ସମ୍ବଲପୁର: ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନକୁ ବିରୋଧ କରିବା ସହିତ ‘ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ’ ବୋଲି କହି ରାଜ୍ୟରେ ଝଡ଼ ସୃଷ୍ଟି କରିଥିବା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ପୁଣି ଦଳ ବିରୋଧରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଆସନ୍ତା ୨୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ବୁର୍ଲା ଏମ୍ସିଏଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜୟନାରାୟଣଙ୍କୁ ମଞ୍ଚରେ ବସିବା ପାଇଁ ବାରମ୍ବାର ଡକାଯାଇଥିଲେ ବି ସେ ଯାଇନଥିଲେ। ସଭା ପରିଚାଳନା କରୁଥିବା ରାଜ୍ୟ ସାଧାରଣ ସଂପାଦକ ସୀମାଞ୍ଚଳ ଖଟାଇ ବିଧାୟକ ଜୟନାରାୟଣଙ୍କୁ ମଞ୍ଚାସୀନ ହେବା ପାଇଁ ଅନୁରୋଧ କରିଥିଲେ। ହେଲେ, ସେ ମନା କରିଦେଇଥିଲେ। ଏହା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ନାଉରୀ ନାୟକ ମଧ୍ୟ ଜୟନାରାୟଣଙ୍କୁ ମଞ୍ଚରେ ବସିବା ପାଇଁ ଡାକିଥିଲେ। ହେଲେ ‘ମୋର ଯୋଗ୍ୟତା ନାହିଁ’ କହି ସେଠାକୁ ଯିବାକୁ ସେ ମନା କରିଦେଇଥିଲେ। ଏ ସଂପର୍କରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଛନ୍ତି ‘ସେଠାରେ ବସିବା ପାଇଁ ମୋର ଯୋଗ୍ୟତା ନାହିଁ। ତେଣୁ ମୁଁ ଗଲି ନାହିଁ। ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସଂପାଦକ, ମନ୍ତ୍ରୀମାନଙ୍କ ବସିବା ପାଇଁ ସେହି ଜାଗା ଉଦ୍ଦିଷ୍ଟ ଥିଲା। ତେଣୁ ସେହି ଜାଗାକୁ ସେ କେମିତି ଯିବେ?
ମୁଁ ଜଣେ ସାଧାରଣ ବିଧାୟକ। ତେଣୁ ଅନ୍ୟ ବିଧାୟକମାନଙ୍କ ଭଳି ପଛରେ ବସିଥିଲି’ ବୋଲି କହିଛନ୍ତି। ବରିଷ୍ଠ ବିଧାୟକ ହୋଇଥିବା ସଂପର୍କିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ ପୁଣି କହିଲେ, ‘ବରିଷ୍ଠର କ’ଣ ଭେଲ୍ୟୁ (ମୂଲ୍ୟ) ଅଛି’। ଅବଶ୍ୟ ପରେ ପୁଣି କହିଥିଲେ, ମୋ ପାର୍ଟି, ମୋତେ କିଏ କାହିଁକି ଅବହେଳା କରିବ ବୋଲି କହି ତେରଛା ବାଣ ମାରିଥିଲେ। ଜୟନାରାୟଣ ଆଜି ବୈଠକରେ ଦଳୀୟ ନେତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ। ରାତିରେ ପୁଣି କଚେରି ରୋଡ୍ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜୟନାରାୟଣଙ୍କ ସହିତ ରାଜ୍ୟ ସଭାପତି ମନମୋହନ ସାମଲ ବେଶ୍ କିଛି ସମୟ ପର୍ଯ୍ୟନ୍ତ କେତେକ ପ୍ରସଂଗରେ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ଚୟନ ସହିତ ଅନ୍ୟାନ୍ୟ ପ୍ରସଂଗରେ ଆଲୋଚନା ହୋଇଥିଲା। ପ୍ରସ୍ତୁତି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଞ୍ଚାସୀନ ଥିଲେ। ଆଜିର ବୈଠକରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି ଲୋକସଭା କ୍ଷେତ୍ର ଅନ୍ତର୍ଗତ ବିଜେପି ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତିଙ୍କ ସମେତ ରାଜ୍ୟସ୍ତରୀୟ ନେତାମାନେ ଯୋଗ ଦେଇଥିଲେ। ବୈଠକରେ ଅନୁଗୁଳ ଜିଲ୍ଲାର ବିଧାୟକ ଓ ଦଳୀୟ ଜିଲ୍ଲା ସଭାପତି ମଧ୍ୟ ସାମିଲ ହୋଇଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବା ପରେ ହେଲିକପ୍ଟର ଯୋଗେ ବୁର୍ଲାରେ ପହଞ୍ଚି ଏମ୍ସିଏଲ୍ ଅତିଥିଶାଳାରେ ରାତ୍ରିଯାପନ କରିବେ। ୨୨ ତାରିଖ ସକାଳ ସାଢ଼େ ୮ଟାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଦର୍ଶନ କରିବା ପରେ ଦିନ ୧୦ଟାରେ ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ଜନସଭାରେ ଯୋଗ ଦେବେ। ଏହି ଅବସରରେ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର କାର୍ଯ୍ୟକ୍ରମ ସାରି ଝାରସୁଗୁଡ଼ା ଦେଇ ଭୁବନେଶ୍ବର ପହଞ୍ଚିବା ପରେ ପୁରୀରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ପୁରୀ, ଜଟଣୀ, ଭୁବନେଶ୍ବର ଆଦି କେତେକ ଜାଗାରେ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
Follow Us