ଆଜିଠୁ ଜେଇଇ ମେନ୍‌, ଦେଶରେ ସାଢ଼େ ୯ଲକ୍ଷ ପରୀକ୍ଷାର୍ଥୀ

Advertisment

ଓଡ଼ିଶାର ୨୬ଟି କେନ୍ଦ୍ରରେ ୩୮ହଜାର

ଓଡ଼ିଶାର ୨୬ଟି କେନ୍ଦ୍ରରେ ୩୮ହଜାର

ଆଜି ଜେଇଇ ମେନ୍‌-୨

Image Courtesy of India Today

ମାସ୍କ ପିନ୍ଧି ପରୀକ୍ଷା ଦେବେ, ପ୍ରବେଶ ପୂର୍ବରୁ ହାତ ଧୋଇବେ
୫୦ ମିଲି ସାନିଟାଇଜର ସଙ୍ଗରେ ନେବେ

ଭୁବନେଶ୍ୱର : ବାଦ ବିବାଦ ଓ କରୋନା କଟକଣା ମଧ୍ୟରେ ବି.ଟେକ, ବି.ଆର୍କିଟେକ, ବି.ପ୍ଲାନିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର୧ ତଥା ମଙ୍ଗଳବାରଠାରୁ ସାରା ଦେଶରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ସାରା ଦେଶରେ ୬୬୦ ପରୀକ୍ଷା କେନ୍ଦ୍ର ହୋଇଛି ଏବଂ ୯ଲକ୍ଷ ୫୩ହଜାର ୪୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତଥର ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି। ପ୍ରତି ସିଫ୍ଟରେ ୮୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା କରାଯିବ। ପରୀକ୍ଷାର ୨ଘଣ୍ଟା ପୂର୍ବରୁ ଗେଟ୍‌ ଖୋଲିବ ବୋଲି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତଥର ଓଡ଼ିଶାରୁ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍‌ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଭୁବନେଶ୍ୱର ସହରରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ବାକି ୨୦ଟି କେନ୍ଦ୍ର ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ଗେଟ୍‌ ବନ୍ଦ ହେବା ପରେ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପରୀକ୍ଷା ସରିବା ପୂର୍ବରୁ କେହି ହଲ ଛାଡ଼ି ଯିବେନି। ଆଡମିଟ୍‌ କାର୍ଡ ସହ ସେଲ୍ଫ ଡିକ୍ଲାରେସନ କାଗଜ, ବଲ୍‌ ପଏଣ୍ଟ ପେନ, ନିଜସ୍ୱ ପାଣି ବୋତଲ ଓ ୫୦ ମିଲି ହ୍ୟାଣ୍ଡ ସାନିଟାଇଜର ଆଣି ଆସିବେ। ସରକାରଙ୍କ ଦ୍ଵାରା ପ୍ରଦତ୍ତ ଯେକୌଣସି ପରିଚୟପତ୍ର ସାଙ୍ଗରେ ଆଣି ଆସିବେ। ଇଲେକ୍ଟ୍ରୋନିକ୍ସ ଯନ୍ତ୍ର, ମୋବାଇଲ ଆଦି ସାମଗ୍ରୀ ଆଣିବା ଉପରେ କଟକଣା ଲାଗୁ ହୋଇଛି। ଜୋତା, ମୋଜା, ଲମ୍ବା ହାତ ଥିବା ସାର୍ଟ ପିନ୍ଧିବେ ନାହିଁ।

କୋଭିଡ୍‌-୧୯ କଟକଣା କଡ଼ାକଡ଼ି ପାଳନ ହେବ। ପ୍ରତ୍ୟେକ ସିଫ୍ଟ ପରେ ପରୀକ୍ଷା କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ। ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ମନିଟର, କି-ବୋର୍ଡ, ମାଉସ୍‌, ଡେସ୍କ, ଚେୟାର, ବେଞ୍ଚ, ଡୋର୍‌ ହାଣ୍ଡେଲ, ଲିଫ୍ଟ ବଟନ ଆଦି ଭଲ ଭାବେ ବିଶୋଧନ ହେବ। ପ୍ରତି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦୁଇଟି ସିଟ୍‌ ବ୍ୟବଧାନ ରହିବ। ପରୀକ୍ଷା କେନ୍ଦ୍ରର ପ୍ରବେଶ ଓ ପ୍ରସ୍ଥାନ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପରୀକ୍ଷକମାନେ ଗ୍ଲୋଭ୍‌ସ ପିନ୍ଧି ପ୍ରତି ଡେସ୍କରେ ରଫ୍‌ ସିଟ୍‌ ରଖିବେ। ପ୍ରବେଶ ସମୟରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୬ଫୁଟ ଦୂରତ୍ୱ ରହିବ। ପ୍ରବେଶ ପୂର୍ବରୁ ସାବୁନ ଓ ହ୍ୟାଣ୍ଡ ସାନିଟାଇଜରରେ ହାତ ଧୋଇବେ। ପରୀକ୍ଷାର୍ଥୀ ଘରୁ ପିନ୍ଧି ଆସିଥିବା ମାସ୍କକୁ ପରୀକ୍ଷା କେନ୍ଦ୍ର ବାହାରେ ପକାଇବେ। ପରୀକ୍ଷା କେନ୍ଦ୍ର ନିକଟରେ ସେମାନଙ୍କୁ ମାସ୍କ ପ୍ରଦାନ କରାଯିବ। ପ୍ରବେଶ ପଥରେ ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ମପାଯିବ।

କରୋନା କଟକଣା ଭିତରେ ପରୀକ୍ଷା ହେଉଥିବାରୁ ଉକ୍ତ ୭ଟି ସହରରେ ୭ତାରିଖ ଯାଏ ସଟ୍‌ଡାଉନ, ଲକ୍‌ଡାଉନ ହେବନାହିଁ। ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଇଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟରେ ୩୦ଟି ନୋଡାଲ ସେଣ୍ଟର ଖୋଲିଛି। ପରୀକ୍ଷାର୍ଥୀଙ୍କ ଯାତାୟାତ, ରହିବା, ଖାଇବା ପାଇଁ ରାଜ୍ୟ ସରକାର ସାହାଯ୍ୟ ଯୋଗାଇ ଦେଇଛନ୍ତି। ଆଜି ରାତି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପରୀକ୍ଷାର୍ଥୀ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ରହଣୀ କେନ୍ଦ୍ରରେ ବିଶ୍ରାମ ନେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe