ଝାରସୁୂଗୁଡ଼ା ଉପନିର୍ବାଚନ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ଝାରସୁୂଗୁଡ଼ା ଉପନିର୍ବାଚନ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡା ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସହକାରୀ ନିର୍ବାଚନ ଅଧିକାରୀ, ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ ସଚିବ ସୁକାନ୍ତ ତ୍ରିପାଠୀ, ଉତ୍ତରାଞ୍ଚଳ ପୁଲିସ ଆଇଜି ଦାୟିତ୍ଵରେ ଥିବା ଅନୁଗୁଳ ଡିଆଇଜି ବ୍ରିଜେଶ ରାୟ, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଝାରସୁଗୁଡ଼ା ଏସ୍‌ପି ସ୍ମିତ ପୁରୁଷୋତ୍ତମ ପରମାର, ଉପନିର୍ବାଚନ ରିଟର୍ଣ୍ଣିଂ ଅଫିସର କିଶୋର ଚନ୍ଦ୍ର ସ୍ଵାଇଁଙ୍କ ସମେତ ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ବୈଠକ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଗଣମାଧ୍ୟମକୁ କହିଥିଲେ ଯେ, ଖରା ତାତି ଓ କାଳବୈଶାଖୀ ଆଶଙ୍କାକୁ ଆଖି ଆଗରେ ରଖି ନିର୍ବାଚନ ଓ ମତଦାନ ପ୍ରକ୍ରିୟାର ପ୍ରସ୍ତୁତି କରାଯାଉଛି। ମତଦାତାଙ୍କ ପାଇଁ ସମସ୍ତ ସୁବିଧା କରାଯିବ। କରୋନା ସଂକ୍ରମଣ ଉପରେ ମଧ୍ୟ ନଜର ରଖି ପ୍ରସ୍ତୁତି ଆରମ୍ଭ ହୋଇଛି। କିଭଳି ଭୋଟରମାନେ ମତଦାନ କରିବାକୁ ଉତ୍ସାହିତ ହୋଇ ଆସିବେ ଓ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେ ନେଇ ସଜାଗ ରହିବାକୁ ଜିଲ୍ଲପାଳ ଓ ବିଡିଓମାନଙ୍କୁ ନିର୍ଦେଶ ଦିଆଯାଇଥିବା ଶ୍ରୀ ଧଳ କହିଛନ୍ତି। ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ନିୟୋଜିତ ହେବେ।

୧୯୭ଟି ସ୍ଥାନରେ ହେବ ୨୫୩ ବୁଥ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯୭ଟି ସ୍ଥାନରେ ମୋଟ ୨୫୩ଟି ପୋଲିଂ ବୁଥ୍‌ କରାଯାଇଛି। ଏହା ମଧ୍ୟରେ କେତେ ସଂଖ୍ୟକ ପିଙ୍କ୍‌ ବୁଥ ଓ ‌ମଡେଲ୍‌ ବୁଥ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର କରାଯାଇ ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ‌ମଡେଲ୍‌ ବୁଥ ସଂଖ୍ୟା ଅଧିକ କରିବାକୁ ପ୍ରୟାସ ଜାରି ରହିଛି ବୋଲି କୁହାଯାଇଛି।

୪ କମ୍ପାନି ସିଆରପିଏଫ୍‌ ମୁତୟନ ହେବେ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ୍‌ ସୂଚନା ଅନୁସାରେ ହିଂସା କରିବାର ଆଶଙ୍କା ଥିବା ପ୍ରାୟ ୧ ହଜାର ଲୋକଙ୍କୁ ସିଆର୍‌ପିସି ଧାରା ୧୦୭ ଅନୁସାରେ ବାଉଣ୍ଡ ଡାଉନ୍‌ କରାଯାଇଥିବା ବେଳେ ୪୨ ଜଣଙ୍କୁ ସିଆରପିସି ଧାରା ୧୧୦ ଅନୁସାରେ ନୋଟିସ୍‌ ଦିଆଯାଇଛି। ଏହା ବାଦ ପୋଲିଂ ସମୟରେ ୪ ପ୍ଲାଟୁନ୍‌ ସିଆର୍‌ପିଏଫ୍‌ ବଳ ମଧ୍ୟ ମୁତୟନ ହେବେ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe