ଜୟଦ୍ରଥଙ୍କୁ ଅକାଦେମି ଯୁବ ପୁରସ୍କାର

Advertisment
ଜୟଦ୍ରଥଙ୍କୁ ଅକାଦେମି ଯୁବ ପୁରସ୍କାର

ଭୁବନେଶ୍ବର : କଳାହାଣ୍ଡିର ପୁଅ ଜୟଦ୍ରଥ ସୁନା କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ଗ୍ରହଣ କରିଛନ୍ତି। ତାଙ୍କ ରଚିତ ପ୍ରଥମ କବିତା ପୁସ୍ତକ ‌‘ଶୋଷ’ ପାଇଁ ମଣିପୁର ଇମ୍ଫାଲ୍‌ସ୍ଥିତ ଆଦିବାସୀ ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶେଷ ଉତ୍ସବରେ ସେ ସମ୍ବର୍ଧିତ ହୋଇଛନ୍ତି। ମୋଟ୍‌ ୨୨ଟି ଭାରତୀୟ ଭାଷାର ୩୫ ବର୍ଷରୁ କମ୍‌ ବୟସର କବି, ଲେଖକ ଏହି ଯୁବ ପୁରସ୍କାର ଲାଭ କରିଥିବା ବେଳେ ଓଡ଼ିଶାରୁ ଚଳିତ ବର୍ଷ ପାଇଁ ଜୟଦ୍ରଥ ଏହି ସମ୍ମାନ ଲାଭ କରିଛନ୍ତି।

ଇଂରାଜୀ ଲେଖକ ଏସ୍‌ଥର ଡେଭିଡ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ର ଫ‌ଳକ ଦେଇ ସମ୍ବର୍ଧିତ କରିଛନ୍ତି। ଜୟଦ୍ରଥ ପୁରସ୍କାର ପାଇବା ପରେ ପ୍ରତିକ୍ରିୟାରେ କହିଛନ୍ତି, ବାପା ରିକ୍ସା ଟାଣି ପରିବାର ଚଳାଉଥିବାରୁ ପିଲା ବେଳେ ଆମ ୬ଜଣିଆ ପରିବାର ଚଳାଇବା ବାପାଙ୍କ ପକ୍ଷେ କାଠିକର ହୋଇଯାଉଥିଲା। ଆଜି ଆଉ ସେଦିନ ନାହିଁ, କିନ୍ତୁ ସେହି ସମୟରେ ଯେବେ ଭୋକରେ ପେଟ ଜଳୁଥିଲା, ଭୋକ ମେଣ୍ଟାଇବା ପାଇଁ ପାଣି ପିଇ ଦଉଥିଲି। ସେହି ଭୋକାତୁର ସମୟର ଦାରୁଣ ଅଭିବ୍ୟକ୍ତି ଏହି ‘ଶୋଷ’ କବିତାରେ ରହିଛି। ଭୁବନେଶ୍ବରର ଡୁଡ୍‌ଲି ପ୍ରୋସେସ୍‌ ଆଣ୍ଡ୍‌ ଅଫ୍‌ସେଟ୍‌ ପକ୍ଷରୁ ଏହି ପୁସ୍ତକ ୨୦୧୭ରେ ପ୍ରକାଶ ପାଇଥିଲା। ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକାଡେମିର ସଚିବ କେ ଶ୍ରୀନିବାସ ରାଓ, ଉପସଭାପତି ମାଧବ କୌଶିକ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ଜୟଦ୍ରଥ ଏବଂ ଅନ୍ୟ ଭାଷାର ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭାମାନେ ସେମାନଙ୍କର ନିଜର ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe