ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ବସନ୍ତଙ୍କ ସହ କିଏ ଥିଲେ?

Advertisment

ଶିଥିଳ ହେଉଛି ତଦନ୍ତ ରିପୋର୍ଟ ଆସିବା ବିଳମ୍ବ

ଶିଥିଳ ହେଉଛି ତଦନ୍ତ ରିପୋର୍ଟ ଆସିବା ବିଳମ୍ବ

ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ବସନ୍ତଙ୍କ ସହ କିଏ ଥିଲେ?

ସମ୍ବଲପୁର : ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ବସନ୍ତଙ୍କ ସହଯୋଗୀ କିଏ? ତାଙ୍କୁ ହତ୍ୟା କରି ମାଟିରେ ପୋତିଦେବା କାର୍ଯ୍ୟ ଜଣେ ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ ନୁହେଁ। ଏଥିରେ ବସନ୍ତଙ୍କୁ ଅନ୍ୟ କେହି ସହଯୋଗ କରିଥିବା ସାଧାରଣରେ ସନ୍ଦେହ ହେଉଛି। ଏ ନେଇ ଟାଉନ ଥାନାରେ ପ୍ରଦତ୍ତ ଏତଲାରେ ବି ମୂଳରୁ ଉଲ୍ଲେଖ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ସେହି ଦିଗରେ ତଦନ୍ତ କରୁନାହିଁ। କେବଳ ବସନ୍ତ ପଣ୍ଡାଙ୍କୁ ଗିରଫ କରି ଚୁପ୍‌ ରହିଛି। ତଦନ୍ତକୁ ଆଗକୁ ନେଉନି କି ସହଯୋଗୀ ଚିହ୍ନଟ ହେଉ ନାହିଁ। ଏଥିସହ ୨୬ ଦିନ ବିତିବା ପରେ ବି ଡିଏନ୍‌ଏ ପରୀକ୍ଷା ରିପୋର୍ଟ ଆସିବା ବିଳମ୍ବ ହେଉଛି। ସାମଗ୍ରିକ ଭାବରେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ ଶିଥିଳ ପଡ଼ିଯାଇଥିବା ଅଭିଯୋଗ କରିଛନ୍ତି ଜୟଶ୍ରୀଙ୍କ ଝିଅ ବିଜୟିନୀ ମିଶ୍ର। ସେ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଏବଂ ଟାଉନ ଥାନା ଅଧିକାରୀଙ୍କୁ ପୃଥକ ଭାବରେ ଆଲୋଚନା କରି ତଦନ୍ତକୁ ତ୍ବରାନ୍ବିତ ପାଇଁ ଦାବି କରିଛନ୍ତି। ଆବଶ୍ୟକ ସ୍ଥଳେ ବିଜୟିନୀ ଡିଆଇଜିଙ୍କୁ ଭେଟିବେ ବୋଲି କହିଛନ୍ତି।

୮ ବର୍ଷର ପୁରୁଣା ଭୁଲକୁ ପୁନରାବୃତ୍ତି କରୁନି ତ ସମ୍ବଲପୁର ପୁଲିସ? ୨୦୧୧ ମସିହାରେ ଜୟଶ୍ରୀଙ୍କ ରହସ୍ୟଜନକ ନିଖୋଜକୁ ପୁଲିସ ଖାମଖିଆଲି ଭାବେ ନେଇ ସେ ନିଜ ଇଚ୍ଛାରେ ଚାଲି ଯାଇଥିବା କହିଥିଲା। ବର୍ତ୍ତମାନ ମଧ୍ୟ ମାମଲା ପରିଚାଳନାକୁ ସେହିଭଳି ହାଲୁକା ଭାବରେ ନେଉଥିବା ଭଳି ଲାଗୁଛି। ୨୩ ତାରିଖରେ ବଡ଼ସିଂହାରିରେ ଖପୁରି ହାଡ଼ ଉଦ୍ଧାର କରାଯାଇଥିଲା। ଫରେନସିକ ରିପୋର୍ଟ ଆଧାରରେ ଏହା ଜଣେ ମହିଳାଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ଅଗଷ୍ଟ ୧ ତାରିଖରେ ଡିଏନ୍‌ଏ ଟେଷ୍ଟ ପାଇଁ ଜୟଶ୍ରୀଙ୍କ ଝିଅ ବିଜୟିନୀ ଏବଂ ପୁଅ ଭବାନୀ ମିଶ୍ରଙ୍କଠାରୁ ୩ ମିଲିମିଟର ଲେଖାଏଁ ରକ୍ତ ସଂଗୃହୀତ ହୋଇ ଭୁବନେଶ୍ବର ସ୍ଥିତ ଫରେନସିକ ସାଇନ୍ସ ଲେବୋରୋଟୋରିକୁ ପଠାଯାଇଥିଲା। ଏହି ମାମଲା ତଦନ୍ତରେ ପୁଲିସ ୮ ବର୍ଷ ବିଳମ୍ବ କରି ସାରିଛି। ଏବେ ପୁଣି ସେହି ବିଳମ୍ବ। ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ଏହି ରିପୋର୍ଟ ଆସିପାରି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜୟିନୀଙ୍କ ଅଭିଯୋଗ ଅନୁଯାୟୀ, ଜୟଶ୍ରୀ ମିଶ୍ର ହତ୍ୟା ଘଟଣାରେ ବସନ୍ତ ପଣ୍ଡା ସହିତ ତାଙ୍କ ପରିବାର ମଧ୍ୟ ସାମିଲ ରହିଥିବା ନେଇ ଏତଲା ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେହି ବିନ୍ଦୁ ନେଇ ପୁଲିସ ତଦନ୍ତ କରୁନାହିଁ। ବିଜୟିନୀଙ୍କ ଅନୁଯାୟୀ, ଜୟଶ୍ରୀ ମିଶ୍ର ହତ୍ୟା ଘଟଣା ପରେ ୮ ବର୍ଷ ଧରି ବସନ୍ତ ପଣ୍ଡା ନିଖୋଜ ଥିଲେ। ଯଦି ପରିବାରର ଅଜାଣତରେ ସେ ଏହି କାଣ୍ଡ ଘଟାଇ କେଉଁଠିକୁ ଚାଲି ଯାଇଥିଲେ ତେବେ ପରିବାର ପକ୍ଷରୁ ବସନ୍ତଙ୍କ ନିଖୋଜ ନେଇ କାହିଁକି ଏତଲା ଦିଆଯାଇ ନଥିଲା? ଜୟଶ୍ରୀଙ୍କୁ ଥରେ ନୁହେଁ, ଦୁଇ ଥର ପୋତା ଯାଇଥିଲା ଓ ଶବ ଉପରେ ଏସିଡ୍‌ ଫିଙ୍ଗାଯାଇ ଥିଲା। ଏତେ ବଡ଼ ଘଟଣା କେବଳ ଜଣେ କରିବା ସମ୍ଭବ ନୁହେଁ। ଆହୁରି ମଧ୍ୟ ସେହି ରାସ୍ତା ଜନଗହଳିପୂର୍ଣ୍ଣ ଅଟେ। ସେଠାରେ ଗୋଟିଏ କେନାଲ, ୨ଟି ଟ୍ରାନ୍ସଫରମର, ପମ୍ପ ହାଉସ ରହିଛି। ଜଣେ ବ୍ୟକ୍ତି ଏହି ପମ୍ପ ହାଉସର ପରିଚାଳନାରେ ଥାଆନ୍ତି। କେନାଲକୁ ମଧ୍ୟ ପ୍ରତିଦିନ ଅନେକ ଲୋକଙ୍କ ସମାଗମ ହୋଇଥାଏ। ତେଣୁ ସେଠାରେ ଜଣେ ବ୍ୟକ୍ତି ମହିଳାଙ୍କୁ ହତ୍ୟା କରି ପୋତି ଦେବେ ଓ କେହି ଜାଣିପାରିବେନି- ଏହା ସମ୍ଭବ ନୁହେଁ। ଜୟଶ୍ରୀଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ ସେଠାରେ ପୋତାଯାଇଥାଇ ପାରେ ବୋଲି ମଧ୍ୟ ସନ୍ଦେହ ଉଠିବା ସ୍ବାଭାବିକ। ଏହି ସବୁ ବିନ୍ଦୁରେ ପୁଲିସ ତଦନ୍ତ କରିବା ଦରକାର ବୋଲି ବିଜୟିନୀ କହିଛନ୍ତି।

ଏ ସଂପର୍କରେ ଅତିରିକ୍ତ ଏସ୍‌ପି ପିକେ ମହାପାତ୍ର କହିଛନ୍ତି, ଜୟଶ୍ରୀ ମିଶ୍ର ହତ୍ୟା ଘଟଣାର ଡିଏନଏ ରିପୋର୍ଟ ଆସି ନାହିଁ। ତେବେ ଏ ନେଇ ତଦନ୍ତ ଶିଥିଳ ପଡ଼ି ନାହିଁ। ବସନ୍ତ ପଣ୍ଡା ଏକୁଟିଆ ଜୟଶ୍ରୀଙ୍କୁ ହତ୍ୟା କରିବା ଅସମ୍ଭବ ନୁହେଁ। ବର୍ତ୍ତମାନ ସେହି ସ୍ଥାନଟି ଚଲାପଥ ହୋଇଛି। ୮ ବର୍ଷ ପୂର୍ବରୁ ସେଭଳି ନଥିଲା। ସେତେବେଳେ ଜନଶୂନ୍ୟ ଅଞ୍ଚଳ ଥିଲା। ତେଣୁ ଏକୁଟିଆ ବସନ୍ତ ଜୟଶ୍ରୀଙ୍କ ତଣ୍ଟିଚିପି ପରେ ପୋତିଦେବା ବଡ଼ କଥା ନୁହେଁ। ତଦନ୍ତ ବେଳେ ଅନ୍ୟ କେହି ସହଯୋଗୀ ଥିବା ଯଦି ଜଣାପ‌ଡେ ତେବେ ତାଙ୍କ ବିରୋଧରେ ବି ପଦକ୍ଷେପ ନିଆଯିବ। ଏଡିଜି ଯେଉଁ ବିନ୍ଦୁରେ ତଦନ୍ତ ପାଇଁ କହିଥିଲେ, ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe