇଛି, ‌ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ଘଟଇଥିବା ବେଳେ ୫ରୁ ଅଧିକ ଆହତ ହୋଇଛନ୍ତି। ଏହି ରାସ୍ତାରେ ବାରମ୍ବାର ଘଟୁଥିବା ଦୁର୍ଘଟଣାରେ ରୋକ୍‌ ଲଗାଇବା ଦିଗରେ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ।

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ