୬୪ ବର୍ଷ ବୟସରେ ଡାକ୍ତରୀ ଛାତ୍ର ହେଲେ ଜୟକିଶୋର

Advertisment
୬୪ ବର୍ଷ ବୟସରେ ଡାକ୍ତରୀ ଛାତ୍ର ହେଲେ ଜୟକିଶୋର

ସମ୍ବଲପୁର: ଶିକ୍ଷା ପାଇଁ ବୟସ ବାଧକ ନୁହେଁ। କେବଳ ଦୃଢ଼ ଇଚ୍ଛାଶକ୍ତି ହିଁ ଆବଶ୍ୟକ। ଏହି ଉକ୍ତିକୁ ସତ ପ୍ରମାଣିତ କରି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍‌ ଅଧିକାରୀ ଜୟକିଶୋର ପ୍ରଧାନ। ୬୪ ବର୍ଷ ବୟସରେ ନିଟ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଗୁରୁବାର ସେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ ଆଣ୍ଡ ରିସର୍ଚ(ଭିମ୍‌ସାର)ରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି। ଏତେ ଅଧିକ ବୟସରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

publive-image

ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ଏବଂ ଜୟକିଶୋର ଏହି ଅନୁଷ୍ଠାନରେ ନାମ ଲେଖାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୋଲି ଭିମ୍‌ସାର ନିର୍ଦେଶକ ପ୍ରଫେସର ଲଲିତ ମେହେର କହିଛନ୍ତି। ସେପଟେ, କ୍ୟାରିୟର୍‌ ଆରମ୍ଭରୁ ଥିବା ଇଚ୍ଛା ଏବେ ପୂରଣ ହୋଇଥିବାରୁ ଶ୍ରୀ ପ୍ରଧାନ ମଧ୍ୟ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। କିଭଳି ଭାବେ ଠିକ୍‌ରେ ପାଠ ପଢ଼ି ଜଣେ ଉତ୍ତମ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ ତାହା ହିଁ ତାଙ୍କର ଲକ୍ଷ୍ୟ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି। ବରଗଡ଼ ଜିଲ୍ଲା ଅତାବିରାର ବାସିନ୍ଦା ଶ୍ରୀ ପ୍ରଧାନ ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ନିଟ୍‌ ପରୀକ୍ଷା ଦେଇଥିଲେ। ଏଥିରେ ସେ ଭଲ ରାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ସିଟ୍‌ରେ ଶ୍ରୀ ପ୍ରଧାନ ଭିମ୍‌ସାରରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ବୁଧବାର ତାଙ୍କ ନାମଲେଖା ହୋଇଥିବା ସମୟରେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି। ନିଟ୍‌ ପରୀକ୍ଷା ପାଇଁ ସର୍ବନିମ୍ନ ବୟସ ସୀମା ୧୭ ବର୍ଷ ଥିବା ସମୟରେ ସର୍ବାଧିକ ବୟସ ସୀମା ନାହିଁ। ସୁପ୍ରିମ କୋର୍ଟରେ ଏ ନେଇ ମାମଲା ଚାଲିଛି; ଯାହାକି ତାଙ୍କ ଇଚ୍ଛାଶକ୍ତି ପୂରଣ ପାଇଁ ବେଶ୍‌ ସହାୟକ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଉଲ୍ଳେଖଯୋଗ୍ୟ, ଶ୍ରୀ ପ୍ରଧାନଙ୍କ ଝିଅ ମଧ୍ୟ ଡାକ୍ତରୀ ଛାତ୍ରୀ। ସେ ବିଳାସପୁରରେ ବିଡିଏସ୍‌ ଦ୍ବିତୀୟ ବର୍ଷରେ ପାଠ ପଢ଼ୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe