ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳିଙ୍କୁ ପ୍ରାର୍ଥୀ କଲା ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳିଙ୍କୁ ପ୍ରାର୍ଥୀ କଲା ବିଜେଡି

News Vibes of India

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହେବାର ୨ ଦିନ ପରେ ଶୁକ୍ରବାର ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଆଜି ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ନାମ ଘୋଷଣା ହେବାପରେ କାଳୀମନ୍ଦିର ରୋଡ୍‌ସ୍ଥିତ ବିଜେଡି ଦଳୀୟ କାର୍ଯ୍ୟାଳୟରେ କର୍ମୀଙ୍କ ଭିଡ଼ ଜମିଥିଲା। ଦଳୀୟ ନେତା ଓ କର୍ମୀ ଦୀପାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ମିଠା ଖୁଆଇ ଖୁସି ମନାଇଥିଲେ। ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ, ମ୍ୟୁନିସିପାଲଟି ଅଧ୍ୟକ୍ଷା ରାନୀ ହାତୀ, ପୂର୍ବତନ ଉପନଗରପାଳ ତାପସ ରାୟ ଚୌଧୁରୀଙ୍କ ସମେତ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ।

ଟିକଟ ଘୋଷଣା ପରେ ଦୀପାଳି ଗଣମାଧ୍ୟମକୁ ବିବୃତି ଦେଇ କହିଥିଲେ ଯେ ‘ଆଜି ବାପାଙ୍କ ଅନୁପସ୍ଥିତିରେ ମୁଁ ରାଜନୀତିରେ ପାଦ ଥାପିବାକୁ ଯାଉଛି। ଆଜି ବାପା କହିଥିବା ସବୁକଥା ମନେପଡ଼ୁଛି। ଲୋକ ସେବା ପାଇଁ ପ୍ଲାଟଫର୍ମ ମିଳିଛି। ମୁଖ୍ୟମନ୍ତ୍ରୀ ଯେଉଁ ଭରସା ଦେଖାଇଛନ୍ତି ତାକୁ ଅତୁଟ ରଖି ସମାଜସେବା କରିବା ସହ ବାପାଙ୍କ ନାଁ ରଖିବି।’ ତେବେ ଦୀପାଳି କେବେ ନାମାଙ୍କନ ଦାଖଲ କରିବେ ସେନେଇ କୌଣସି ସୂଚନା ପ୍ରଦାନ କରିନଥିଲେ। ଦୀପାଳି ହିଁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସ୍ବର୍ଗତ ଦାସ ପୂର୍ବରୁ ଘୋଷଣା କରିଥିଲେ। ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରେ ବି ଦୀପାଳିଙ୍କ ସମ୍ପୃକ୍ତି ଦେଖିବାକୁ ମିଳିଥିଲା।

ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବି‌ଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ହୋଇପାରିନଥିବା ଜଣାପଡ଼ିଛି। ଏଠାରେ ଉପନିର୍ବାଚନ ସ୍ଥିତି ସୃଷ୍ଟି ହେବାପରେ ବାହାର ଜିଲ୍ଲା ଲୋକଙ୍କୁ ଯେଭଳି ଟିକଟ ନମି‌ଳେ ସେଥିପାଇଁ ଝାରସୁଗୁଡ଼ା ବିଜେପିର କିଛି ନେତା ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ। ତେଣୁ ବିଜେପି କାହାକୁ ଟିକଟ ଦେବ, ତ‌ା’ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଝାରସୁଗୁଡ଼ା ନିର୍ବାଚନ ଇତିହାସକୁ ଓଲଟାଇ ଦେଖିଲେ କଂଗ୍ରେସ ସର୍ବାଧିକ ଥର ଆସନ ହାତେଇଛି। ତେଣୁ ଚଳିତ ଥର ଉଭୟ ନବ ଓ କିଶୋରଙ୍କ ଅନୁପସ୍ଥିତିରେ ଦଳ ପୁଣିଥରେ ପୂର୍ବ ଗୌରବ ଫେରାଇବାକୁ ପ୍ରୟାସ ଆରମ୍ଭ କରିଛି। ତେଣୁ କଂଗ୍ରେସ ଟିକଟ ଉପରେ ବି ଅନୁରୂପ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe