ବ୍ରଜରାଜନଗର ଉପନିର୍ବାଚନ: ଶୀର୍ଷରେ ପହଞ୍ଚିଛି ପ୍ରଚାର; ଶାସକ ଦଳକୁ ଘାଇଲା କରୁଛନ୍ତି ବିରୋଧୀ

Advertisment

ନବୀନଙ୍କ ଭାବମୂର୍ତ୍ତି ଶାସକ ଦଳର ଢାଲ ହୋଇଛି

ନବୀନଙ୍କ ଭାବମୂର୍ତ୍ତି ଶାସକ ଦଳର ଢାଲ ହୋଇଛି

ଆଜି ସକାଳ ୮ଟାରେ ଆରମ୍ଭ ହେବ ବ୍ରଜରାଜନଗର ଉପନିର୍ବାଚନର ଭୋଟ୍‌ ଗଣତି ପ୍ରକ୍ରିୟା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ ଏବେ ପ୍ରଚାର ଶୀର୍ଷ ଛୁଇଁଛି। ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ରୋଚକ ମୋଡ଼କୁ ନେଉଛି। ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ସବୁ ଦଳ ପକ୍ଷରୁ  ସାରା ନିର୍ବାଚନ ମଣ୍ଡଳୀରେ ଘନଘନ ନିର୍ବାଚନୀ ସଭା ଅନୁଷ୍ଠିତ ହେଉଛି। ଉପନିର୍ବାଚନ ହୋଇଥିବାରୁ ସାରା ରାଜ୍ୟର ‌ସବୁ ଦେଳର ନେତା ଏଠାରେ ଡେରା ପକାଇଛନ୍ତି। ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଶାସକ ବିଜେଡି ଦଳକୁ ଆକ୍ରମଣାତ୍ମକ ଢଙ୍ଗରେ ତୀବ୍ର ସମାଲୋଚନା କରି ଘାଇଲା କରି ପକାଉଥିବା ବ‌େଳେ ସମାଲୋଚନାରୁ ବଞ୍ଚିବା ପାଇଁ ଶାସକ ବିଜେଡି ଦଳ ପକ୍ଷରୁ ନବୀନଙ୍କ ଭାବମୂର୍ତ୍ତିକୁ ଢାଲ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଦୀର୍ଘ ଦିନ ଧରି ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏହି ଉପନିର୍ବାଚନରେ ବେଶ ସକ୍ରିୟ ହୋଇ ଉଠିଛି। ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପିର ତୁଙ୍ଗ ନେତା ମାନେ ଗତ ସପ୍ତାହେ ହେଲା ଏଠାରେ ଘନଘନ ପ୍ରଚାର କରୁଛନ୍ତି।

publive-image

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ସମସ୍ୟା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଦୋଷ ଦୁର୍ବଳତାକୁ ବିରୋଧୀ ଅସ୍ତ୍ର କରିଛନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଏକଦା କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ଗଡ଼ ଥିବା ବେଳେ ଏବେ ଏଠାରେ କଂଗ୍ରେସ ଓ କମ୍ୟୁନିଷ୍ଟ ତାଙ୍କର ସତ୍ତା ଖୋଜୁଥିବା ଭଳି ଅବସ୍ଥାକୁ ଆସି ଯାଇଛନ୍ତି। କାଁ ଭାଁ କଂଗ୍ରେସ କର୍ମୀଙ୍କୁ ଛାଡ଼ିଦେଲେ ସବୁ କର୍ମୀ ବିଜେଡି ମୁହାଁ ହୋଇ ସାରିଛନ୍ତି। କଂଗ୍ରେସ ଏହି ନିର୍ବାଚନରେ ନେତୃତ୍ବ ହରାଇବା ସୁଯୋଗରେ ବିଜେଡି ଓ ବିଜେପି ଏହି ଗଡ଼ରେ ନିଜର ପତିଆରା ବୃଦ୍ଧି କରି ସାରିଛନ୍ତି। କମ୍ୟୁନିଷ୍ଟ ନେତା ତଥା ଏହି ଅଞ୍ଚଳର ସର୍ବମାନ୍ୟ ଜନନେତା ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ କମ୍ୟୁନିଷ୍ଟ ପୂରା ଭାଙ୍ଗି ପଡ଼ିଥିଲା। ସେହିପରି କଂଗ୍ରେସ ନେତା ଅନୁପ ସାଏ  ବିଜେଡିରେ ଯୋଗଦାନ ପ‌ରଠାରୁ କଂଗ୍ରେସ ଏଠାରେ ସତ୍ତା ହରାଇଥିଲା। ତେବେ ସୁନ୍ଦରଗଡ଼ରୁ ଆସି କଂଗ୍ରେସ କମାଣ୍ଡ ସମ୍ଭାଳୁଥିବା କିଶୋର ପଟେଲ ଏଠାରେ କୋଲିଆରି ଶ୍ରମିକ ସଂଗଠନର ନେତୃତ୍ବ ନେଇଥିବା କାରଣରୁ କଂଗ୍ରେସ କିଛି ମାତ୍ରାରେ ବଞ୍ଚି ରହିଥିଲା।

publive-image

ତେବେ ଶ୍ରୀ ପଟେଲ ବୟସାଧିକ କାରଣ ତଥା ସାରା ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଥିବା ଦୃଷ୍ଟିରୁ  ପୁଣିଥରେ ଏଠାରେ କଂଗ୍ରେସକୁ ସଂଗଠିତ କରିବାରେ ଯଦିଓ ସଫଳ ହୋଇ ନଥିଲେ ତେବେ ଏହି ଉପନିର୍ବାଚନରେ କଂଗ୍ରେସ ପୁଣିଥରେ ସକ୍ରିୟ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ୨୦୧୯ ନିର୍ବାଚନ ପୂର୍ବରୁ  ଶାସକ ଦଳ ଓ କଂଗ୍ରେସ ଦଳ ମହାନଦୀ ପ୍ରସଙ୍ଗକୁ ନେଇ ବିଜେପିକୁ ଘେରୁଥିବା ବେଳେ ଏହି ଉପନିର୍ବାଚନରେ ବିଜେପି ମହାନଦୀ ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ବିଜେଡିକୁ ପ୍ରତି ଆକ୍ରମଣ କରିବା ଆରମ୍ଭ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାକୁ ନିର୍ବାଚନ ପ୍ରଚାରରେ ଆସି ମହାନଦୀ ପ୍ରସଙ୍ଗ ଉଠାଇ ବିଜେଡି ଓ କଂଗ୍ରେସ ବାଣ ମାରିଥିବା ବେଳେ ଆଜି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ମହାନଦୀ ପ୍ରବେଶ ପଥ ସୁଖାସୋଡ଼ା ଠାରେ କୃଷକ ସମାବେଶ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରି ଅଡ଼ୁଆରେ ପକାଇଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ବ୍ରଜରାଜନଗରରେ ବନ୍ଦ ପଡ଼ିଥିବା ଓରିଏଣ୍ଟ କାଗଜକଳ ପୁନରୁଦ୍ଧାରକୁ ପ୍ରସଙ୍ଗ କରିଥିବା ବେଳେ ଶାସକ ଦଳ ଏଥିରେ ଅସହାୟ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ଶାସକ ବିଜେଡି ପକ୍ଷରୁ ସବୁ ମନ୍ତ୍ରୀ, ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦ  ଏହି ନିର୍ବାଚନରେ ସାମିଲ ହୋଇଥିବା ବେଳେ ବିରୋଧୀଙ୍କୁ କଡ଼ା ଜବାବ ଦେବାକୁ  ଯାଇ ନବୀନଙ୍କ ସ୍ବଚ୍ଛ ଶାସନ, ଅଂସଖ୍ୟ ଯୋଜନା କଥା କହି ପ୍ରତି ଆକ୍ରମଣ କରୁଥିବା ଜଣାଯାଇଛି। ଶାସକ ବିଜେଡି ପକ୍ଷରୁ ଭିନ୍ନ ଭିନ୍ନ ଭାବରେ ପ୍ରଚାର ସଭାମାନ କରାଯାଉଥିବା ଦେଖା ଯାଇଛି। ଦୀପାଳି ଦାସଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଏହି ସମାବେଶରେ ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ଦେଖିବାକୁ ମିଳୁ ନଥିବାରୁ ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe