କରୋନା କଟକଣା ତା’ବାଟରେ, ଜରି ବେଟିଲେ ପେଟ ପୁରେ

କରୋନା କଟକଣା ତା’ବାଟରେ, ଜରି ବେଟିଲେ ପେଟ ପୁରେ

A Palestinian sifts through garbage for salvageable items at a local dump site, in the east of Gaza City September 2, 2013. REUTERS/Mohammed Salem (GAZA - Tags: ENVIRONMENT SOCIETY) - GM1E9921JCZ01

ଝାରସୁଗୁଡ଼ା : ଜୀବନ କହିଲେ କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଖରା, ବର୍ଷା, ଶୀତ ସବୁ ଋତୁରେ ଏମାନେ ସକାଳୁ ଉଠି ସହର ସାରା ବୁଲି ଅଳିଆ ଗଦାରେ ଅଣ୍ତାଳି ହୁଅନ୍ତି। ମହାମାରୀ କରୋନା ଯୋଗୁଁ ସାରାଦେଶ ଏବେ ଅଚଳ ହୋଇପଡ଼ିଛି। କେଉଁଠି ସଟ୍‌ଡାଉନ୍‌ ହୋଇଛି ତ ଆଉକେଉଁଠି ଲକ୍‌ଡାଉନ୍‌ ହୋଇଛି। ହୋଟେଲ ବନ୍ଦ, ଟ୍ରେନ୍‌ ବନ୍ଦ, ବସ୍‌ ବନ୍ଦ, ବଜ‌ାର ବନ୍ଦ ହୋଇଯାଇଛି। ଏହି ବନ୍ଦ ଫଳରେ ରୋଜଗାର ହରାଇ ଲକ୍ଷ ଲକ୍ଷ ଲୋକ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି।

ସରକାର ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି। ପେଟକୁ ଖାଇବାକୁ ଗଚ୍ଛିତ ଥିଲେ ସିନା ଜଣେ ଘର ଭିତରେ ବସି ରହିବ। ଘରୁ ବାହାରି ଦିନ ତମାମ କଷ୍ଟ କରି କିଛି ଖାଦ୍ୟ ରୋଜଗାର କରୁଥିବା ବ୍ୟକ୍ତି କିଭଳି ଘର ଭିତରେ ରହି ପାରିବ। ସକାଳ ହେଉହେଉ ରାସ୍ତା ଘାଟ ଅଳିଆ ଗଦାକୁ ଅଣ୍ଡାଳି ପେଟପାଇଁ ରୋଟି ସଂଗ୍ରହ କରୁଥିବା ଏମିତି ଲୋକ ଅଛନ୍ତି ଯେଉଁମାନଙ୍କୁ କରୋନା କଟକଣାର ମାନେ କିଛି ନାହିଁ। କରୋନାକୁ ଏମାନେ ଆଦୌ ଖାତିର କରନ୍ତି ନାହିଁ। ନା ଏମାନଙ୍କ ମୁହଁରେ ରହିଛି ମାସ୍କ ନା ହାତରେ ରହିଛି ଗ୍ଲୋଭସ୍‌। ବଡ଼ କରୁଣ ଏମାନଙ୍କ ଜୀବନ ଜୀବିକା। ମୁଣ୍ତ ଉପରେ ଛାତ ନାହିଁ କି ଦେହରେ ଖଣ୍ତେ ଭଲ କପଡ଼ା ନାହିଁ। ଦୁଃଖ, ସଂଘର୍ଷ ଓ ମଇଳା ଲୁଗା ଛଡ଼ା ଏମାନଙ୍କ ଜୀବନରେ ଆଉ କିଛି ନାହିଁ। ଏଭଳି ଏକ ଶ୍ରେଣୀର ଲୋକ ଅଛନ୍ତି ଯାହାଙ୍କୁ ଆମେ ଜରିବେଟୁ ବୋଲି କହିଥାଉଁ। ଏମା‌ନଙ୍କ ଜୀବନରେ ଆଉ କିଛି ନାହିଁ। ଜୀବନର ସବୁ ସୁଖ ସ୍ୱଛନ୍ଦ ଠାରୁ ଅଲଗା ହୋଇ ପଡ଼ିଥିବା ଏହି ଜରିବେଟୁ ମାନଙ୍କୁ ସରକାରଙ୍କ କୌଣସି ଯୋଜନା ଆନନ୍ଦ ଦେଇପାରେ ନାହିଁ। । ନିର୍ବାଚନରେ କେତେ କଣ ରାଜନୈତିକ ଦଳ ଗରୀବଙ୍କ ପାଇଁ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ମାତ୍ର ଏହି ସମସ୍ତ ପ୍ରତିଶ୍ରୁତି ଏହି ଜରିବେଟୁ ପରିବାରଙ୍କ ପାଇଁ ମୂଲ୍ୟହୀନ।

publive-image

ନିର୍ବାଚନରେ ବିଜୟୀ ହେବା ପାଇଁ ବିଡ଼ାବିଡା ନୋଟ୍‌ର କାରବାର ସାଙ୍ଗକୁ କୋଟିପତି ନେତାଙ୍କ ନଜର ଠାରୁ ବହୁଦୂରରେ ଏହି ଜରିବେଟୁ । ବଡ଼ିଭୋରରୁ ଏହି ଜରିବେଟୁ ପରିବାରର ସମସ୍ତ ସଦସ୍ୟ ଭିନ୍ନ ଭିନ୍ନ ଗୋଷ୍ଠିରେ ଚାଲିଯାଆନ୍ତି ଅଳିଆ ଗଦାରୁ ଜୀବନର ରାହା ଖୋଜିବା ପାଇଁ। ଦିନ ତମାମ ବୁଲି ବୁଲି ଏମାନେ ଏ ଅଳିଆଗଦାରୁ ସେ ଅଳିଆଗଦାକୁ ଯାଇ ପଲିଥିନ୍‌, ପ୍ଲାଷ୍ଟିକ୍‌ ବୋତଲ, ଭଙ୍ଗା ଟିଣ, ଲୁହା, କାଟୁନ୍‌ପେଟି ଭଳି ଜିନିଷ ସ˚ଗ୍ରହ କରିଥାନ୍ତି। ସ˚ଗ୍ରହ କରିସାରିବା ପରେ ଏହାକୁ ନେଇ ସେମାନେ କବାଡ଼ି ଗୋଦାମରେ ବିକ୍ରି କରି ଯାହା ଦୁଇ ପଇସା ପାଆନ୍ତି ସେଥିରେ ଗୋଟିଏ ଦିନ ପାଇଁ ଅତି କଷ୍ଟରେ ପେଟକୁ ଗଣ୍ତାଏ ପାଆନ୍ତି। ଦିନ ତମାମ ପରିଶ୍ରମ କରିବା ପରେ ରାତିରେ ପ୍ଲାଟ୍‌ ଫର୍ମ ହେଉ କି କେଉଁ ଦୋକାନର ବାରଣ୍ଡା ହେଉ ସେଠାରେ ଢ଼ୁଳେଇ ପଡ଼ି ରାତି କଟାନ୍ତି ସାରା ପରିବାର।

ଝାରସୁଗୁଡ଼ା ରେଳ ଷ୍ଟେସନ୍‌, ମୁଖ୍ୟ ରାସ୍ତାକଡ଼ରେ ଏଭଳି ପରିବାରର ସ˚ଖ୍ୟା କିଛି କମ୍‌ ନୁହେଁ। ସବୁ ପରିବାରର ପଛରେ ରହିଛି ଗୋଟିଏ ଗୋଟିଏ ଛାତିଥରା କାହାଣୀ। କିଏ ଅଣଜାତିରେ ବାହା ହେବାରୁ ଘରୁ ତଡ଼ା ଖାଇ ରେଳ ଷ୍ଟେସନକୁ ଘର କରିଛି ତ ଆଉ କାହାର ଘରଦ୍ୱାର କିଛି ନଥିବାରୁ ରେଳଷ୍ଟେସନରେ ପଡ଼ି ରହି ଏହି ବୃତ୍ତିକୁ ଆଦରିଛନ୍ତି। କେବଳ ପେଟ ଚିନ୍ତା ଛଡ଼ା ଏମାନଙ୍କ ପାଖରେ ଅନ୍ୟ କିଛି ଚିନ୍ତା କରିବାର ଆଉ ବେଳ ନଥାଏ। ପରିବାରରେ ଥିବା ଛୋଟ ପିଲାମାନଙ୍କ ଶିକ୍ଷାଦୀକ୍ଷା ଏମାନଙ୍କ ପାଇଁ ସାତ ସପନ। ଏହି ପରିବାରର ପୁରୁଷ ମହିଳା ସହିତ ଛୋଟ ଛୋଟ ପୁଅଝିଅ ମଧ୍ୟ ଅଳିଆ ସାଉଁଟି ଜରି, ପ୍ଲାଷ୍ଟିକ୍‌ ସ˚ଗ୍ରହ କରିଥାନ୍ତି।

ଜରି ସ˚ଗ୍ରହ କରୁଥିବା ଓ ରେଳଷ୍ଟେସନ୍‌ରେ ରହୁଥିବା ରୀତା ସୁନା(୩୫) କହନ୍ତି ସେ ଅନ୍ୟ ଜାତିର ହୋଇଥିବାରୁ ତାଙ୍କ ଶ୍ୱଶୁରଘର ଲୋକେ ତାଙ୍କୁ ଘରେ ପୁରାଇ ଦେଇନଥିଲେ। ଫଳରେ ସେ ସ୍ୱାମୀ ବିଶାଲ ସୁନା ସହିତ ରେଳଷ୍ଟେସନକୁ ଘର କରି ରହିଛନ୍ତି। ତାଙ୍କର ୩ ଗୋଟି ସନ୍ତାନ ମଧ୍ୟରୁ ବଡ଼ ଓ ଛୋଟ ପୁଅକୁ ଅନ୍ୟତ୍ର ଦେଇ ଦେଇଥିବା ବେଳେ ମଝିଆ ପୁଅ ଅଦିତ(୪)କୁ ନେଇ ତାଙ୍କ ସ˚ସାର। ସେହିପରି ନରି ବାଲାର୍(୪୦) ସ୍ୱାମୀ ଲବ ବାଲାର୍ ମଧ୍ୟ ତାଙ୍କ ତିନି ସନ୍ତାନ ନିରଜ(୧୪), ଧିରଜ(୮), ପୁନମ୍‌(୫)ଙ୍କୁ ନେଇ ଜରି ବେଟି ଚଳନ୍ତି। ରାଧିକା ମହାନ୍ତି ସ୍ୱାମୀ ଅଶୋକ ମହାନ୍ତି ଓ ତାଙ୍କ ଝିଅ କ୍ରିଷ୍ଣା(୫) ଓ ରାକ୍ଷୀ(୩), ଅଞ୍ଜଳି ରେଡ଼ି ସ୍ୱାମୀ ତ୍ରିନାଥଙ୍କ ସହିତ ତିନି ସନ୍ତାନ ଲକ୍ଷ୍ମୀ(୮), ଜଗା(୩), ଜମୁନା(୨) । ରେସ୍‌ମା, ଫୁଲମନି, ମଙ୍ଗଲ ଏପରି ଅନେକ ପରିବାର ଯେଉଁମାନଙ୍କ ନା ଅଛି ଘର ନା ଦ୍ୱାର, ଦୟନୀୟ ଜୀବନ ବିତାନ୍ତି ରେଳଷ୍ଟେସନରେ । ସମସ୍ତଙ୍କ ନଜରରେ ସକାଳ ପାଇଲେ କେବଳ ଅଳିଆ ଅଣ୍ତାଳି ପେଟ ପୁରାଇବା ଚିନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe