କଟକ: ଗାଡ଼ି ଟ୍ରାଫିକ୍ ନିୟମ ଭାଙ୍ଗିଥିବା ନେଇ ହ୍ବାଟସ୍ଆପ୍ ମେସେଜ୍ରେ ‘ଆରଟିଓ ଚାଲାଣ ଡଟ୍ ଏପିକେ’ ତୁରନ୍ତ ଡାଉନ୍ଲୋଡ୍ କରିବାକୁ କୁହାଯାଉଛି। ଏହାକୁ ଡାଉନ୍ଲୋଡ୍ କଲେ ସାଇବର୍ ଅପରାଧୀ ତୁରନ୍ତ ମୋବାଇଲକୁ ହ୍ୟାକ୍ କରି ନିଜ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ପରବର୍ତ୍ତୀ ସମୟରେ ମୋବାଇଲ୍ରେ ଥିବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆପ୍ଲିକେସନ୍ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଅନ୍ୟଥା ମୂଲ୍ୟବାନ ସାମଗ୍ରୀ ଅନ୍ଲାଇନ୍ରେ କିଣି ନେଉଛନ୍ତି। ଏଭଳି ସାଇବର୍ ଠକେଇ ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରୁ ନିୟନ୍ତ୍ରଣ ହେଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଏହି ଜିଲ୍ଲାର ଅନେକ ବେକାର ଯୁବକ ଏଭଳି ଏପିକେ ଫାଇଲ୍ ହ୍ବାଟସ୍ଆପ୍କୁ ପଠାଇ ଆର୍ଟିଓ ଚାଲାଣ ନାଁରେ ଟଙ୍କା ଲୁଟୁଛନ୍ତି।
ସୂଚନା ଅନୁଯାୟୀ, କୌଣସି ଗାଡ଼ିଚାଳକ ଟ୍ରାଫିକ୍ ନିୟମ ଭାଙ୍ଗିଥିବା ସଂକ୍ରାନ୍ତ ମେସେଜ୍ କେବଳ ‘ଓଡି ବାହାନ’ କୋଡ୍ରୁ ଗାଡ଼ି ମାଲିକଙ୍କ ମୋବାଇଲ୍କୁ ଆସିଥାଏ। ଏହାକୁ ‘ଏନ୍କ୍ରିପ୍ଟେଡ୍ ମେସେଜ୍’ କୁହାଯାଇଥାଏ। ଏଥିରେ ଉଲ୍ଲେଖ ଥାଏ ଗାଡ଼ିର ଚାଲାଣ କଟିଛି। ଏଥିପାଇଁ https://echallan.parivahan.gov.in/ ଲିଙ୍କ୍ କ୍ଲିକ୍ କରିବାକୁ ପରାମର୍ଶ ଦିଆଯାଇଥାଏ। ପ୍ରଥମେ ଚାଲାଣ ଅର୍ଥ ବକେୟା ଅଛି କି ଜମା ହୋଇଛି ତାହା ଦେଖାଇଥାଏ। ଏହାପରେ ଟଙ୍କା ପୈଠ ପାଇଁ ‘ପେମେଣ୍ଟ୍ ଗେଟ୍ଵେ’କୁ ଯିବାକୁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଏବେ ଦୁଇ ପ୍ରକାର ନକଲି ମେସେଜ୍ ଆସୁଛି। ଏହି ନକଲି ମେସେଜ୍ ଏକ ମୋବାଇଲ୍ ନମ୍ବରରୁ ଆସୁଛି।
ମୋବାଇଲ୍ ହ୍ୟାକ୍ କରି ଲୁଟୁଛନ୍ତି
ସତର୍କ ରହିବାକୁ ପରାମର୍ଶ
ଏଥିରେ ଉଲ୍ଲେଖ ରହୁଛି ଯେ ଆପଣଙ୍କ ଗାଡ଼ି ନମ୍ବର ଓ ଇ-ଚାଲାଣ ନମ୍ବର ୩୪୮୯୧୫୭୮୪୧୯୫୦୩୨ରେ ୫୦୦ ଟଙ୍କା ଚାଲାଣ କଟାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ପୈଠ କରିବା ପାଇଁ http://echallanparivahan.in/ ଲିଙ୍କରେ କ୍ଲିକ୍ କରନ୍ତୁ, ନଚେତ ଆର୍ଟିଓ ଅଫିସ ସହିତ ଯୋଗାଯୋଗ କରନ୍ତୁ। ତେବେ ଏହି ଲିଙ୍କ୍ରେ କ୍ଲିକ୍ କରିବା ପରେ ଗ୍ରାହକଙ୍କୁ ସିଧାସଳଖ ‘ପେମେଣ୍ଟ ଗେଟ୍ୱେ’କୁ ନେଇଯାଉଛି। ଗାଡ଼ି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି। ନକଲି ୱେବ୍ସାଇଟ୍ ମାଧ୍ୟମରେ ଅନେକ ଗାଡ଼ି ଚାଳକଙ୍କ ନିକଟରୁ ଟଙ୍କା ହଡ଼ପ କରୁଥିବା ଘଟଣା କ୍ରାଇମ୍ବ୍ରାଞ୍ଚ ଓ ପରିବହନ ବିଭାଗର ଦୃଷ୍ଟିକୁ ଆସିଛି। କ୍ରାଇମବ୍ରାଞ୍ଚର ଜଣେ ସାଇବର୍ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପରିବହନ ବିଭାଗର ଵେବ୍ସାଇଟ୍ର ୟୁଆର୍ଏଲ୍(ୟୁନିଫର୍ମ ରିସୋର୍ସ ଲୋକେଟର୍ରେ) ଆରମ୍ଭରୁ (https) ରହୁଥିବା ବେଳେ ନକଲି ଵେବ୍ସାଇଟ୍ରେ (http) ରହୁଛି। ଟ୍ରାଫିକ୍ ନିୟମ ଭାଙ୍ଗିଥିବା ସଂକ୍ରାନ୍ତରେ ଯଦି କୌଣସି ଲିଙ୍କ୍ ପରିବହନ ବିଭାଗ ପକ୍ଷରୁ ପାଉଛନ୍ତି, ଏହାର ସତ୍ୟତା ଯାଞ୍ଚ ବିନା ସେହି ଲିଙ୍କ୍ରେ କ୍ଲିକ୍ ନ କରିବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଠକେଇର ଆଉ ଏକ କୌଶଳ ହେଉଛି ଝାଡ଼ଖଣ୍ଡ ଦେଓଘରର ଏକ ଗ୍ୟାଙ୍ଗ ଏବେ ଚାଲାଣ ନାଁରେ ହ୍ବାଟସ୍ଆପକୁ ଏକ ମୋବାଇଲ ନମ୍ବରରୁ ମେସେଜ୍ ଛାଡ଼ୁଛନ୍ତି। ଏଥିରେ ଅଧିକ ଜାଣିବା ପାଇଁ ତଳେ ଥିବା ଏକ ‘ଆର୍ଟିଓ ଚାଲାଣ ଡଟ୍ ଏପିକେ’ ଫାଇଲ୍ ତୁରନ୍ତ ମୋବାଇଲରେ ଡାଉନ୍ଲୋଡ କରିବାକୁ କୁହାଯାଉଛି। ଏହାକୁ ଡାଉନ୍ଲୋଡ କରିବା ମାତ୍ରକେ ଏହି ସାଇବର୍ ଅପରାଧୀ ମୋବାଇଲକୁ ନିଜ ନିୟନ୍ତ୍ରଣକୁ ନେଇ ବ୍ୟାଙ୍କିଙ୍ଗ ଆପ୍ଲିକେସନକୁ ଲଗ୍ ଇନ୍ କରି ସମସ୍ତ ଅର୍ଥ ଓଟିପି ମାଧ୍ୟମରେ ଉଠାଇ ନେଉଛନ୍ତି। ମୋବାଇଲକୁ ଆସୁଥିବା ଓଟିପି ମଧ୍ୟ ସେମାନଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି। ଏହି ଆପ୍ଲିକେସନ୍ ଇନ୍ଷ୍ଟଲ ହେବା ପରେ ଓଟିପି ଫରଵାର୍ଡିଂ ସ୍ବୟଂଚାଳିତ ଭାବେ ହୋଇଯାଉଛି। ଯଦି ମୋବାଇଲ୍ରେ ଏହି ଆପ୍ଲିକେସନ ଭୁଲବଶତଃ ଡାଉନ୍ଲୋଡ କରୁଛନ୍ତି, ତେବେ ତୁରନ୍ତ ଏହାକୁ ଅନ୍ଇନ୍ଷ୍ଟଲ କରିବା ସହିତ ହ୍ବାଟ୍ସଆପକୁ ଅନ୍ଇନ୍ଷ୍ଟଲ କରି ପୁଣି ଥରେ ଇନ୍ଷ୍ଟଲ କରିବା ଆବଶ୍ୟକ। ଏହି ସାଇବର୍ ଅପରାଧୀ ଗୋଷ୍ଠୀ ମୁଖ୍ୟତଃ ହ୍ବାଟସ୍ଆପ ଗ୍ରୁପକୁ ଟାର୍ଗେଟ କରୁଛନ୍ତି। ଯାହାର ମୋବାଇଲ୍ ହ୍ୟାକ୍ କରୁଛନ୍ତି ତା ହ୍ବାଟସ୍ଅପ ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କୁ ଆର୍ଟିଓ ଚାଲାଣ ସଂକ୍ରାନ୍ତ ଏପିକେ ଫାଇଲ୍ ପଠାଇ ଲୁଟୁଛନ୍ତି।
Follow Us