ରାଉରକେଲା : ଟାର୍ଗେଟ ପୂରଣ କରିବାକୁ ଲ୍ୟାମ୍ପସ୍ରେ ଚାଲିଛି ଗୋଲକଧନ୍ଦା। ଦଲାଲ ଓ ଲ୍ୟାମ୍ପସର କିଛି କର୍ମଚାରୀଙ୍କ ଭିତିରି ସଲାସୁତୁରାରେ ଚାଲିଛି ଏମିତି ବେଆଇନ କାର୍ଯ୍ୟ। ଦଲାଲମାନେ ଝାଡ଼ଖଣ୍ଡରୁ ଧାନ କିଣୁଛନ୍ତି। ଚାଷୀଙ୍କ ଟୋକନ ହାତେଇ ଲ୍ୟାମ୍ପସ୍ରେ ବିକୁଛନ୍ତି। ଏମିତି ସାଂଘାତିକ ଅଭିଯୋଗ ଆସିଛି ନୂଆଗାଁ, ସୋରଡା, ହାତୀବାରୀ, ବିଶ୍ରା, କୁଆରମୁଣ୍ଡା ସମେତ ଜିଲ୍ଲାର କିଛି ଲ୍ୟାମ୍ପସ୍ରୁ। ଓଡ଼ିଶା ଠାରୁ ଝାଡ଼ଖଣ୍ଡରେ ଧାନର କ୍ବିଣ୍ଟାଲ ପିଛା ଦର ଶସ୍ତାରୁ ଥିବାରୁ ଏହାର ଭରଫୁର ଫାଇଦା ଉଠାଉଛନ୍ତି ଏହି ଦଲାଲମାନେ। ଝାରଖଣ୍ଡରେ କ୍ବିଣ୍ଟାଲ ପ୍ରତି ୧୪୦୦ ଟଙ୍କାରେ କିଣୁଛନ୍ତି। ଲ୍ୟାମ୍ପସରେ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କାରେ ବିକୁଛନ୍ତି। ପ୍ରତି କ୍ବିଣ୍ଟାଲରେ ୬୪୦ ଟଙ୍କା ଲାଭ ପାଉଛନ୍ତି। ଲାଭରୁ କ୍ବିଣ୍ଟାଲ ପିଛା ୧୦୦ ଟଙ୍କା କସିସନ ଚାଷୀଙ୍କୁ ଦେଇ ଟୋକନ ହାତଉଛନ୍ତି। ଅବଶିଷ୍ଟ ୫୪୦ ଟଙ୍କା ନିଜେ ରଖୁଛନ୍ତି। ଧରା ନ ପଡ଼ିବାକୁ ଚାଷୀଙ୍କୁ ସାଥିରେ ଧରି ଲ୍ୟାମ୍ପସକୁ ଯାଉଛନ୍ତି। ଜଣେ ଜଣେ ଚାଷୀଙ୍କ ନାଁରେ ୨୦୦ରୁ ୩୦୦ କ୍ବିଣ୍ଟାଲ ଧାନ ବିକୁଛନ୍ତି। ନୂଆଗାଁ, ସୋରଡା ଓ ବିଶ୍ରା ଲ୍ୟାମ୍ପସ୍ରେ ପ୍ରାୟ ୨୦ରୁ ଅଧିକ ଦଲାଲ ଏମିତି କାମ କରୁଥିବା ଅଭିଯୋଗ ଆସିଛି।
ଦଲାଲମାନେ ଝାଡ଼ଖଣ୍ଡର ହୃଦା, ଓଡଗାଁ, ପାନିଆସାଲ, ମନୋହରପୁର ଆଦି ଅଞ୍ଚରୁ ଶହ ଶହ କ୍ବିଣ୍ଟାଲ ଧାନ କିଣି ଟ୍ରକ ଯୋଗେ ନିଜ ଗୋଦାମରେ ଗଚ୍ଛିତ ରଖୁଛନ୍ତି। ଦଲାଲମାନଙ୍କ କମିସନର ଲୋଭରେ ଚାଷୀମାନେ ଝାଡ଼ଖଣ୍ଡ ଧାନକୁ ନିଜର ଦର୍ଶାଇ ଲ୍ୟାମ୍ପସରେ ବିକି ଦେଉଛନ୍ତି। ବିକୁଥିବା ଧାନ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସୁଛି ସତ, କିନ୍ତୁ ସେମାନେ ଉଠାଇ ପାରୁ ନାହାନ୍ତି। କାରଣ ଚାଷୀଙ୍କ ବ୍ୟାଙ୍କ ଖାତା ଓ ଏଟିଏମ୍ କାର୍ଡ ଦଲାଲମାନଙ୍କ ପାଖରେ ରହିଛି। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ମାତ୍ରେ, ଦଲାଲମାନେ ଉଠାଇ ନେଉଛନ୍ତି। ଚାଷୀଙ୍କୁ କ୍ବିଣ୍ଟାଲ ପିଛା ସେମାନଙ୍କ କମିସନ ଦେଇ ଦେଉଛନ୍ତି। ଗତବର୍ଷ ଅପେକ୍ଷା ଚଳିତ ଥର ଅଧିକାଂଶ ସ୍ଥାନରେ ଯେତିକି ଧାନ ଅମଳ ହେବା କଥା, ତାହା ହୋଇ ନାହିଁ। ଏପରିସ୍ଥଳେ ଝାଡ଼ଖଣ୍ଡର ଧାନ କିଣାଯାଇଛି କିଛି ଲ୍ୟାମ୍ପସ ଟାର୍ଗେଟ ପୂରଣ କରୁଥିବା ଟୋକନ ପାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ନୂଆଗାଁ ଲ୍ୟାମ୍ପସ୍ ଗତବର୍ଷ ୨୮ ହଜାର କ୍ବିଣ୍ଟାଲ ଧାନ କିଣିଥିଲା। ଚଳିତ ଥର ୨୯ ହଜାର ୨୦୦ କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ରଖିଛି। ଏବେ ସୁଦ୍ଧା ୨୯ ହଜାର କ୍ବିଣ୍ଟାଲ ଧାନ କିଣି ସାରିଲାଣି। ଯଦି ନୂଆଗାଁ ବ୍ଲକରେ ଚଳିତ ଥର ଏତେ ଧାନ ଅମଳ ହୋଇ ନାହିଁ, ତେବେ ଟାର୍ଗେଟ ପୂରଣ ହେଲା କେମିତି ? ତାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଟାର୍ଗେଟ ପୂରଣ କରିବାକୁ ଝାରଖଣ୍ଡରୁ ଧାନ କିଣାଯାଇ ନାହିଁ ତ , ଯାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି।
କୁଆରମୁଣ୍ଡା ଲ୍ୟାମ୍ପସ୍ ଗତବର୍ଷ ୨୮ ହଜାର ୨୩ କ୍ବିଣ୍ଟାଲ ଧାନ କିଣିଥିଲା। ୮୫୩ ଚାଷୀ ଟୋକନ ପାଇଥିଲେ। ୬୧୧ ଟୋକନ ପାଇଥିବା ଚାଷୀଙ୍କ ଠାରୁ ଧାନ କିଣାଯାଇଥିଲା। ଏଥର ୮୬୩ ଚାଷୀଙ୍କୁ ଟୋକନ ଦିଆଯାଇଛି। ଏଥି ମଧ୍ୟରୁ ୪୨୮ ଚାଷୀଙ୍କ ଠାରୁ ଧାନ କିଣାସରିଛି। ଅବଶିଷ୍ଟ ୪୩୫ ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ ହଜାର ୮୪୩ କ୍ବିଣ୍ଟାଲ ଧାନ କିଣା ସରିଛି। ଟାର୍ଗେଟ ରହିଛି ୨୭ ହଜାର ୫୮୦ କ୍ବିଣ୍ଟାଲ। ବିଶ୍ରା ଲ୍ୟାମ୍ପସର କେବଳ ଜରେଇକେଲାରୁ ଗତବର୍ଷ ୩୨୬୦ କ୍ବିଣ୍ଟାଲ କିଣାଯାଇଥିଲା। ଏଥର ବର୍ତ୍ତମାନ ସୁଦ୍ଧା ୩ ହଜାର କ୍ବିଣ୍ଟାଲ ଧାନ କିଣା ସରିଛି। ନୂଆଗାଁ, ସୋରଡା ପରି ବିଶ୍ରା ବ୍ଲକରେ ମଧ୍ୟ ଏତେ ଭଲ ଧାନ ଅମଳ ହୋଇ ନଥିଲା। ଏଠି ମଧ୍ୟ ଦଲାଲଙ୍କ ଜରିଆରେ ଟର୍ଗେଟ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। କୁଆରମୁଣ୍ଡା, ହାତୀବାରି, ସୋରଡା, ନୂଆଗାଁ, ବିଶ୍ରା ନୁହେଁ ଜିଲ୍ଲାର ଅନ୍ୟ କିଛି ଲ୍ୟାମ୍ପସ୍ରେ ଦଲାଲମାନେ ଏମିତି ବେଆଇନ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ଏସବୁ ଲ୍ୟାମ୍ପସ୍ରେ ସଠିକ୍ ତଦନ୍ତ କରାଗଲେ, ବଡଧରଣ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା।
Follow Us